Mata Lingeshwari: ଆସ୍ଥା ଓ ବିଶ୍ୱାସର ପ୍ରତୀକ ମାତା ଲିଙ୍ଗେଶ୍ୱରୀ
"ରାଇଘର(ଦେବେନ୍ଦ୍ର ମିଶ୍ର): ଭାରତର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ଭିଡ଼କୁ ନେଇ ବୁଧବାର ଦିନ ଖୋଲିଥିଲା ମାତା ଲିଙ୍ଗେଶ୍ୱରୀ ମନ୍ଦିର l ବର୍ଷକୁ କେବଳ ଗୋଟାଏ ଦିନ ଖୋଲୁଥିବା ଏହି ମନ୍ଦିରରେ ପୂଜା ପାଆନ୍ତି ଆସ୍ଥା ଓ ବିଶ୍ୱାସର ପ୍ରତୀକ ମାତା ଲିଙ୍ଗେଶ୍ୱରୀ l ମୂଖ୍ୟତଃ ନିଃସନ୍ତାନଙ୍କ ମାନସିକ ପୂରଣ ପାଇଁ ପ୍ରସିଦ୍ଧ ଯୋଗୁଁ ଏଠାରେ ଏହି ଗୋଟାଏ ଦିନ ଭକ୍ତଙ୍କ ଭିଡ଼ ପ୍ରବଳ lAdvertisment ନିଃସନ୍ତାନଙ୍କ ମାନସିକ ପୂରଣ ପାଇଁ ପ୍ରସିଦ୍ଧ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରୁ ମାତ୍ର ୭୦ କିଲୋମିଟର ଦୂର ତଥା ଛତିଶଗଡ଼ ଅନ୍ତର୍ଗତ କୋଣ୍ଡାଗାଓଁ ଜିଲ୍ଲାର ଫରସଗାଓଁ ନିକଟସ୍ଥ ଓଲେର୍ ଗ୍ରାମର ଝାଟିବନ ପର୍ବତ ଗୁମ୍ଫାରେ ଅବସ୍ଥିତ ଦେବୀ ଲିଙ୍ଗେଶ୍ୱରୀଙ୍କ ଏହି ମନ୍ଦିର।
ବର୍ଷକୁ ଗୋଟାଏ ଦିନ ପାଇଁ ଅର୍ଥାତ ଭାଦ୍ରବ ମାସ ନୂଆଖାଇ ପରେ ପଡ଼ୁଥିବା ବୁଧବାର ଦିନ ସକାଳ ୬ଟା ଠାରୁ ବିଧିବଦ୍ଧ ଭାବେ ପୂଜା ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ଖୋଲାଯାଇଥାଏ।
ଦୁଇ ଦିନ ପୂର୍ବରୁ ମନ୍ଦିରରେ ମାଙ୍କ ଦର୍ଶନ ପାଇଁ ଭକ୍ତ ମାନେ ଧାଡିରେ ରହିବା ଆରମ୍ଭ କରିଥାନ୍ତି l ମାସେ ପୂର୍ବରୁ ମନ୍ଦିର ଠାରୁ ପ୍ରାୟ ୫ କିଲୋମିଟର ପଯ୍ୟନ୍ତ ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ l ସମସ୍ତ ଭକ୍ତ କିଭଳି ସୁରୁଖୁରୁରେ ଗୁମ୍ଫା ମନ୍ଦିର ଦର୍ଶନ କରି ପାରିବେ ସେ ନେଇ ବିଭିନ୍ନ ଟିମ ଗଠନ କରାଯାଇଥାଏ l ସମ୍ବାଦ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ, ମନ୍ଦିର ପୁରୋହିତ ପ୍ରକାଶ କରିଛନ୍ତି ଯେ ଚଳିତ ବର୍ଷ ଗୁମ୍ଫାରେ ପ୍ରବେଶ କରିବା ପରେ ସେମାନେ ପ୍ରଥମେ ସିଂହର ପାଦଚିହ୍ନ ଦେଖିଥିଲେ l ଯାହାକୁ ଭଲ ବର୍ଷା, ଭଲ ଫସଲ ଏବଂ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଇଥିଲା l ବସ୍ତର ମହାରାଜା କମଳ ଚାନ୍ଦ ଭଞ୍ଜଦେବ ଏବଂ ତାଙ୍କ ପତ୍ନୀଙ୍କ ସହିତ ପ୍ରଥମେ ଗୁମ୍ଫା ମନ୍ଦିରରେ ପ୍ରବେଶ କରି ଦେବୀ ଲିଙ୍ଗେଶ୍ୱରୀଙ୍କ ବିଧିବଦ୍ଧ ପୂଜା କରିଥିଲେ ଏବଂ ଏକ ସନ୍ତାନ ପାଇଁ ପ୍ରାର୍ଥନା କରିଥିଲେ।
