Minister Rekha Arya’s Husband Arrested: ଶେଷରେ ଧରାପଡ଼ିଲେ ମନ୍ତ୍ରୀଙ୍କ ସ୍ୱାମୀ, ଝାନ୍ସୀରୁ ଗିରଫ କଲା ପୋଲିସ
ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ୱାମୀ ଗିରିଧାରୀ ଲାଲ୍ ସାହୁ ଓରଫ୍ ପପ୍ପୁ ଗିରିଧାରୀଙ୍କୁ ଶେଷରେ ଗିରଫ କରିଛି ପୋଲିସ।
ଉତ୍ତରପ୍ରଦେଶର ଝାନ୍ସୀରୁ ତାଙ୍କୁ ଧରିଛି ଡେରାଡୁନ୍ ପୋଲିସ।
ପତ୍ନୀଙ୍କ ଅଭିଯୋଗ ପରେ ଗତ ଅକ୍ଟୋବର ୧୫ ତାରିଖରୁ ସେ ଫେରାର ଥିଲେ।
ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରୁଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳୁନଥିଲା।
ଶେଷରେ ଝାନ୍ସୀରୁ ଗିରଫ ହେବା ପରେ ଏହି ହାଇପ୍ରୋଫାଇଲ୍ ମାମଲା ପୁଣି ଚର୍ଚ୍ଚାକୁ ଆସିଛି।
Advertisment ସୂଚନା ଅନୁସାରେ, ଉତ୍ତରାଖଣ୍ଡ ସରକାରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ରେଖା ଆର୍ଯ୍ୟ ଗତ ଅକ୍ଟୋବର ୧୫ ତାରିଖରେ ଡେରାଡୁନର କ୍ୟାଣ୍ଟ ଥାନାରେ ସ୍ୱାମୀ ଗିରିଧାରୀ ଲାଲ୍ଙ୍କ ବିରୋଧରେ ଏତଲା ଦେଇଥିଲେ।
ତାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ତାଙ୍କୁ ନିର୍ଯାତନା ଦେବା ସହ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ହତ୍ୟା ପାଇଁ ଯୋଜନା କରିଥିଲେ।
ଏହି ଗୁରୁତର ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ମାମଲାର ଗମ୍ଭୀରତାକୁ ଦେଖି ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ମଧ୍ୟ ଗଠନ କରାଯାଇଥିଲା।
ଗିରଫଦାରୀରୁ ବର୍ତ୍ତିବା ପାଇଁ ଗିରିଧାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
କିନ୍ତୁ ତାଙ୍କୁ ସେଠାରୁ ଆଶ୍ୱସ୍ତି ମିଳିନଥିଲା।
ତାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା।
ଏହାପରେ ନଭେମ୍ବର ୪ ତାରିଖରେ ଉତ୍ତରାଖଣ୍ଡ ହାଇକୋର୍ଟ ଏତଲା ରଦ୍ଦ କରିବା ଏବଂ ଗିରଫଦାରୀ ଉପରେ ରୋକ୍ ଲଗାଇବା ପାଇଁ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ।
Advertisment ତେବେ ଏହି ବିବାଦ କେବଳ ରେଖା ଆର୍ଯ୍ୟଙ୍କ ଅଭିଯୋଗରେ ସୀମିତ ରହିନଥିଲା।
ପପ୍ପୁ ଗିରିଧାରୀ ମଧ୍ୟ ନିଜ ପତ୍ନୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଥିଲେ।
ଉଭୟ ପକ୍ଷଙ୍କ ପାଲଟା ଅଭିଯୋଗ ମଧ୍ୟରେ ମାମଲାଟି ରାଜନୈତିକ ଓ ସାମାଜିକ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା।
ଏବେ ଗିରଫ ପରେ ପୋଲିସର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ, ତଦନ୍ତରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସିବ ଏବଂ ଉଭୟ ପକ୍ଷଙ୍କ ଅଭିଯୋଗର ସତ୍ୟତା କ'ଣ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।