Why Amitabh Bachchan Still Regrets: ସଫଳତାର ଶିଖରରେ ପହଞ୍ଚିଥିଲେ ବି ଅମିତାଭଙ୍କ ଜୀବନରେ ରହିଯାଇଛି ଏହି ଗୋଟିଏ ଅଧୁରା ସ୍ୱପ୍ନ
ନିଜର ଦମଦାର ଅଭିନୟ, ଗମ୍ଭୀର କଣ୍ଠସ୍ୱର ଏବଂ ଅନନ୍ୟ ବ୍ୟକ୍ତିତ୍ୱ ପାଇଁ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ। ଜୀବନରେ ସଫଳତାର ପ୍ରାୟ ସମସ୍ତ ଶିଖର ଛୁଇଁଥିବା ଏହି ଅଭିନେତାଙ୍କ ମନରେ କିନ୍ତୁ ଆଜି ବି ରହିଛି ଏକ ଅଧୁରା ଇଚ୍ଛା। ଆଉ ସେହି ଇଚ୍ଛା ପୂରଣ ନ ହୋଇପାରିଥିବାରୁ ତାଙ୍କୁ ଆଜି ବି ଦୁଃଖ ଲାଗେ।
‘କୌନ ବନେଗା କରୋଡପତି-୧୮’ର ଏକ ଆଗାମୀ ଏପିସୋଡ୍ରେ ଅମିତାଭ ନିଜ ମନର ଏହି କଥା ଖୋଲି କହିଛନ୍ତି। ଶୋ’ର ପ୍ରତିଯୋଗୀ କୃତଜ୍ଞା ନୈୟରଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସଙ୍ଗୀତ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲେ ମଧ୍ୟ ସେ କେବେ ସଙ୍ଗୀତ ଶିଖିପାରିନାହାନ୍ତି।
ଶୋ’ ସମୟରେ କୃତଜ୍ଞା, ଅମିତାଭଙ୍କୁ ଲୋକପ୍ରିୟ ଗେମ୍ ‘This or That’ ଖେଳିବାକୁ ଅନୁରୋଧ କରିଥିଲେ। ସେ ମଜାଳିଆ ଢଙ୍ଗରେ କହିଥିଲେ, “ସାର୍, ମୁଁ ଆପଣଙ୍କୁ କହିଥିଲି ଯେ ମୁଁ କଣ୍ଟେଣ୍ଟ ତିଆରି କରେ। କିନ୍ତୁ ଏହି ଦେଶରେ ଆପଣଙ୍କଠାରୁ ବଡ଼ କଣ୍ଟେଣ୍ଟ କ୍ରିଏଟର୍ ଆଉ କିଏ ଅଛନ୍ତି?” ସେ ଏହି ଗେମ୍ର ଏକ ରିଲ୍ ବନାଇ ନିଜର ଫଲୋଅର୍ସ ବଢ଼ାଇବାକୁ ଚାହୁଁଥିବା କଥା ମଧ୍ୟ କହିଥିଲେ।
ଏହାପରେ କୃତଜ୍ଞା ଅମିତାଭଙ୍କୁ ପଚାରିଥିଲେ— ଜୀବନର ଅତୀତର କୌଣସି ଗୋଟିଏ ଦିନକୁ ପୁଣିଥରେ ବଞ୍ଚିବାକୁ ଚାହିଁବେ କି, ନା ଏମିତି କୌଣସି ଦିନକୁ ବଞ୍ଚିବାକୁ ଚାହିଁବେ ଯାହାକୁ ସେ କେବେ ଅନୁଭବ କରିନାହାନ୍ତି କିନ୍ତୁ ସବୁବେଳେ ତାହାର ଇଚ୍ଛା ରଖିଥିଲେ? ଏହାର ଉତ୍ତରରେ ଅମିତାଭ କହିଥିଲେ, ତାଙ୍କ ଜୀବନରେ ଏତେ ଘଟଣା ଘଟିଛି ଯେ କେଉଁ ଦିନକୁ ପୁଣିଥରେ ବଞ୍ଚିବାକୁ ଚାହିଁବେ, ତାହା ବାଛିବା ମୁସ୍କିଲ। କିନ୍ତୁ ଜୀବନରେ ଯାହା କରିପାରିନାହାନ୍ତି, ତାହା ହେଉଛି ସଙ୍ଗୀତ ଶିଖିବା।
ଅମିତାଭ କହିଥିଲେ, “ମୁଁ ସଙ୍ଗୀତ ଶିଖିନାହିଁ, କିନ୍ତୁ ସଙ୍ଗୀତ ଶିଖିବାର ବହୁତ ଇଚ୍ଛା ଥିଲା। ଯେତେବେଳେ ସଙ୍ଗୀତଜ୍ଞ ଓ ଗାୟକମାନଙ୍କୁ ଶୁଣେ, ମୋ ମନରେ ପ୍ରଶ୍ନ ଆସେ— ସେମାନେ ଏତେ ସୁନ୍ଦର ଗାଇପାରୁଛନ୍ତି କେମିତି? ମୁଁ ଏସବୁ କେବେ ଶିଖିପାରିଲି ନାହିଁ।”
ମଜାଳିଆ ଢଙ୍ଗରେ ନିଜ ଅଧୁରା ଇଚ୍ଛାକୁ ବର୍ଣ୍ଣନା କରି ଅମିତାଭ ଆହୁରି କହିଥିଲେ, “ଘରେ ସଙ୍ଗୀତ ଶିଖିବା ପାଇଁ ଯେତେ ପ୍ରକାର ବାଦ୍ୟଯନ୍ତ୍ର ଦରକାର, ସବୁ ଏକାଠି କରି ରଖିଛି। ସେଗୁଡ଼ିକ ଉପରେ ଫୁଲମାଳା ଚଢ଼ାଇ ରଖୁଛି— ଭାବୁଛି ଦିନେ ନା ଦିନେ କିଛି ଶିଖିବି। ଏବେ ୮୪ ବର୍ଷ ହୋଇଗଲା, ତଥାପି କିଛି ଶିଖିପାରିଲି ନାହିଁ। ଏହି କଥା ପାଇଁ ମୋତେ ବହୁତ ଦୁଃଖ ଲାଗେ।”
ଅମିତାଭଙ୍କ ଏହି ସ୍ୱୀକାରୋକ୍ତି ତାଙ୍କ ପ୍ରଶଂସକଙ୍କ ପାଇଁ ବେଶ୍ ଖାସ୍। କାରଣ ପରଦାରେ ପ୍ରାୟ ପ୍ରତ୍ୟେକ ଭୂମିକାକୁ ନିଖୁଣ ଭାବେ ନିଭାଇଥିବା ମହାନାୟକଙ୍କ ଜୀବନରେ ବି ଏମିତି ଏକ ସ୍ୱପ୍ନ ରହିଛି, ଯାହା ଏବେ ବି ଅଧୁରା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।