Milk Powder Used in Chhena Production: ପନିର ନାଁରେ ବିଷ ବେପାରର ଭାଣ୍ଡାଫୋଡ୍, ପାହାଳ ମାର୍କେଟରେ ରେଡ୍ ବେଳେ କିଛି ମିଠା ଦୋକାନୀ ଛୁ'
ଆପଣ ଖାଉଥିବା ମିଠା ପାଇଁ ଛେନା କେମିତି ପ୍ରସ୍ତୁତ ହେଉଛି ଜାଣନ୍ତୁ। ବାଲେଶ୍ବର ସୋର ଅଞ୍ଚଳରୁ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ଛେନା ପ୍ରସ୍ତୁତ ହୋଇ ମାର୍କେଟକୁ ଯାଉଛି। ହେଲେ ଆଜି ଜାଣି ନିଅନ୍ତୁ ଛେନା ପାଇଁ କ୍ଷୀର କେଉଁଠୁ ଆସୁଛି। ବସ୍ତା ବସ୍ତା ମିଲ୍କ ପାଉଡର୍ ଗୁଣ୍ଡରେ ହାଣ୍ଡି ହାଣ୍ଡି ଛେନା ତିଆରି ହେଉଛି। କାଦୁଅ ପଚପଚ ପରିବେଶ, ଗାଡିଆର ପଚାପାଣିରେ ପ୍ରସ୍ତୁତ ହେଉଛି ଆପଣଙ୍କ ପେଟକୁ ଯାଉଥିବା ଏହି ଛେନା ଓ ପନିର। ଏସବୁ ଜାଣିବା ପରେ ନିଜେ ଚିନ୍ତା କରନ୍ତୁ, ଏସବୁ ଖାଦ୍ୟ ସାମଗ୍ରୀ ଆପଣଙ୍କ ପାଇଁ ହିତକାରକ ନା କ୍ଷତିକାରକ। ଏବେ ଟିକେ ଶୁଣି ନିଅନ୍ତୁ କଣ କହୁଛନ୍ତି ଛେନା ପ୍ରସ୍ତୁତକାରୀ।
ଏଣେ ନକଲି ଓ ଅପମିଶ୍ରିତ ପନିର ଓ ଛେନାକୁ ନେଇ ସାରା ରାଜ୍ୟରେ ଜାରି ରହିଛି ଧରପଗଡ଼। ଆଜି ପାହାଳ ମିଠା ମାର୍କେଟ୍ ରେ ଅଚାନକ ରେଡ୍ କରିଥିଲା ବିଏମସି ଖାଦ୍ୟ ସୁରକ୍ଷା ଟିମ୍। ସାଥିରେ ଥିଲେ ଫୁଡ୍ ସେଫଟି ମୋବାଇଲ୍ ୟୁନିଟ୍। ଘଟଣାସ୍ଥଳରେ ହିଁ ଅସଲି-ନକଲିର ପରୀକ୍ଷା କରାଯାଇଥିଲା। ସମସ୍ତ ମିଠା ଦୋକାନରୁ ସାଂପୁଲ୍ ସଂଗ୍ରହ କରି ଲାବ୍ କୁ ପଠାଯାଇଛି। ତେବେ ଗୋଟିଏ ପଟେ ଯାଞ୍ଚ ଚାଲିଥିବା ବେଳେ ଅନ୍ୟପଟେ ଏକାଧିକ ମିଠା ଦୋକାନୀ ସଟର୍ ପକାଇ ଦୋକାନ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ଅନେକ ଦୋକାନ ବନ୍ଦ ଥିବା ଦେଖି ସନ୍ଦେହ ପ୍ରକଟ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ଆଗକୁ ସରପ୍ରାଇଜ୍ ରେଡ୍ କରାଯିବ ବୋଲି କହିଛନ୍ତି ଫୁଡ୍ ସେଫ୍ଟି ଅଫିସର୍। କେବଳ ପାହାଳ ନୁହେଁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମାର୍କେଟରେ ଥିବା ମିଠା ଦୋକାନଗୁଡିକରେ ମଧ୍ୟ ଯାଞ୍ଚ କରାଯାଇଛି।
ଗୋଟିଏ ପଟେ ମିଠା ମାର୍କେଟରେ ଚଢାଉ, ଅନ୍ୟପଟେ ନକଲି ଛେନାକୁ ନେଇ ଜୋରଦାର ଧରପଗଡ଼, ଏସବୁ ଭିତରେ କିନ୍ତୁ ହନ୍ତସନ୍ତ ହେଉଥିବା କହିଛନ୍ତି ପ୍ରକୃତ ଦୁଗ୍ଧ ଚଷୀ। ବଜାରରୁ ଏବେ ଛେନା ପନିର କିଣିବା ପାଇଁ କେହି ରାଜି ହେଉ ନଥିବାରୁ, ଚାଷୀ ଦୁଗ୍ଧ ବିକ୍ରି କରିପାରୁନଥିବା ଅଭିଯୋଗ ହୋଇଛି। ଟଙ୍କା ଅଭାବରୁ ଗୋଖାଦ୍ୟ କିଣିବା ଏବେ କଷ୍ଟକର ବୋଲି କହିଛନ୍ତି ଚାଷୀ। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଯେତେ ଦୁଗ୍ଧ ଚାଷୀ ଓମ୍ଫେଡ ସହ ଅନୁବନ୍ଧିତ ହୋଇଛନ୍ତି ସେମାନଙ୍କଠାରୁ ସରକାର ପୂର୍ବଭଳି କ୍ଷୀର କିଣୁଛନ୍ତି। ଯେଉଁମାନେ ଅଭିଯୋଗ କରୁଛନ୍ତି ତାର ବାସ୍ତବତା ନାହିଁ। ଯେଉଁମାନେ କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବାହାରେ ବିକ୍ରି କରୁଥିଲେ ସେମାନଙ୍କ ଉପରେ ଧରପଗଡ଼ ହେଉଥିବ। ଚାଷୀଙ୍କ ଠାରୁ ଯେତେ କ୍ଷୀର ଆସିବ ତାକୁ କିଣିବାକୁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।