MV Ocean Winner Sinks In Bay Of Bengal: ମଝି ସମୁଦ୍ରରେ ବୁଡ଼ିଲା ଓସେନ୍ ୱିନର୍, ଚାଲିଛି ବଡ଼ ରେସ୍କ୍ୟୁ ଅପରେସନ୍
୭୨ ହଜାର ମେଟ୍ରିକ ଟନ୍ ଲୁହାପଥର। ୨୪ କ୍ର୍ୟୁ ମେମ୍ବର୍। ଜାହାଜ MV Ocean Winner। ପାରାଦୀପରୁ ବାହାରିଲା, ବଙ୍ଗୋପସାଗରର ଛାତି ଚିରି ଚୀନ ଆଡକୁ ମାଡ଼ି ଚାଲିଥିଲା। ସ୍ପିଡ୍ ଥିଲା ୧୦.୫ ନଟ୍ସ ବା ଘଣ୍ଟାପ୍ରତି ପ୍ରାୟ ୧୯ କିଲୋମିଟର୍। ହେଲେ କଣ ଏମିତି ଘଟିଗଲା କେଜାଣି, ମଝି ଦରିଆରେ ଦୋହଲିଗଲା ବିଶାଳକାୟ ଜାହାଜ। କଟିଗଲା ସିଗନାଲ୍, ବିଚ୍ଛିନ୍ନ ହୋଇଗଲା ଯୋଗାଯୋଗ। ଆଉ ବଙ୍ଗୋପସାଗରର ଅଥଳ ଜଳରାଶିରେ ଧିରେ ଧିରେ ଡୁବିଗଲା। ପାରାଦୀପଠୁ ପ୍ରାୟ ୪୦୭ କିଲୋମିଟର ଓ ବିଶାଖାପାଟଣାଠାରୁ ୭୦୦ କିଲୋମିଟର ପୂର୍ବରେ ଜଳସମାଧି ନେଇଯାଇଛି ଓସେନ୍ ୱିନର୍।
ପାରାଦୀପ ଛାଡ଼ିବା ଆଗରୁ ଇଏ ସେହି ପାନାମା ପତାକାଧାରୀ ଜାହାଜର ଶେଷ ଚିତ୍ର। ଶେଷଯାତ୍ରା ଆଗରୁ ପାରାଦୀପ ପୋର୍ଟରେ ଲୋଡ୍ କରିଥିଲା ଲୁହାପଥର। ଯାହାକୁ ଏବେ ସମୁଦ୍ର ଭିତରେ ଖୋଜିଚାଲିଛି ଏକାଧିକ ରେସ୍କ୍ୟୁ ଟିମ୍। ଅପରେସନରେ ସାମିଲ ହୋଇଛି ଭାରତୀୟ ନୌସେନାର ବିମାନ-P8I। ଯୁଦ୍ଧ ଜାହାଜ ଆଇଏନଏସ୍ ବରାଡ, ଅନମୋଲ ଏବଂ ଭିଜିତ ଖୋଜି ଚାଲିଛନ୍ତି MV Ocean Winnerର କ୍ର୍ୟୁ ମେମ୍ବରଙ୍କୁ। ଜାହାଜରେ ଥିବା ୨୪ କ୍ର୍ୟୁ ମେମ୍ବରଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କର କୌଣସି ସୂଚନା ନାହିଁ। ସେପଟେ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ନିଖୋଜ କ୍ରିଉ ମେମ୍ବରଙ୍କ ସୁରକ୍ଷା କାମନା କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ।
ମଝି ଦରିଆରେ ଓସେନ୍ ଓ୍ୱିନର୍ ହଠାତେ ଏମିତି ବୁଡ଼ି ଯିବାର ରହସ୍ୟ କ’ଣ ? ଯାତ୍ରାର ମାତ୍ର ୨୪ ଘଣ୍ଟା ଭିତରେ ଜାହାଜ ସହିତ ଘଟିଲା କଣ ? କାହିଁକି ସମୁଦ୍ର ମଝିରେ ଡୁବିଗଲା ଓସେନ୍ ଓ୍ୱିନର ? ଟେକ୍ନିକାଲ୍ ଫଲ୍ଟ ନା ପ୍ରତିକୂଳ ପାଣିପାଗ ? କାଳ ସାଜିଲା କି ଅଧିକ ଓଜନର ମାଲ୍ ପରିବହନ? ସୂଚନା ଅନୁସାରେ ୧୯୯୮ ମସିହାରେ ନିର୍ମିତ ଏହି ଜାହାଜର ଲମ୍ବ ୨୨୫ ମିଟର ଓ ଚଉଡ଼ା ୩୨ ମିଟର ।ମାଲ ପରିବହନ କ୍ଷମତା ଥିଲା ୭୩ ହଜାର ୭୩୬ ମେଟ୍ରିକ୍ ଟନ୍। ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାହାଜର ସିଗନାଲ୍ ହଠାତ୍ ବନ୍ଦ ହେବା ପରେ ଏହା ବୈଷୟିକ ତ୍ରୁଟି କିମ୍ବା କୌଣସି ଜରୁରୀ ପରିସ୍ଥିତିର ଶିକାର ହୋଇଥାଇପାରେ। କାର୍ଗୋରେ ଅଧିକ ଜଳୀୟ ଅଂଶ, ଜଳବାୟୁର ସ୍ଥିତି କିମ୍ବା ଜାହାଜ ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ତେବେ ଉଦ୍ଧାର କ୍ର୍ୟୁ ମେମ୍ବରଙ୍କ ସୂଚନା ସହିତ ଘଟଣାର ତଦନ୍ତ ହେଲେ ପୂରା ରହସ୍ୟର ପର୍ଦ୍ଦାଫାସ ହେବ ।
ଓସେନ୍ ଓ୍ୱିନର ବୁଡ଼ିବା ଘଟଣା ମନେପକାଇଦେଇଛି ୧୭ ବର୍ଷ ତଳର ବ୍ଲାକରୋଜ୍ ଟ୍ରାଜେଡି। କ୍ୟାଲେଣ୍ଡରରେ ସେଦିନ ଥାଏ ୯-୯-୯ । ଅର୍ଥାତ ୨୦୦୯ ସେପ୍ଟେମ୍ବର ୯ । ପାରାଦୀପ ବନ୍ଦରରୁ ମାତ୍ର ୫ କିଲୋମିଟର ଯିବାପରେ ବୁଡ଼ିଯାଇଥିଲା ମଙ୍ଗୋଲିୟ ଜାହାଜ ଏମଭି ବ୍ଲାକରୋଜ୍ । ଯେଉଁଥିରେ ଥିଲା ପ୍ରାୟ ୨୩ ହଜାର ମେଟ୍ରିକ୍ ଟନ୍ ଲୁହା ପଥର ସହିତ ୯୨୦ ମେଟ୍ରିକ୍ ଟନ୍ ଫର୍ଣ୍ଣେସ୍ ଅଏଲ୍। ଲୁହାପଥର ଚୋରାଚାଲଣ ଅଭିଯୋଗ ନେଇ ଆଜି ବି ବ୍ଲାକରୋଜ୍ ବିବାଦ ଲାଗିରହିଛି। ଏସବୁ ଭିତରେ ଓସନ୍ ୱିନରର ରହସ୍ୟ କ’ଣ ତାକୁ ନେଇ ଉତ୍କଣ୍ଠା ବଢିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।