MV Ocean Winner Sinking Mystery: ଓସେନ ୱିନର୍ କେମିତି ବୁଡ଼ିଲା? ଦୁଇ ଚୀନ୍ ନାବିକଙ୍କୁ ପଚରାଉଚରା
କେମିତି ବୁଡ଼ିଲା ‘ଏମଭି ଓସେନ ୱିନର୍’? ରହସ୍ୟ ଖୋଲିବେ କି ଉଦ୍ଧାର ଦୁଇ କ୍ରିୟୁ ମେମ୍ବର? କିପରି ବୁଡିଲା ଜାହାଜ, କେମିତି ପାଣିକୁ ଡେଇଁ ବଞ୍ଚିଗଲେ ଚୀନର ଦୁଇ ନାଗରିକ। ଉଦ୍ଧାର ହୋଇଥିବା ୨ କର୍ମଚାରୀଙ୍କୁ ପାରାଦୀପ ଆଣି ଚାଲିଛି କାରଣ ଖୋଜା। ସମୁଦ୍ରରେ ସେମାନେ କେତେ ସମୟ ରହିଥିଲେ? କେମିତି ଜାହାଜରୁ ବାହାରିଲେ ? ପାଣିକୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ ନା ଆଉ କିଭଳି ଅବସ୍ଥାରେ ଉଦ୍ଧାର ହେଲେ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍।... ଦୁଇ କ୍ରିୟୁ ମେମ୍ବରଙ୍କୁ ପ୍ରଥମେ ବିଶାଖାପାଟଣା ନିଆଯାଇଥିବା ବେଳେ ପରେ କୋଷ୍ଟଗାର୍ଡ ଜାହାଜ ‘ବରଦ’ରେ ପାରାଦୀପ ଅଣାଯାଇଛି। ପାରାଦୀପର ଇମିଗ୍ରେସନ୍ ଅଫିସରେ ଆରମ୍ଭ ହୋଇଛି ପଚରାଉଚରା। କୋଷ୍ଟଗାର୍ଡ, ଇମିଗ୍ରେସନ୍, ପାରାଦୀପ ପୁଲିସ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉଭୟଙ୍କଠାରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ଦୁଇ ଚୀନ୍ ନାଗରିକଙ୍କ ଭାଷାଗତ ସମସ୍ୟା ତଦନ୍ତକାରୀ ଟିମ୍ ପାଇଁ ସାଜିଛି ବଡ଼ ପ୍ରତିବନ୍ଧକ। ଉଭୟ ଇଂରାଜୀ କହିପାରୁ ନାହାନ୍ତି କି ବୁଝି ପାରୁ ନାହାନ୍ତି। ଦିଲ୍ଲୀରୁ ଅନୁବାଦକ ଆସିଲା ପରେ ଯାହା କିଛି ତଥ୍ୟ ଉନ୍ମୋଚନ ହେବ ବୋଲି ପୋଲିସ୍ ଆଶା ରଖିଛି।
ପଚରାଉଚରା ସହ ଦୁଇ କ୍ରିୟୁ ମେମ୍ବରଙ୍କର ପାରାଦୀପ ପୋର୍ଟ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏବେ ପୋଲିସ୍ ଓ CISF ଯବାନଙ୍କ ସୁରକ୍ଷା ମଧ୍ୟରେ ଦୁହିଁଙ୍କୁ ଏକ ହୋଟେଲରେ ରଖାଯାଇଛି। ତଦନ୍ତକାରୀଙ୍କ ସାମ୍ନାରେ ଏବେ ଅନେକ ପ୍ରଶ୍ନ। କେଉଁ ପରିସ୍ଥିତିରେ ବୁଡ଼ିଲା ଓସେନ ୱିନର୍? ଜାହାଜରେ ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡ ବର୍ଷାରେ ଭିଜିଥିଲା କି? ଭିଜା ଲୁହାପଥର ଗୁଣ୍ଡ ଜାହାଜର ସ୍ଥିରତାକୁ ପ୍ରଭାବିତ କରିଥିଲା କି? ନା ଜାହାଜ ବୁଡ଼ିବା ପଛରେ ରହିଛି ଅନ୍ୟ କୌଣସି ଯାନ୍ତ୍ରିକ ତୃଟି? ଜାହାଜ ବୁଡ଼ିବା ବେଳେ ଅନ୍ୟ କ୍ରୁ ସଦସ୍ୟମାନେ କେଉଁଠି ଥିଲେ? ଏସବୁର ଉତ୍ତର ଦେଇପାରନ୍ତି ଦୁଇ ଉଦ୍ଧାର ନାବିକ। ସେପଟେ ଗଭୀର ସମୁଦ୍ରରେ ଜାରି ରହିଛି ସର୍ଚ୍ଚ ଅପରେସନ୍। ପୋର୍ଟ ବ୍ଲେୟାର MRCC ଏବଂ ବେଜିଂ MRCCର ସମନ୍ୱୟରେ ନିଖୋଜ ୨୨ ନାବିକଙ୍କୁ ଖୋଜା ଚାଲିଛି।
‘ଏମଭି ଓସେନ ୱିନର୍’ ଗତ ୨୦ ତାରିଖରେ ପାରାଦୀପ ବନ୍ଦରର ବର୍ଥ ଛାଡିଥିଲା। ୨୧ ତାରିଖ ପରେ ହଠାତ୍ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୮ ଜଣ ଚୀନ୍ ନାଗରିକ, ୩ ମିଆଁମାର ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କ ସମ୍ପର୍କରେ ଏବେ ବି କୌଣସି ସୂଚନା ମିଳିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।