Sadhguru Calls It a “Terrible Event”: ବନ୍ୟାରେ ଇଶା ଗ୍ରୁପ୍ର ୮୦ ଜଣ ନିଖୋଜ, ଭୟଙ୍କର କହି ଭାବବିହ୍ୱଳ ହେଲେ ସଦ୍ଗୁରୁ
ସଦ୍ଗୁରୁ ଭାବେ ପରିଚିତ ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ଜଗ୍ଗୀ ବାସୁଦେବ ଚୀନ୍ର ତିବ୍ବତସ୍ଥିତ ସାଗାରେ ଥିବା ଫାଉଣ୍ଡେସନର କ୍ୟାମ୍ପରେ ଅନୁଗାମୀମାନଙ୍କୁ ସୂଚନା ଦେବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। କୈଳାସ ମାନସରୋବର ଯାତ୍ରାରୁ ଫେରୁଥିବା ଇଶା ଗ୍ରୁପ୍ର ୮୦ ଜଣ ସଦସ୍ୟ ନେପାଳ-ତିବ୍ବତ ସୀମା ଅଞ୍ଚଳରେ ଆସିଥିବା ଆକସ୍ମିକ ବନ୍ୟା ପରେ ନିଖୋଜ ହୋଇଥିବା ସେ କହିଛନ୍ତି। ବନ୍ୟା ଆସିବାର କିଛି ମିନିଟ୍ ପୂର୍ବରୁ ଏହି ଗ୍ରୁପ୍ର ସଦସ୍ୟ ଗିରୋଙ୍ଗର ଇମିଗ୍ରେସନ୍ ବିଲ୍ଡିଂ ଭିତରେ ଥିଲେ । ବନ୍ୟାରେ କୋଠାଟି ଭାସିଯାଇଥିବା ସେ କହିଛନ୍ତି।
ଏହା ଏକ ଭୟଙ୍କର ଓ ଅସାଧାରଣ ଘଟଣା, ବୋଲି ସଦ୍ଗୁରୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଥିବା ଏକ ଭିଡିଓରେ କହିଛନ୍ତି।
ସଦ୍ଗୁରୁ କହିଛନ୍ତି ଯେ, ଯାତ୍ରା ମାର୍ଗରେ ତାଙ୍କ ନିଜ ଗ୍ରୁପ୍ ଏହି ଗ୍ରୁପ୍କୁ ଅତିକ୍ରମ କରିଥିଲା। ଆମର ଏକ ଗ୍ରୁପ୍ ଯାହାକୁ ଆମେ ସାଗାରେ ଭେଟିଥିଲୁ ଏବଂ ଟ୍ରେକିଂ କରି ଉପରକୁ ଯାଉଥିବା ବେଳେ ମଧ୍ୟ ଭେଟିଥିଲୁ, ସେମାନେ ତଳକୁ ଫେରୁଥିଲେ, ବୋଲି ସେ କହିଥିଲେ।
ବନ୍ୟା ଆସିବାର ୯ ମିନିଟ୍ ପୂର୍ବରୁ ଗ୍ରୁପ୍ ନେତାଙ୍କଠାରୁ ଶେଷଥର ପାଇଁ ସୂଚନା ମିଳିଥିଲା। ସଦ୍ଗୁରୁ କହିଥିଲେ, “ସକାଳ ୯ଟା ୫ ମିନିଟ୍ରେ ସେ ମେସେଜ୍ କରିଥିଲେ ଯେ ସେମାନେ ଇମିଗ୍ରେସନ୍ରେ ପହଞ୍ଚିଛନ୍ତି। ଏହାପରେ ୯ଟା ୧୪ ମିନିଟ୍ରେ ଏହି ଘଟଣା ଘଟିଥିଲା।” ଗ୍ରୁପ୍ ନେତା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଇଶା ଫାଉଣ୍ଡେସନର ପୂର୍ଣ୍ଣକାଳୀନ ସ୍ୱେଚ୍ଛାସେବୀ ଥିବା ସେ କହିଛନ୍ତି।
ଗ୍ରୁପ୍ ନେତାଙ୍କ ନେପାଳ ଫୋନ୍ ମଧ୍ୟ ସକ୍ରିୟ ହୋଇନଥିବା ସଦ୍ଗୁରୁ କହିଛନ୍ତି। “ଯଦି ସେ ସୀମା ପାର୍ କରିଥାନ୍ତେ, ତାଙ୍କ ନେପାଳ ଫୋନ୍ ସକ୍ରିୟ ହୋଇଥାନ୍ତା। କିନ୍ତୁ ଏହା ହୋଇନାହିଁ। ତେଣୁ ସମ୍ଭବତଃ ସମ୍ପୂର୍ଣ୍ଣ ଗ୍ରୁପ୍ ସେହି ବିଲ୍ଡିଂ ଭିତରେ ଥିଲା, ବୋଲି ସେ କହିଥିଲେ।
ନିଖୋଜ ୮୦ ଜଣଙ୍କ ମଧ୍ୟରେ ୩୪ ଜଣ ପୁରୁଷ ଓ ୪୬ ଜଣ ମହିଳା ଥିଲେ। ସେମାନଙ୍କ ମଧ୍ୟରେ ଆମେରିକାର ୨୨ ଜଣ, କାନାଡାର ୧୨ ଜଣ, ଅଷ୍ଟ୍ରେଲିଆର ୧୧ ଜଣ, ବ୍ରିଟେନ୍ର ୯ ଜଣ, ଜର୍ମାନୀର ୪ ଜଣ, ଫ୍ରାନ୍ସ ଓ ନେପାଳର ୩ ଜଣ ଲେଖାଏଁ ଥିଲେ। ନେଦରଲ୍ୟାଣ୍ଡ୍, ନ୍ୟୁଜିଲାଣ୍ଡ୍, ସିଙ୍ଗାପୁର ଓ ସ୍ପେନ୍ର ୨ ଜଣ ଲେଖାଏଁ ଥିବା ବେଳେ ଫିନଲ୍ୟାଣ୍ଡ୍, ହଙ୍ଗେରୀ, ଇସ୍ରାଏଲ୍, ଲିଥୁଆନିଆ, ଫିଲିପାଇନ୍ସ, ପର୍ତ୍ତୁଗାଲ୍, ଋଷିଆ ଓ ଦକ୍ଷିଣ ଆଫ୍ରିକାର ଜଣେ ଲେଖାଏଁ ଥିଲେ। ଏହାସହ ନିକଟସ୍ଥ ହୋଟେଲରେ ରହୁଥିବା ୩ ଜଣ ସ୍ୱେଚ୍ଛାସେବୀ ଓ ଜଣେ ଡାକ୍ତରଙ୍କର ମଧ୍ୟ ଖୋଜଖବର ମିଳୁନାହିଁ।
ବନ୍ୟାରେ ନିଖୋଜଙ୍କ ସଂଖ୍ୟା ୧,୫୦୦ରୁ ଅଧିକ ହୋଇପାରେ ବୋଲି ସଦ୍ଗୁରୁ ଆଶଙ୍କା ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।