Murder: ଅଧିକ ଚିକେନ୍ ଖାଇଦେବାରୁ ବନ୍ଧୁଙ୍କୁ ହତ୍ୟା
"ବେଲାଗାଭି: ଚିକେନ୍ର ଅଧିକ ଖଣ୍ଡ ଖାଇବାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ଭୟଙ୍କର ରୂପ ନେଇଛି।
କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ଏକ ଭୋଜି ସମୟରେ ଦୁଇ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତକ ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାର ସୀତାରାମ ବୋଲି ଚିହ୍ନଟ କରାଯାଇଛି।
ଘଟଣାରେ ତାଙ୍କ ସହକର୍ମୀ ତଥା ବନ୍ଧୁ ଅରୁଣଙ୍କୁ ପୁଲିସ ଗିରଫ କରିଛି।Advertisment ଉଭୟ ଥିଲେ ନିଶାସକ୍ତ ପୁଲିସ ସୂଚନା ଅନୁଯାୟୀ, ବେଲାଗାଭି ଜିଲ୍ଲାର ମୁଦଲାଗି ତାଲୁକ ଅଞ୍ଚଳରେ ରବିବାର କିଛି ଶ୍ରମିକ ଏକାଠି ହୋଇ ଭୋଜିର ଆୟୋଜନ କରିଥିଲେ।
ଛୁଟିଦିନ ଥିବାରୁ ସେମାନେ ଖାଇବା-ପିଇବା କରୁଥିଲେ।
ଏହି ସମୟରେ ଚିକେନ୍ ଖଣ୍ଡକୁ ନେଇ ସୀତାରାମ ଓ ଅରୁଣଙ୍କ ମଧ୍ୟରେ ବଚସା ହୋଇଥିଲା।
ଅଧିକ ଚିକେନ୍ ଖଣ୍ଡ ନେବାକୁ ନେଇ ଆରମ୍ଭ ହୋଇଥିବା ଏହି ଯୁକ୍ତିତର୍କ କିଛି ସମୟ ମଧ୍ୟରେ ଉଗ୍ର ହୋଇଯାଇଥିଲା।
ବଚସା ବଢ଼ିବା ପରେ ଅରୁଣ କଥିତ ଭାବେ ଏକ ଛୁରିରେ ସୀତାରାମଙ୍କୁ ଆକ୍ରମଣ କରିଥିଲେ।
ଏଥିରେ ସୀତାରାମ ଗୁରୁତର ଆହତ ହୋଇଥିଲେ।
ଘଟଣା ପରେ ଅରୁଣ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ।ତେବେ ହସ୍ପିଟାଲରେ ଅରୁଣ ଘଟଣା ସମ୍ପର୍କରେ ଭିନ୍ନ କାହାଣୀ କହିଥିବା ପୁଲିସ କହିଛି।
ସୀତାରାମ କୋଠାରୁ ଖସିପଡ଼ି ଆହତ ହୋଇଥିବା ସେ ଦାବି କରିଥିଲେ।
କିନ୍ତୁ ସୀତାରାମଙ୍କ ଆଘାତ ଏବଂ ଘଟଣାକ୍ରମକୁ ନେଇ ପୁଲିସର ସନ୍ଦେହ ହୋଇଥିଲା।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅରୁଣଙ୍କୁ ପଚରାଉଚରା କରିଥିଲା।
ତଦନ୍ତରେ ଘଟଣାଟି ଦୁର୍ଘଟଣା ନୁହେଁ, ବରଂ ହତ୍ୟା ମାମଲା ବୋଲି ପୁଲିସ ଜାଣିବାକୁ ପାଇଥିବା କୁହାଯାଇଛି।
ପରେ ସୀତାରାମଙ୍କ ମୃତ୍ୟୁ ହୋଇଥିଲା।
Indian Navy: ସମୁଦ୍ରରେ ଭାରତର ପ୍ରାଧାନ୍ୟ ବୃଦ୍ଧି: ନୌସେନାରେ ସାମିଲ ହେଲା ଆଇଏନଏସ ନିପୁଣ ବେଲାଗାଭି ଏସ୍ପି କେ.
ରାମରାଜନ କହିଛନ୍ତି ଯେ, ଘଟଣାକୁ ପ୍ରଥମେ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା।
କିନ୍ତୁ ପୁଲିସର ତଦନ୍ତ ପରେ ଏହା ହତ୍ୟା ମାମଲା ବୋଲି ସ୍ପଷ୍ଟ ହୋଇଥିଲା।
ମୃତ ସୀତାରାମ ଜୀବିକା ପାଇଁ ବେଲାଗାଭି ଆସି ଏକ ଇସ୍ପାତ କମ୍ପାନୀରେ କାମ କରୁଥିଲେ।
ଅରୁଣ ମଧ୍ୟ ତାଙ୍କ ସହକର୍ମୀ ଥିଲେ।
ଉଭୟଙ୍କ ସହ ଅନ୍ୟ କିଛି ଶ୍ରମିକ ମଧ୍ୟ ଏକାଠି ରହୁଥିଲେ।
ସାମାନ୍ୟ ଏକ ଚିକେନ୍ ଖଣ୍ଡକୁ ନେଇ ଆରମ୍ଭ ହୋଇଥିବା ବଚସା ଏଭଳି ଭୟଙ୍କର ଘଟଣାରେ ପରିଣତ ହେବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପୁଲିସ ଅରୁଣଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।