14 OCTOBER 2026

Welcome!

Unlock your personalized experience.
Sign Up

Migrant: ଏବେ ଫେରୁଛନ୍ତି ଦାଦନ: ଶ୍ରମ ବିଭାଗ ନିକଟରେ ନାହିଁ ତଥ୍ୟ

Oct 14, 2026 - 02:55
Migrant: ଏବେ ଫେରୁଛନ୍ତି ଦାଦନ: ଶ୍ରମ ବିଭାଗ ନିକଟରେ ନାହିଁ ତଥ୍ୟ

ମାଲକାନଗିରି: କାନ୍ଧରେ ବ୍ୟାଗ୍‌, ମୁହଁରେ ଘରକୁ ଫେରିବାର ଖୁସି। ସକାଳୁ ସକାଳୁ ମାଲକାନଗିରି ବସ୍‌ଷ୍ଟାଣ୍ଡରେ ଲାଗୁଥିବା ଆନ୍ତଃରାଜ୍ୟ ବସ୍‌ରୁ ଏମିତି କିଛି ଚେହେରା ଓହ୍ଲାଉଛନ୍ତି। ବସ୍‌ଷ୍ଟାଣ୍ଡରେ ଚା’ ଜଳଖିଆ ଖାଇ ଗାଁରେ ପହଞ୍ଚିବା ପାଇଁ ପୁଣି ବସ୍‌ ସନ୍ଧାନ କରୁଛନ୍ତି। ଦଶହରା ପୂଜା ପୂର୍ବରୁ ପ୍ରତିଦିନ ଶହ ଶହ ଶ୍ରମିକ ବାହାର ରାଜ୍ୟରୁ ଫେରୁଥିବା କିଛି ଦିନ ହେଲା ଦେଖିବାକୁ ମିଳିଛି।

Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ

ଶିଳ୍ପବିହୀନ ମାଲକାନଗିରି ଜିଲ୍ଲାରେ ଚାଷ ହିଁ ଜୀବିକାର ପ୍ରମୁଖ ସ୍ରୋତ। ତେବେ ପାଣିପାଗରେ ପରିବର୍ତ୍ତନ ଏବଂ ଜଳସେଚନ ଅଭାବ ଯୋଗୁଁ ଚାଷରେ ବିଶେଷ ଲାଭ ମିଳୁନାହିଁ, ଯାହା ଜିଲ୍ଲାର ହଜାର ହଜାର ଶ୍ରମିକଙ୍କୁ ଭିଟାମାଟି ଛାଡ଼ି ଦାଦନ ଯିବାକୁ ବାଧ୍ୟ କରିଛି। ବର୍ଷର ୬ରୁ ୯ମାସ ଏହି ଶ୍ରମିକ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ତାମିଲନାଡ଼ୁରେ କାମ କରୁଛନ୍ତି। ପାର୍ବଣ ତଥା ଧାନକଟା ସମୟରେ ହିଁ କିଛି ଦିନ କିମ୍ବା କିଛି ମାସ ପାଇଁ ଗାଁକୁ ଫେରୁଛନ୍ତି। ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ସଞ୍ଚିତ ରୋଜଗାର ଟଙ୍କା ଧରି ଗାଁକୁ ଆସୁଛନ୍ତି। ଧାନକଟା ସରିବା ପରେ ପୁଣି ଦଳ ଦଳ ହୋଇ ଗାଁ ଛାଡ଼ିବେ। ଅନ୍ୟପକ୍ଷରେ, ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ଯିବା ଓ ଫେରିବା ସମ୍ପର୍କରେ ଶ୍ରମ ବିଭାଗ ପାଖରେ ତଥ୍ୟ ନାହିଁ। ପ୍ରତିବର୍ଷ କେତେ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି ଏବଂ କେତେ ଫେରୁଛନ୍ତି, ତାହାର ହିସାବ ମଧ୍ୟ ଶ୍ରମ ବିଭାଗ ରଖୁନାହିଁ। ବେସରକାରୀ ତଥ୍ୟ ଅନୁସାରେ ମାଥିଲି ଏବଂ ଖଇରପୁଟ ବ୍ଲକ୍‌ର ବଣ୍ଡାଘାଟିରୁ ସର୍ବାଧିକ ଶ୍ରମିକ ଏବେ ରାଜ୍ୟ ବାହାରେ ମୂଲ ଲାଗୁଛନ୍ତି।

Neglect: ‘ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର’

ଆଇନ କଡ଼ାକଡ଼ି ଭାବେ ପାଳନ ହେଉନଥିବାରୁ ଦୁର୍ଗମ ଅଞ୍ଚଳର ନିରୀହ ଲୋକଙ୍କୁ ପ୍ରଲୋଭିତ କରି ନେଇ ଯାଉଛନ୍ତି ଦଲାଲ୍‌। ରାଜ୍ୟ ବାହାରକୁ ଯିବା ପରେ ଅନେକ ସମୟରେ ଦାଦନ ଶ୍ରମିକ ନିର୍ଯାତିତ କିମ୍ବା ଶୋଷଣର ଶିକାର ହେଉଥିବା ସାମନାକୁ ଆସୁଛି। ଏପରିକି କିଛି ଶ୍ରମିକ ଅବହେଳା କିମ୍ବା ଅନ୍ୟ କାରଣରୁ ଅକାଳରେ ପ୍ରାଣ ହରାଉଛନ୍ତି। କିନ୍ତୁ ସେମାନଙ୍କ ପରିବାରକୁ ବିଶେଷ କୌଣସି ସରକାରୀ ସହାୟତା ମିଳେନାହିଁ। ଚିନ୍ତାର ବିଷୟ ହେଲା, ଅନେକ ନାବାଳକ ଦଲାଲ୍‌ଙ୍କ ପ୍ରରୋଚନାରେ ରୋଜଗାର ଲାଗି ଘର ଛାଡ଼ିଥାନ୍ତି। ବାରମ୍ବାର ଧରପଗଡ଼ ସତ୍ତ୍ବେ ଶିଶୁ ଶ୍ରମିକ ଚାଲାଣରେ ରୋକ୍‌ ଲାଗିପାରୁନି। ଶ୍ରମିକଙ୍କ ସୁରକ୍ଷା, ଉଚିତ ମଜୁରି ଓ ଶୋଷଣରୁ ମୁକ୍ତି ସୁନିଶ୍ଚିତ କରିବା ସହ ଦାଦନ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ଶ୍ରମ ବିଭାଗ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ଦାବି ହୋଇଛି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଦାୟିତ୍ବରେ ଥିବା ପୂର୍ଣ୍ଣିମା ଡୁରୁକାଙ୍କୁ ପଚାରିବାରୁ ତାଙ୍କ ନିକଟରେ ଠିକ୍‌ ତଥ୍ୟ ନ ଥିବା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।