Bigg Boss 20 New House: ‘ବିଗ୍ ବସ୍ ୨୦’ ଘରେ ବଡ଼ ଟ୍ୱିଷ୍ଟ! ୧୦୪ କ୍ୟାମେରା ସହ ଚମକାଇଦେବ ନୂଆ ଡିଜାଇନ୍
ଟିଭିର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ୍ ବସ୍ ୨୦’କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଚରମରେ ପହଞ୍ଚିଛି। ସେପ୍ଟେମ୍ବର ୬ରୁ ଆରମ୍ଭ ହେବାକୁ ଯାଉଥିବା ଏହି ନୂଆ ସିଜନ ପୂର୍ବରୁ ସାମ୍ନାକୁ ଆସିଛି ବିଗ୍ ବସ୍ ଘରର ପ୍ରଥମ ଝଲକ। ପ୍ରାୟ ୧୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ହୋଇଥିବା ଏହି ଘରରେ ରହିଛି ୧୦୪ଟି କ୍ୟାମେରା, ଶାର୍କ ଥିମ୍ର ସ୍ୱିମିଂ ପୁଲ୍ ଓ ଏକାଧିକ ରହସ୍ୟମୟ କୋଠରୀ।
ସଲମାନ ଖାନଙ୍କ ହୋଷ୍ଟିଂରେ ଏଥର ‘ବିଗ୍ ବସ୍ ୨୦’ର ଥିମ୍ ରଖାଯାଇଛି ‘ବରଦାନ’। କେବଳ ପ୍ରତିଯୋଗୀ ନୁହେଁ, ନୂଆ ଘରର ଡିଜାଇନ୍କୁ ନେଇ ମଧ୍ୟ ଏବେ ଦର୍ଶକଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି।
ଡିଜାଇନର ବର୍ଷା ଜୈନ ଚଳିତ ବର୍ଷ ବିଗ୍ ବସ୍ ଘର ଡିଜାଇନ୍ କରିବାର ଦାୟିତ୍ୱ ନେଇଛନ୍ତି। ଡିଜାଇନର ବର୍ଷା ଜୈନ ଏହା ପୂର୍ବରୁ ଦକ୍ଷିଣ ଭାରତର ‘ବିଗ୍ ବସ୍’ର କିଛି ସିଜନର ଘର ଡିଜାଇନ୍ କରିସାରିଛନ୍ତି। ସେ ଅନିଲ କପୁରଙ୍କ ‘ଇଣ୍ଡିଆଜ୍ ଟପ୍ ୧ ପରସେଣ୍ଟ’ ଶୋର ସେଟ୍ ମଧ୍ୟ ପ୍ରସ୍ତୁତ କରିଥିଲେ।
୧୦ ହଜାର ବର୍ଗଫୁଟ୍ର ଘର, ନଜର ରଖିବ ୧୦୪ କ୍ୟାମେରା
‘ବିଗ୍ ବସ୍ ୨୦’ର ଘରକୁ ପୂର୍ବ ସିଜନ ତୁଳନାରେ ଅଧିକ ସରଳ କିନ୍ତୁ ଅନନ୍ୟ ଶୈଳୀରେ ସଜାଯାଇଛି। ଘରର ବିଭିନ୍ନ ସ୍ଥାନରେ ପଶୁପକ୍ଷୀ ଓ ଜୀବଜନ୍ତୁକୁ ନେଇ ଡିଜାଇନ୍ ଏଲିମେଣ୍ଟ ରଖାଯାଇଛି। ଘରର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଲଗାଯାଇଛି ମୋଟ ୧୦୪ଟି କ୍ୟାମେରା।
ଗାର୍ଡେନ୍ରେ ଶାର୍କ ପୁଲ୍, ଗୋରିଲା ଆଉ ସାପ
ଏଥର ବିଗ୍ ବସ୍ ଘରର ଗାର୍ଡେନ୍ ଏରିଆ ସବୁଠାରୁ ଅଧିକ ଆକର୍ଷଣ କରୁଛି। ଏଠାରେ ଶାର୍କ ଥିମ୍ରେ ଏକ ସ୍ୱିମିଂ ପୁଲ୍ ପ୍ରସ୍ତୁତ କରାଯାଇଛି। ବାଥରୁମ୍ ପ୍ରବେଶ ଦ୍ୱାର ଉପରେ ଏକ ବିଶାଳ ଗୋରିଲା ଆକୃତି ରହିଥିବା ବେଳେ ଏକ ଗଛ ଚାରିପାଖରେ ସାପ ଆକୃତିର ବସିବା ସ୍ଥାନ ତିଆରି କରାଯାଇଛି।
ଲିଭିଂ ରୁମ୍ରେ ହେବ ଅସଲି ଡ୍ରାମା
ବିଗ୍ ବସ୍ ଘରରେ ସବୁଠାରୁ ଅଧିକ ଡ୍ରାମା ଯେଉଁଠି ଦେଖିବାକୁ ମିଳେ, ସେହି ଲିଭିଂ ରୁମ୍କୁ ମଧ୍ୟ ଏଥର ସ୍ୱତନ୍ତ୍ର ଲୁକ୍ ଦିଆଯାଇଛି। ଏଠାରେ ଏକ ବଡ଼ ସୋଫା ସହିତ ୧୨ ଜଣ ବସିପାରିବା ଭଳି ଡାଇନିଂ ଟେବୁଲ୍ ରହିଛି।
‘ଜୀବନଦାନ’ ଦେଇପାରେ ରୁମ୍ 2X!
