Milk Procurement Drops: ଅପମିଶ୍ରିତ ପନିର ଚଢ଼ାଉରେ ଚାଷୀଙ୍କ ଚିନ୍ତା, କମିଲା କ୍ଷୀର କିଣା
ରାତି ପାହିଲେ ଲାଗୁଥିଲା ବ୍ୟବସାୟୀଙ୍କ ଲମ୍ବା ଧାଡି। ବୁହା ହେଉଥିଲା କ୍ୟାନ୍ କ୍ୟାନ୍ କ୍ଷୀର। ଗାଡିରେ ଭର୍ତ୍ତି ହୋଇ ଯାଉଥିଲା ଶହ ଶହ ଲିଟର। ଚାଲିଥିଲା ମାସିକିଆ ଅର୍ଡର। ହେଲେ ଏବେ ଅଧା ହୋଇଯାଇଛି ବିକ୍ରି। ବଜାରରେ ଏମିତି ଘନ ଘନ ଚଢାଉ ଚାଲିଛି ଯେ, ପନିର ଓ ଛେନା ନାଁ ଶୁଣିଲା ବେଳକୁ ଗ୍ରାହକ ମୁହଁ ଆମ୍ବିଳ ହୋଇଯାଉଛି। ଦୋକାନରେ ପନିର ବେପାର ମାନ୍ଦା ହେବା ସହ କମିଛି ତିଆରି। ଆଉ ତାସହ ତାଳ ଦେଇ କମିଯାଇଛି ଚାଷୀଙ୍କ ଠାରୁ କ୍ଷୀର କିଣା। ଚାଷୀ ପୂର୍ବରୁ ବହଳ କ୍ଷୀର ଦେଉଥିଲା, ଏବେବି ଦେଉଛି। ହେଲେ କିଛି ଅସାଧୁ ବ୍ୟବସାୟୀଙ୍କ ଅପମିଶ୍ରିତ ପନିର ପାଇଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ଏମିତି ଘାଟା ଜାରି ରହିଲେ, ଗାଈଙ୍କୁ କେମିତି ପାଳିବୁ, କଣ ଖାଇବାକୁ ଦେବୁ ଏବଂ ପରିବାର କେମିତି ପୋଷିବୁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ।
ଚାଷୀ କେବଳ କ୍ଷୀର ଯୋଗାଉନଥିଲା, ପନିର ଓ ଛେନା ବି ଦେଉଥିଲା। ନିତିଦିନିଆ ଦୋକାନ ହେଉ କି ହୋଟେଲ, କୁଇଣ୍ଟାଲ କୁଇଣ୍ଟାଲ ପନିର ସହ ପ୍ରତିଦିନ ଯାଉଥିଲା ଶହ ଶହ କିଲୋ ଛେନା। ଭୋଜି ଭାତ ଅର୍ଡର ଅଲଗା। ଏବେ ବଜାରରେ ଅପମିଶ୍ରିତ ଚହଳ ପରେ ପ୍ରଭାବିତ ହୋଇଛି ବେପାର।
ସେପଟେ ଅପମିଶ୍ରିତ ପନିର ଓ ଛେନା ଉପରେ ଚାଲିଛି ନନଷ୍ଟପ୍ ଚଢାଉ। ଆଗକୁ ରାକ୍ଷୀ ଥିବାରୁ ବଢିବ ମିଠାର ଚାହିଦା। ତେଣୁ ଭୁବନେଶ୍ବର ସିଆରପି ଛକଥିବା ମିଠା ଦୋକାନରେ ପଶିଛି ବିଏମ୍ସି ସ୍ବାସ୍ଥ୍ୟ ବିଭାଗ। ବିଭିନ୍ନ ମିଠାରେ ମିଶୁଥିବା ଛେନାର ମାନ ଯାଞ୍ଚ କରାଯାଇଛି। ଯେଉଁଠି ବାସୀ ମିଠା ମିଳୁଛି ତାକୁ ନଷ୍ଟ କରିବା ସହ ଦୋକାନୀଙ୍କୁ ହେଉଛି ଜରିମାନା।
ଛେନା, କ୍ଷୀର, ଖୁଆ ଓ ରାବିଡି ପାଇଁ ପରିଚିତ ପୁରୀରେ ବି ଘନ ଘନ ରେଡ୍। ବଡଦାଣ୍ଡରୁ ଅଠରନଳା ପର୍ଯ୍ୟନ୍ତ ବିଭିନ୍ନ ମିଠା ଦୋକାନରେ ଚଢାଉ କରିଛି ପିଏମସି ଓ ସ୍ବାସ୍ଥ୍ୟ ବିଭାଗ। ଅପମିଶ୍ରଣ ନେଇ କିଛି ଦୋକାନରୁ ପନିର ଓ ଖୁଆ ନଷ୍ଟ କରାଯାଇଥିବା ବେଳେ ଆଉ କିଛି ଦୋକାନରୁ ନମୁନା ସଂଗ୍ରହ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଚଢାଉର ବଡ ପ୍ରଭାବ ପଡିଛି ବଜାରରେ। କମିଛି ଅପମିଶ୍ରିତ ପନିର ଓ ଛେନାର ବିକ୍ରି। ସତର୍କ ସହ ସଚେତନ ହୋଇଛନ୍ତି ବ୍ୟବସାୟୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।