Mirzapur Crosses Rs 212 Crore: ବକ୍ସ ଅଫିସ୍ରେ ‘ମିର୍ଜାପୁର’ ରାଜ୍! ସାତ ଦିନରେ ବିଶ୍ୱବ୍ୟାପୀ ୨୧୨ କୋଟିରୁ ଅଧିକ ଆୟ
ବଡ଼ ପରଦାରେ ‘ମିର୍ଜାପୁର’ର ଦବଦବା। ପ୍ରାଇମ୍ ଭିଡିଓର ଲୋକପ୍ରିୟ ସିରିଜ୍ରୁ ସିନେମା ହଲ୍ ପର୍ଯ୍ୟନ୍ତ ପହଞ୍ଚିଥିବା ‘ମିର୍ଜାପୁର: ଦ ମୁଭି’ ରିଲିଜ୍ର ପ୍ରଥମ ସପ୍ତାହରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇଛି। ୪ ସେପ୍ଟେମ୍ବରରେ ଜବରଦସ୍ତ ଓପନିଂ କରିଥିବା ଏହି ଫିଲ୍ମ ସପ୍ତାହ ଶେଷ ସହ ପ୍ରଥମ ସପ୍ତାହର ଅଧିକାଂଶ ଦିନରେ ବକ୍ସ ଅଫିସ୍ରେ ନିଜ ଗତି ବଜାୟ ରଖିଛି।
ସାତ ଦିନରେ ଫିଲ୍ମର ବିଶ୍ୱବ୍ୟାପୀ ଗ୍ରସ୍ କଲେକ୍ସନ୍ ୨୦୦ କୋଟି ଟଙ୍କା ପାର୍ କରିଛି। ତେବେ ଆଗାମୀ ଦିନରେ ନୂଆ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ‘ମିର୍ଜାପୁର: ଦ ମୁଭି’ର ବକ୍ସ ଅଫିସ୍ ଦବଦବା କେତେଦିନ ଜାରି ରହୁଛି, ତା’ ଉପରେ ନଜର ରହିଛି।
ସପ୍ତମ ଦିନରେ କେତେ କମାଇଲା ଫିଲ୍ମ?
Sacnilkର ତାଜା ତଥ୍ୟ ଅନୁସାରେ, ସପ୍ତମ ଦିନରେ ‘ମିର୍ଜାପୁର: ଦ ମୁଭି’ ଭାରତରେ ୧୦.୫୫ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି। ଏହା ସହିତ ଭାରତରେ ଫିଲ୍ମର ମୋଟ ନେଟ୍ କଲେକ୍ସନ୍ ୧୪୮.୪୫ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଭାରତରେ ଗ୍ରସ୍ କଲେକ୍ସନ୍ ୧୭୬.୯୪ କୋଟି ଟଙ୍କା ହୋଇଛି।
ବୁଧବାର ଫିଲ୍ମ ୧୨.୫୫ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଥିଲା। ଏହା ତୁଳନାରେ ଗୁରୁବାର ଆୟରେ ପ୍ରାୟ ୧୫.୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ତଥାପି ସପ୍ତମ ଦିନରେ ଫିଲ୍ମ ୧୦ କୋଟି ଟଙ୍କାରୁ ଅଧିକ କମାଇବାରେ ସଫଳ ହୋଇଛି।
ନାଇଟ୍ ଶୋ’ରେ ସର୍ବାଧିକ ଅକ୍ୟୁପାନ୍ସି
ଗୁରୁବାର ଫିଲ୍ମର ମୋଟ ହିନ୍ଦୀ ଅକ୍ୟୁପାନ୍ସି ୨୭.୫୮ ପ୍ରତିଶତ ରହିଥିଲା। ସକାଳ ଶୋ’ରେ ୧୩.୩୧ ପ୍ରତିଶତ ଅକ୍ୟୁପାନ୍ସି ଥିବାବେଳେ ଅପରାହ୍ଣ ଶୋ’ରେ ଏହା ୨୪.୬୯ ପ୍ରତିଶତ ରହିଥିଲା। ସନ୍ଧ୍ୟା ଶୋ’ରେ ଅକ୍ୟୁପାନ୍ସି ୨୭.୦୮ ପ୍ରତିଶତକୁ ବଢ଼ିଥିବାବେଳେ ରାତି ଶୋ’ରେ ଏହା ୪୩ ପ୍ରତିଶତ ଛୁଇଁଥିଲା। ଅର୍ଥାତ୍ ଦିନ ଅପେକ୍ଷା ସନ୍ଧ୍ୟା ଓ ରାତିରେ ଦର୍ଶକଙ୍କ ଭିଡ଼ ଅଧିକ ରହିଥିଲା।