ଶୋ ସହ ଜଡ଼ିତ ସୂତ୍ର ଅନୁସାରେ, ରୁମ୍ 2Xର ସମ୍ପର୍କ ‘ଜୀବନଦାନ’ ନାମକ ଏକ ନୂଆ ଗେମ୍ ଏଲିମେଣ୍ଟ ସହ ରହିପାରେ। ପ୍ରତିଯୋଗୀଙ୍କୁ ଏଠାରେ ଚାପପୂର୍ଣ୍ଣ ପରିସ୍ଥିତିରେ ରଖାଯାଇ ସତ କଥା କହିବା କିମ୍ବା କୌଣସି ବଡ଼ ସ୍ୱୀକାରୋକ୍ତି କରିବାକୁ କୁହାଯାଇପାରେ।
ଫୁଡ୍ ଟ୍ରକ୍ କିଚେନ୍, ଅଲଗା ଲୁକ୍ର ବେଡରୁମ୍
ଏଥର କିଚେନ୍କୁ ଫୁଡ୍ ଟ୍ରକ୍ ଥିମ୍ରେ ସଜାଯାଇଛି। କିଚେନ୍ ଟେବୁଲ୍ ତଳେ ଦୁଇଟି ଚକ ଲଗାଯାଇଛି ଏବଂ ଉପରେ ‘ବିବି ଫୁଡ୍ ଟ୍ରକ୍’ ଲେଖାଥିବା ବ୍ୟାନର ନଜର ଆସୁଛି।
ବେଡରୁମ୍କୁ ତୁଳନାତ୍ମକ ଭାବେ ଶାନ୍ତ ଓ ଆରାମଦାୟକ ରଖାଯାଇଛି। ଏଠାରେ ୧୭ ଜଣ ପ୍ରତିଯୋଗୀଙ୍କ ପାଇଁ ବେଡ୍ର ବ୍ୟବସ୍ଥା ଅଛି। ବିଛା, ଗିରଗିଟି, ମସରୁମ୍ ସମେତ ବିଭିନ୍ନ ଡିଜାଇନ୍ ଏଲିମେଣ୍ଟ ଘରକୁ ଆଉ ଅଧିକ ଅନନ୍ୟ କରିଛି।
ସବୁମିଶାଇ, ‘ବିଗ୍ ବସ୍ ୨୦’ର ଘର ପୂର୍ବ ସିଜନଗୁଡ଼ିକ ଠାରୁ ଅଧିକ ଅନନ୍ୟ, ରହସ୍ୟମୟ ଓ ଚମକପୂର୍ଣ୍ଣ ଦେଖାଯାଉଛି। ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବର ୬ର ଗ୍ରାଣ୍ଡ ପ୍ରିମିୟର ଉପରେ। ‘ବରଦାନ’ ଥିମ୍, ରହସ୍ୟମୟ ରୁମ୍ ଏବଂ ନୂଆ ନିୟମ ମଧ୍ୟରେ କିଏ ହେବ ଘରର ସବୁଠାରୁ ବଡ଼ ଖେଳାଳି, ତାହା ଦେଖିବାକୁ ଏବେ ଦର୍ଶକଙ୍କ ଅପେକ୍ଷା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।