ଯାହାର ସନ୍ତାନ ହୋଇପାରୁନାହିଁ ସେହି ଦମ୍ପତି ଏଠାକୁ ଆସି ମାନସିକ କରିଲେ ମାଙ୍କ ଆଶୀର୍ବାଦରୁ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ପ୍ରବଳ ବିଶ୍ୱାସ ରହିଛି l ଏଠାରେ କାକୁଡ଼ିର ଭୋଗ ଲାଗିବା ପରେ ଦୁହେଁ ପତି ପତ୍ନୀ ଉକ୍ତ ଭୋଗ କାକୁଡ଼ିକୁ ନଖରେ ଦୁଇ ଫାଳ କରି ଖାଈଥାନ୍ତି l ଏହି ଲିଙ୍ଗେଶ୍ୱରୀ ମାଙ୍କ ଆଶୀର୍ବାଦରୁ ବର୍ଷ ବର୍ଷ ଧରି ସନ୍ତାନ ନଥିବା ବହୁ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତ ହୋଇଥିବା ଉଦାହରଣ ଏଠାରେ ଦେଖିବାକୁ ମିଳିଥାଏ l Shiva Puja: ଶିବ ମନ୍ଦିରରେ ତାଳି ବଜାଯାଏ କାହିଁକି?
ଏହି ମନ୍ଦିରକୁ ଛତିଶଗଡ଼ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଯଥା ଓଡ଼ିଶା ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଭଳି ରାଜ୍ୟରୁ ଭକ୍ତମାନେ ଦେବୀ ଲିଙ୍ଗେଶ୍ୱରୀଙ୍କୁ ଦର୍ଶନ କରିବାକୁ ଆସିଥିଲେ।
ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତ ଆସି ଦୁଇଦିନ ପୂର୍ବରୁ ଧାଡ଼ିରେ ରହିଥିଲେ ।
ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ଏବଂ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ।
ମନ୍ଦିର ପରିସର ଏବଂ ପ୍ରବେଶ ପଥରେ ପୁଲିସ ଫୋର୍ସ ମୁତୟନ ସହିତ ଆଶୁ ଚିକିତ୍ସା, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଥାଏ l ମା ଲିଙ୍ଗେଶ୍ୱରୀଙ୍କ ଦର୍ଶନ ପ୍ରକ୍ରିୟା ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବା ପରେ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯିବା ସହିତ ମନ୍ଦିର କମିଟି ପକ୍ଷରୁ ଉପଯୁକ୍ତ ପୂଜା ପରେ ଗୁମ୍ଫାର ଦ୍ୱାର ପୁନର୍ବାର ବନ୍ଦ କରାଯାଇଥାଏ।
ବର୍ଷକୁ କେବଳ ଥରେ ଖୋଲାଯାଉଥିବା ଏହି ଦରବାରରେ ଭକ୍ତଙ୍କ ଆସ୍ଥା ଏବଂ ବିଶ୍ୱାସର ବନ୍ୟା ଦେଖିବାକୁ ମିଳିଥାଏ l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।