ବିଶ୍ୱବ୍ୟାପୀ ୨୧୨ କୋଟିରୁ ଅଧିକ କଲେକ୍ସନ୍
ବିଦେଶରେ ମଧ୍ୟ ଫିଲ୍ମ ଭଲ ପ୍ରଦର୍ଶନ କରୁଛି। ସପ୍ତମ ଦିନରେ ଇଣ୍ଟରନ୍ୟାସନାଲ୍ ମାର୍କେଟ୍ରୁ ପ୍ରାୟ ୨.୫୦ କୋଟି ଟଙ୍କା ଆୟ ହୋଇଛି। ଏହା ସହିତ ଓଭରସିଜ୍ ଗ୍ରସ୍ କଲେକ୍ସନ୍ ୩୫.୫୦ କୋଟି ଟଙ୍କାରେ ପହଞ୍ଚିଛି। ଭାରତରେ ୧୭୬.୯୪ କୋଟି ଟଙ୍କା ଓ ବିଦେଶରେ ୩୫.୫୦ କୋଟି ଟଙ୍କାର ଗ୍ରସ୍ କଲେକ୍ସନ୍ ସହ ସାତ ଦିନରେ ଫିଲ୍ମର ୱାର୍ଲ୍ଡୱାଇଡ୍ ଗ୍ରସ୍ କଲେକ୍ସନ୍ ପ୍ରାୟ ୨୧୨.୪୪ କୋଟି ଟଙ୍କା ହୋଇଛି।
କେମିତି ରହିଛି ବକ୍ସ ଅଫିସ୍ ଯାତ୍ରା?
‘ମିର୍ଜାପୁର: ଦ ମୁଭି’ ଭାରତରେ ୨୫.୭୫ କୋଟି ଟଙ୍କାର ନେଟ୍ କଲେକ୍ସନ୍ ସହ ଓପନିଂ କରିଥିଲା। ଶନିବାର ପ୍ରାୟ ୩୨ କୋଟି ଏବଂ ରବିବାର ୩୬ କୋଟି ଟଙ୍କା ଆୟ କରିଥିଲା। ସୋମବାର ପ୍ରାୟ ୧୬ କୋଟି, ମଙ୍ଗଳବାର ୧୫.୬୦ କୋଟି ଏବଂ ବୁଧବାର ୧୨.୫୫ କୋଟି ଟଙ୍କା କଲେକ୍ସନ୍ କରିଥିଲା। ସପ୍ତମ ଦିନରେ ଏହା ୧୦.୫୫ କୋଟି ଟଙ୍କାକୁ ଖସିଛି।
‘ମିର୍ଜାପୁର: ଦ ମୁଭି’ରେ କିଏ କିଏ?
୨୦୧୮ରେ ପ୍ରାଇମ୍ ଭିଡିଓରେ ଆରମ୍ଭ ହୋଇଥିବା ‘ମିର୍ଜାପୁର’ ଦୁନିଆକୁ ଏହି ଫିଲ୍ମ ବଡ଼ ପରଦାରେ ଆଗକୁ ନେଇଛି। ଗୁରମୀତ ସିଂହ ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ପୁନୀତ କୃଷ୍ଣା ଏହାର ଲେଖକ। ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ରିତେଶ ସିଧୱାନୀ ଓ ଫରହାନ୍ ଅଖତର ଏହାକୁ ପ୍ରଯୋଜନା କରିଛନ୍ତି।
ଫିଲ୍ମରେ ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଦିବ୍ୟେନ୍ଦୁ, ଜିତେନ୍ଦ୍ର କୁମାର, ରବି କିଶନ, ଅଭିଷେକ ବାନାର୍ଜୀ, ରସିକା ଦୁଗଲ, ଶ୍ୱେତା ତ୍ରିପାଠୀ, ଶ୍ରିୟା ପିଲଗାଓଁକର, ହର୍ଷିତା ଗୌର, ଶୀବା ଚଡ୍ଢା, ରାଜେଶ ତୈଲଙ୍ଗ ଓ କୁଲଭୂଷଣ ଖରବନ୍ଦାଙ୍କ ସମେତ ଅନେକ ପରିଚିତ ମୁହଁ ନଜର ଆସିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।