Missing Plane Debris Found: ସମୁଦ୍ରରେ ମିଳିଲା ବିମାନର ଧ୍ୱଂସାବଶେଷ, ୬ ଜଣ ଏବେ ବି ନିଖୋଜ

Oct 04, 2026 - 14:21
Missing Plane Debris Found: ସମୁଦ୍ରରେ ମିଳିଲା ବିମାନର ଧ୍ୱଂସାବଶେଷ, ୬ ଜଣ ଏବେ ବି ନିଖୋଜ

ଆମେରିକାର ମାସାଚୁସେଟ୍ସ ଉପକୂଳ ନିକଟରେ ନିଖୋଜ ହୋଇଥିବା ଏକ ମେଡିକାଲ ଟ୍ରାନ୍ସପୋର୍ଟ ବିମାନର ଧ୍ୱଂସାବଶେଷ ଠାବ ହୋଇଛି। ନାଣ୍ଟକେଟ୍ ଦ୍ୱୀପ ନିକଟ ସମୁଦ୍ରରେ ଏହି ଧ୍ୱଂସାବଶେଷ ମିଳିଥିବା ବେଳେ ବିମାନରେ ଥିବା ୬ ଜଣଙ୍କୁ ଖୋଜିବା ପାଇଁ ଆମେରିକାର କୋଷ୍ଟ ଗାର୍ଡ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନା ଅନୁସାରେ, କାନାଡାରେ ପଞ୍ଜୀକୃତ ଗଲ୍ଫଷ୍ଟ୍ରିମ୍ G100 ବିମାନଟି ବରମୁଡାରୁ ବୋଷ୍ଟନ୍ ଅଭିମୁଖେ ଯାଉଥିଲା। ଏହା ଏକ ଏୟାର ଆମ୍ବୁଲାନ୍ସ ଭାବେ ବ୍ୟବହୃତ ହେଉଥିଲା। ବିମାନରେ ୪ ଜଣ କ୍ରୁ ସଦସ୍ୟ ଏବଂ ୨ ଜଣ ଯାତ୍ରୀ ଥିଲେ। ୪ ଜଣ କାନାଡାର ନାଗରିକ ଏବଂ ୨ ଜଣ ବରମୁଡାର ନାଗରିକ ଥିଲେ।

ଶନିବାର ଭୋର ସମୟରେ ବିମାନଟି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ ହରାଇଥିଲା। ବିମାନଟି ବରମୁଡାର ଏଲ.ଏଫ ୱାଡେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବୋଷ୍ଟନ୍ ଲୋଗାନ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଅଭିମୁଖେ ଯାଉଥିଲା। ନିର୍ଦ୍ଧାରିତ ସମୟରେ ବିମାନଟି ବୋଷ୍ଟନରେ ପହଞ୍ଚିନଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଥିଲା।

ବିମାନ ସହ ଯୋଗାଯୋଗ ଛିନ୍ନ ହେବା ପରେ ଆମେରିକା କୋଷ୍ଟ ଗାର୍ଡ ପକ୍ଷରୁ ଆକାଶ ଓ ସମୁଦ୍ରପଥରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। କୋଷ୍ଟ ଗାର୍ଡର ବିମାନ, ହେଲିକପ୍ଟର ଏବଂ ଜାହାଜକୁ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ କରାଯାଇଥିଲା। ନାଣ୍ଟକେଟ୍‌ର ଦକ୍ଷିଣ ଉପକୂଳଠାରୁ ସମୁଦ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଚାଲିଥିଲା।

ଖୋଜାଖୋଜି ବେଳେ ନାଣ୍ଟକେଟ୍‌ ଉପକୂଳଠାରୁ ସମୁଦ୍ରରେ ବିମାନର କିଛି ଧ୍ୱଂସାବଶେଷ ଠାବ ହୋଇଥିଲା। କିନ୍ତୁ ବିମାନରେ ଥିବା ୬ ଜଣଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏ ନେଇ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।