Mass Shooting Plot Foiled: ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍, ଗଣଗୁଳିକାଣ୍ଡ ପୂର୍ବରୁ ଧରାପଡ଼ିଲା ଅଭିଯୁକ୍ତ
ଏକ ବଡ଼ ଧରଣର ଗଣଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛି। ଆମେରିକାର ଇଲିନଏସ୍ ରାଜ୍ୟରେ ଏକ ହିନ୍ଦୁ ମନ୍ଦିର ଉପରେ ବଡ଼ଧରଣର ଗୁଳିମାଡ଼ କରିବାକୁ ଯୋଜନା କରିଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ପାଲାଟାଇନ୍ ଅଞ୍ଚଳର ବାସିନ୍ଦା ଆଲେକ୍ସାଣ୍ଡ୍ରୋସ୍ ପାପୋରାକିସ୍ ବୋଲି ଜଣାପଡ଼ିଛି।
ତଦନ୍ତକାରୀ ଅଧିକାରୀମାନେ ଅଭିଯୁକ୍ତ ନିକଟରୁ ଏକ ମାନିଫେଷ୍ଟୋ ଜବତ କରିଛନ୍ତି, ଯେଉଁଥିରେ ଶ୍ୱେତାଙ୍ଗ ସର୍ବୋଚ୍ଚତାବାଦୀ ଚିନ୍ତାଧାରା ଏବଂ ଭାରତୀୟ ବଂଶୋଦ୍ଭବଙ୍କ ବିରୋଧରେ ହିଂସା ସମ୍ପର୍କିତ ଚରମପନ୍ଥୀ ଉଲ୍ଲେଖ ରହିଛି।
ପୁଲିସର ସୂଚନା ଅନୁସାରେ, ଅକ୍ଟୋବର ୧୧ ତାରିଖରେ ଏକ ସମ୍ଭାବ୍ୟ ବଡ଼ଧରଣର ଗୁଳିମାଡ଼ ଯୋଜନା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ପାପୋରାକିସ୍କୁ କାବୁ କରାଯାଇଥିଲା। ମାଉଣ୍ଟ ପ୍ରସ୍ପେକ୍ଟ ପୁଲିସ ପାଖକୁ ଜଣେ ବ୍ୟକ୍ତି ପାପୋରାକିସ୍ଠାରୁ ଏକ ସନ୍ଦେହଜନକ ଇଲେକ୍ଟ୍ରୋନିକ୍ ବାର୍ତ୍ତା ପାଇଥିବା ନେଇ ଖବର ଆସିଥିଲା। ଏହାପରେ ତଦନ୍ତକାରୀମାନେ ତୁରନ୍ତ ତାଙ୍କ ବାର୍ତ୍ତା ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିଥିଲେ।
ଅଭିଯୁକ୍ତ ଜଣକ ଏକ ଦସ୍ତାବିଜ୍ ସେୟାର କରିଥିଲେ, ଯେଉଁଥିରେ ଗୁଳିମାଡ଼ ଯୋଜନା ସମ୍ପର୍କିତ ତଥ୍ୟ ରହିଥିଲା। ଏଥିସହ ରାଇଫଲ୍, ଗୁଳି ଭର୍ତ୍ତି ମାଗାଜିନ୍, ଶରୀର ସୁରକ୍ଷା କବଚ ଏବଂ ଅନ୍ୟାନ୍ୟ ସାମରିକ ଉପକରଣର ଫଟୋ ମଧ୍ୟ ରହିଥିଲା।
ତଦନ୍ତ ସମୟରେ ପୁଲିସ “Why I Fought: A.K.A.: (Aurora shooter's manifesto)” ଶୀର୍ଷକ ଥିବା ଏକ ଦସ୍ତାବିଜ୍ ଯାଞ୍ଚ କରିଥିଲା। ଏଥିରେ ଦକ୍ଷିଣ ଏସୀୟ, ବିଶେଷକରି ଭାରତୀୟ ବଂଶୋଦ୍ଭବଙ୍କ ବିରୋଧରେ ହିଂସା ସମ୍ପର୍କିତ ଚରମପନ୍ଥୀ ମନ୍ତବ୍ୟ ରହିଥିବା ଅଭିଯୋଗ ହୋଇଛି।
