Andhra Announces Kotia Panchayat Polls: କୋଟିଆରେ ପଞ୍ଚାୟତ ଭୋଟ୍ ପାଇଁ ଆନ୍ଧ୍ରର ବିଜ୍ଞପ୍ତି, ଓଡ଼ିଶାରେ ବଢ଼ିଲା ରାଜନୀତି
କୋଟିଆକୁ ନେଇ ପୁଣି ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ର ପ୍ରଦେଶ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଳକ୍ କୋଟିଆ ଅଞ୍ଚଳର ୩ଟି ପଞ୍ଚାୟତରେ ଆସନ୍ତା ନଭେମ୍ବର ୨୮ରେ ପଂଚାୟତ ଭୋଟ୍ କରିବାକୁ ଯାଉଛି ଆନ୍ଧ୍ର ପ୍ରଶାସନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପରେ ସୃଷ୍ଟି ହୋଇଛି ନୂଆ ଝଡ଼। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ସରକାରଙ୍କୁ ଘେରିଛନ୍ତି। ନବୀନ ଲେଖିଛନ୍ତି ଯେ, ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି କୋଟିଆ ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଡବଲ୍ ଇଞ୍ଜିନ ସରକାରରେ ଏହା କିପରି ସମ୍ଭବ ହେଲା ବୋଲି ପଚାରିଛନ୍ତି। ୨୦୨୫ରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟିର ସୁପାରିଶ କଣ ଥିଲା, ଏହାକୁ ଲାଗୁ ପାଇଁ କଣ ପଦକ୍ଷେପ ନିଆଯାଇଛି? ନବୀନ ଆହୁରି ମଧ୍ୟ ଲେଖିଛନ୍ତି ଆନ୍ଧ୍ରରେ ଏବେ ତେଲୁଗୁ ଦେଶମ୍ ପାର୍ଟିର ସରକାର ଅଛି, ଆଉ ଟିଡିପି ଏନ୍ଡିଏର ଏକ ପ୍ରମୁଖ ସହଯୋଗୀ। କେନ୍ଦ୍ରରେ ସଂଖ୍ୟା ଗରିଷ୍ଠ ବଜାୟ ରଖିବା ପାଇଁ ଟିଡିପିର ସହଯୋଗର ଆବଶ୍ୟକତା ରହିଛି। ସେ ଦୃଷ୍ଟିରୁ ଓଡ଼ିଶା ବିଜେପି ସରକାର ନିରବ ରହିଥିବା କହିଛନ୍ତି ନବୀନ। ପିସିସି ସଭାପତି ଭକ୍ତ ଦାସ ମଧ୍ୟ କହିଛନ୍ତି, ଟିଡିପି ଯଦି ଏନ୍ଡିଏରୁ ସମର୍ଥନ ପ୍ରତ୍ୟାହାର କରିନିଏ, ତେବେ ସରକାର ଭାଙ୍ଗିଯିବ। ତେଣୁ ରାଜ୍ୟ ବିଜେପି ଚୁପ୍। କଂଗ୍ରେସ କିନ୍ତୁ କୋଟିଆ ନେଇ ଚୁପ ବସିବ ନାହିଁ।
ସେପଟେ କୋଟିଆ ପ୍ରସଙ୍ଗରେ ନବୀନଙ୍କୁ କଡ଼ା କାଉଣ୍ଟର କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛନ୍ତି। ୨୪ ବର୍ଷ ଶାସନରେ ରହି କଣ କରିଛନ୍ତି ବୋଲି ନବୀନଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ଏହାସହିତ ଚିଠିଟି ନବୀନଙ୍କ ନିଜସ୍ୱ ନା ପ୍ରାୟୋଜିତ, ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୁରେଶ। ଅନ୍ୟପକ୍ଷରେ ଦୁଇ ବର୍ଷ ଭିତରେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ୪ ଥର କୋଟିଆ ଗସ୍ତ କରିଥିବା ସେ ସୂଚନା ଦେଇଛନ୍ତି। ସେପଟେ ପ୍ରସଙ୍ଗର ଗୁରୁତ୍ବକୁ ଦେଖି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ବ ମନ୍ତ୍ରୀ ଏକ ବୈଠକ କରିଛନ୍ତି। ଯେଉଁଥିରେ ଆଡଭୋକେଟ୍ ଜେନେରାଲ୍, ଦକ୍ଷିଣାଞ୍ଚଳ ଆରଡିସି, ଡିଆଇଜି, କୋରାପୁଟ ଜିଲ୍ଲାପାଳ ଓ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ।
୨୦୨୧ ଫେବ୍ରୁଆରୀ ୧୩ ତାରିଖରେ ଆନ୍ଧ୍ର ପ୍ରଶାସନ କୋଟିଆର ୩ଟି ବିବାଦୀୟ ଗାଁରେ ପଞ୍ଚାୟତ ନିର୍ବାଚନ କରାଇଥିଲା। ଏହାକୁ ଓଡ଼ିଶା ସରକାର ବିରୋଧ କରି ସୁପ୍ରିମକୋର୍ଟରେ ଅବମାନନା ଆବେଦନ କରିଥିଲେ। ସେତେବେଳେ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏବେ ପୁଣି ଆନ୍ଧ୍ର କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ବେଳେ କି ପଦକ୍ଷେପ ନେଉଛି ଓଡିଶା, ତା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।