Miracle Rescue in Nepal: ‘ଏଭଳି ଘଟଣା ବିଶ୍ୱ କେବେ ଦେଖିନାହିଁ’: ନେପାଳର ଉଦ୍ଧାର ଅଭିଯାନକୁ ବିଶେଷଜ୍ଞଙ୍କ ପ୍ରଶଂସା

Sep 04, 2026 - 19:20
Miracle Rescue in Nepal: ‘ଏଭଳି ଘଟଣା ବିଶ୍ୱ କେବେ ଦେଖିନାହିଁ’: ନେପାଳର ଉଦ୍ଧାର ଅଭିଯାନକୁ ବିଶେଷଜ୍ଞଙ୍କ ପ୍ରଶଂସା

ନେପାଳର ତ୍ରିଶୂଳୀ-୩ଏ ଟନେଲ ସ୍ଥଳରୁ ଦୁଇଜଣ ବିଦ୍ୟୁତ ପ୍ରକଳ୍ପ କର୍ମଚାରୀଙ୍କୁ ଜୀବିତ ଉଦ୍ଧାର କରାଯିବା ଘଟଣା କୌଣସି ଚମତ୍କାରଠାରୁ କମ୍ ନୁହେଁ। ପ୍ରସିଦ୍ଧ ଟନେଲ ଉଦ୍ଧାର ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଏହି ଉଦ୍ଧାର ଅଭିଯାନକୁ ‘ଅସାଧାରଣ’ ବୋଲି ବର୍ଣ୍ଣନା କରିବା ସହ ଏଭଳି ଘଟଣା ବିଶ୍ୱ ପୂର୍ବରୁ ଦେଖିନଥିବା କହିଛନ୍ତି।

ସିଡନୀରେ ରହି ନେପାଳର ଉଦ୍ଧାର ଅଭିଯାନକୁ ମାର୍ଗଦର୍ଶନ କରୁଥିବା ଡିକ୍ସ ଗଣମାଧ୍ୟମକୁ କହିଛନ୍ତି, ଏହା ଉଦ୍ଧାରକାରୀ ଦଳ ପାଇଁ ଏକ ବିରାଟ ବିଜୟ। ଦୁଇଜଣଙ୍କୁ ଜୀବିତ ବାହାର କରି ଆଣିବା ଅତ୍ୟନ୍ତ ଅସାଧାରଣ।
୨୦୨୩ ମସିହାର ଉତ୍ତରାଖଣ୍ଡ ଟନେଲ ଉଦ୍ଧାର ଅଭିଯାନରେ ନିଜ ଭୂମିକା ପାଇଁ ଭାରତରେ ବେଶ୍ ପରିଚିତ ହୋଇଥିବା ଡିକ୍ସ ନେପାଳର ଏହି ଅଭିଯାନକୁ ବିଶ୍ୱରେ ଏକ ଅଭୂତପୂର୍ବ ଉଦ୍ଧାର କାର୍ଯ୍ୟ ବୋଲି କହିଛନ୍ତି।

ବନ୍ୟା ପରେ ଟନେଲରେ ଫସିଥିଲେ କର୍ମଚାରୀ

ଅଗଷ୍ଟ ୨୬ ତାରିଖରେ ରାସୁୱାର ଭୋଟେ କୋଶୀ ନଦୀରେ ଭୟଙ୍କର ଆକସ୍ମିକ ବନ୍ୟା ଆସିବା ପରେ ଜଳବିଦ୍ୟୁତ ପ୍ରକଳ୍ପର ତ୍ରିଶୂଳୀ-୩ଏ ଟନେଲ ଅବରୋଧ ହୋଇଯାଇଥିଲା। ଫଳରେ ଏହା ଭିତରେ ଅନେକ ଶ୍ରମିକ ଫସି ଯାଇଥିଲେ।
ଏହା ପରଠାରୁ ନେପାଳୀ ସେନାର ନେତୃତ୍ୱରେ ଉଦ୍ଧାରକାରୀ ଦଳ ନିଖୋଜ ଓ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଦିନରାତି ଉଦ୍ୟମ ଚଳାଇଥିଲେ। ଟନେଲକୁ ଅବରୋଧ କରିଥିବା ବଡ଼ ବଡ଼ ପଥର, କାଦୁଅ ଓ ଆବର୍ଜନା ହଟାଇବାରେ ଉଦ୍ଧାରକାରୀମାନେ ଲାଗିଥିଲେ।
ଶୁକ୍ରବାର ତ୍ରିଶୂଳୀ ନଦୀ ଉପତ୍ୟକାରେ ଭୟଙ୍କର ବନ୍ୟା ଆସିବାର ୧୦ମ ଦିନ ଥିଲା। ଏହି ବନ୍ୟା ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା।

ଟନେଲ ଭିତରକୁ ପଠାଯାଉଥିଲା ସ୍ୱଚ୍ଛ ବାୟୁ

ଉଦ୍ଧାରକାରୀ ଦଳ ଅନେକ ଦିନ ଧରି ଏକ୍ସାଭେଟର ମାଧ୍ୟମରେ ଟନେଲରୁ ଟନ୍ ଟନ୍ ଆବର୍ଜନା ହଟାଇଥିଲେ। ଏହା ସହିତ ଟନେଲ ଭିତରକୁ ପାଇପ୍ ପଠାଇ ସ୍ୱଚ୍ଛ ବାୟୁ ପମ୍ପ କରାଯାଉଥିଲା, ଯାହା ଫଳରେ ଭିତରର ବାୟୁ ବିଷାକ୍ତ ହୋଇନଥିଲା।

ଡିକ୍ସ କହିଛନ୍ତି ଯେ, ଏହି ଉଦ୍ଧାର ଅଭିଯାନ ସମଗ୍ର ବିଶ୍ୱରେ ଭିନ୍ନ ଓ ପ୍ରଥମ। ତାଙ୍କ କହିବା ଅନୁସାରେ, ଏହି ଘଟଣା ଉଦ୍ଧାର କାର୍ଯ୍ୟ ସମ୍ପର୍କିତ ପୁରୁଣା ଧାରଣାକୁ ନୂଆ ଭାବେ ଲେଖିବାକୁ ବାଧ୍ୟ କରିବ।
ସେ କହିଛନ୍ତି, “ଏହି ଉଦ୍ଧାର ଅଭିଯାନ ପୁସ୍ତକରେ ଥିବା ପୁରୁଣା ଧାରଣାକୁ ବଦଳାଇଦେବ। କାରଣ ପୂର୍ବରୁ କେବେ ଏଭଳି ପରିସ୍ଥିତି ଦେଖାଯାଇନଥିଲା, ଯେଉଁଠାରେ ଏକାଧିକ ବିଦ୍ୟୁତ କେନ୍ଦ୍ର ଧ୍ୱଂସ ହୋଇଥିବା ସହ ଅନେକ ଟନେଲରେ ଏକାସାଙ୍ଗରେ ଉଦ୍ଧାର ଅଭିଯାନ ଚାଲିଥିଲା। ଏଭଳି କାର୍ଯ୍ୟ ବିଶ୍ୱ ପୂର୍ବରୁ କେବେ କରିନାହିଁ।” 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।