ପାଲାଟାଇନ୍ ଏବଂ ମାଉଣ୍ଟ ପ୍ରସ୍ପେକ୍ଟ ପୁଲିସର ମିଳିତ ଅଧିକାରୀମାନେ ଅକ୍ଟୋବର ୧୧ରେ ଅଭିଯୁକ୍ତ ନିଜ ଘରୁ ବାହାରୁଥିବା ସମୟରେ ତାଙ୍କୁ ଗିରଫ କରିଥିଲେ। ପରେ ତାଙ୍କ ଘରେ ତଲାସି କରାଯାଇ ସେଠାରୁ ଗୋଟିଏ ରାଇଫଲ୍, ଏକାଧିକ ଗୁଳି ଭର୍ତ୍ତି ମ୍ୟାଗାଜିନ୍, ଶହ ଶହ ରାଉଣ୍ଡ ଗୁଳି, ସୁରକ୍ଷା କବଚ ଥିବା ଭେଷ୍ଟ ଏବଂ ଶ୍ୱେତାଙ୍ଗ ସର୍ବୋଚ୍ଚତାବାଦୀ ଚିନ୍ତାଧାରା ସହ ଜଡ଼ିତ ଚିହ୍ନ ଥିବା ଏକ ପ୍ୟାଚ୍ ଜବତ କରିଛନ୍ତି।
ବୁଧବାର ଅଦାଲତରେ ଶୁଣାଣି ପରେ ବିଚାରପତି ତାଙ୍କୁ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୩୦ରେ ତାଙ୍କୁ ପୁଣି ଅଦାଲତରେ ହାଜର କରାଯିବ। ଏହି ସମ୍ଭାବ୍ୟ ବିପଦ ସମ୍ପର୍କରେ ଅରୋରା ପୁଲିସ ବିଭାଗକୁ ଅବଗତ କରାଯିବା ପରେ ସେଠାକାର ହିନ୍ଦୁ ଧାର୍ମିକ ସ୍ଥଳଗୁଡ଼ିକ ସହ ଯୋଗାଯୋଗ କରାଯାଇଛି। ତେବେ କେଉଁ ନିର୍ଦ୍ଦିଷ୍ଟ ମନ୍ଦିରକୁ ଟାର୍ଗେଟ୍ କରାଯିବାକୁ ଯୋଜନା ଥିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ମାମଲାରେ ଆମେରିକାର ସଂଘୀୟ ତଦନ୍ତ ସଂସ୍ଥା (ଏଫବିଆଇ) ମଧ୍ୟ ତଦନ୍ତ ଜାରି ରଖିଛି।
ଚିକାଗୋସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ୍ ଏହି ଘଟଣା ଉପରେ ନଜର ରଖିବା ସହ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେହିପରି ଆମେରିକାର ଭାରତୀୟ ବଂଶୋଦ୍ଭବ କଂଗ୍ରେସ ସଦସ୍ୟ ରାଜା କୃଷ୍ଣମୂର୍ତ୍ତି ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ନିରୀହ ଲୋକଙ୍କ ଜୀବନ ଯିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଏପରି ଘୃଣାପୂର୍ଣ୍ଣ ଧମକକୁ ଗମ୍ଭୀରତାର ସହ ନେବା ଉଚିତ୍।
ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନ୍ ମଧ୍ୟ ପୁଲିସର କାର୍ଯ୍ୟକୁ ସ୍ୱାଗତ କରି ପ୍ରତ୍ୟେକ ସମୁଦାୟ ଭୟମୁକ୍ତ ପରିବେଶରେ ନିଜ ଧର୍ମ ପାଳନ କରିବାର ଅଧିକାର ରଖନ୍ତି ବୋଲି ମତ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।