Mystery death: ମିଳିଲା ମୃତଦେହର ପରିଚୟ; ଫଟୋ-ପୋଷାକ ଦେଖି ପୁଅକୁ ଚିହ୍ନିଲେ ବାପା
"ବୈଶିଙ୍ଗା (ଦୀପକ କୁମାର ସିଂହ): ଘଞ୍ଚ ଜଙ୍ଗଲ...
ନିଛାଟିଆ ପରିବେଶ...
ଆଉ ଜଙ୍ଗଲ ଭିତରୁ ମିଳିଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ।
ପ୍ରଥମେ ପରିଚୟ ନଥିଲା, ଏବେ ଠିକଣା ଜଣାପଡ଼ିଲା।
କିନ୍ତୁ ପରିଚୟ ମିଳିବା ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିନାହିଁ।
ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗରଗଡ଼ିଆ ଉପକଣ୍ଠ ଧଡ଼ାସାହି ଘଞ୍ଚ ଜଙ୍ଗଲରୁ ଗତ ୩ ତାରିଖରେ ଉଦ୍ଧାର ହୋଇଥିଲା ଜଣେ ଯୁବକଙ୍କ ଗଳିତ ମୃତଦେହ।
ଦିନ ଗଡ଼ିବା ସହିତ ମୃତକଙ୍କ ପରିଚୟ ନମିଳିବାରୁ ଘଟଣାକୁ ନେଇ ବଢ଼ିଥିଲା ସନ୍ଦେହ।
କିଏ ଏହି ଯୁବକ?
କେଉଁଠୁ ଆସିଥିଲେ?
ଜଙ୍ଗଲ ଭିତରକୁ କେମିତି ପହଞ୍ଚିଲେ?
ମୃତ୍ୟୁ କେମିତି ହେଲା?
ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥିଲା ପୁଲିସ।Advertisment ପରିଚୟ ନମିଳିବାରୁ ବୈଶିଙ୍ଗା ଥାନାର ସବଇନ୍ସପେକ୍ଟର ସରୋଜ ଜେନା ମାନବିକତା ଦେଖାଇ ମୃତଦେହର ନିୟମ ଅନୁସାରେ ସତ୍କାର ପାଇଁ ବ୍ୟବସ୍ଥା କରିଥିଲେ।
ମୃତଦେହକୁ ଗର୍ତ୍ତ କରି ମାଟି ତଳେ ପୋତାଯାଇଥିଲା।
କିନ୍ତୁ ଏହି ଘଟଣାରେ ହଠାତ୍ ଆସିଥିଲା ନୂଆ ମୋଡ଼।
ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ କଇଁଥା ଶାସନ ଗ୍ରାମର କାଲୁ ଦେହୁରୀ ନିଜ ୩୮ ବର୍ଷୀୟ ପୁଅ ଚନ୍ଦନ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ତାଙ୍କୁ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଗଳିତ ମୃତଦେହର ଫଟୋ ଏବଂ ଜବତ ପୋଷାକ ଦେଖାଇଥିଲା।
ଫଟୋ ଓ ପୋଷାକ ଦେଖିବା ପରେ କାଲୁ ମୃତଦେହଟି ତାଙ୍କ ପୁଅ ଚନ୍ଦନଙ୍କର ବୋଲି ଚିହ୍ନଟ କରିଥିଲେ।
Garud Puran: ଛୋଟ ଛୁଆଙ୍କ ମୃତଦେହକୁ କାହିଁକି ଦାହ କରାଯାଏ ନାହିଁ?
ଏହା ପରେ ପୁଲିସ ପାଇଁ ମଧ୍ୟ ମାମଲାଟି ଅଧିକ ଜଟିଳ ହୋଇଥିଲା।
ପୂର୍ବରୁ ମାଟି ତଳେ ପୋତାଯାଇଥିବା ମୃତଦେହକୁ ପୁଣି ଖୋଳି ବାହାର କରାଯାଇଥିଲା।
ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପରେ ପୁଲିସ ସହଯୋଗରେ ଗାଁ ମଶାଣିରେ ଚନ୍ଦନଙ୍କ ଅନ୍ତିମ ସତ୍କାର କରାଯାଇଥିଲା।
କାହାଣୀ ବି ରହସ୍ୟମୟ...କାଲୁ ଦେହୁରୀଙ୍କ କହିବା ଅନୁଯାୟୀ, ଚନ୍ଦନଙ୍କ ଦାମ୍ପତ୍ୟ ଜୀବନରେ ମନମାଳିନ୍ୟ ହେବାରୁ ତାଙ୍କ ସ୍ତ୍ରୀ ରଜ ପର୍ବଠାରୁ ନିଜ ବାପଘର ସର୍ବଣାରେ ରହୁଥିଲେ।
ଚନ୍ଦନ କାଇଁଥା ଶାସନସ୍ଥିତ ପୈତୃକ ଘରେ ରହିବା ସହିତ ମଝିରେ ଶ୍ୱଶୁର ଘର ସର୍ବଣାକୁ ମଧ୍ୟ ଯାଉଥିଲେ।
ଗତ ମାସ ୩୧ ତାରିଖରେ ଚନ୍ଦନ ଶ୍ୱଶୁର ଘରକୁ ଯାଉଥିବା କହି ଘରୁ ବାହାରିଥିଲେ।
କିନ୍ତୁ ସେ ଶ୍ୱଶୁର ଘରେ ପହଞ୍ଚିନଥିଲେ।
ଅନ୍ୟପଟେ ଚନ୍ଦନଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକେ ସେ ନିଜ ଘର କାଇଁଥା ଶାସନକୁ ଫେରିଯାଇଥିବେ ବୋଲି ଭାବିଥିଲେ।
ସେହିପରି ଚନ୍ଦନଙ୍କ ପରିବାର ଲୋକେ ସେ ସର୍ବଣା ଶ୍ୱଶୁର ଘରେ ଥିବେ ବୋଲି ଧରିନେଇଥିଲେ।
ଏହି ଭୁଲ ବୁଝାମଣା ଯୋଗୁଁ କିଛି ଦିନ ପର୍ଯ୍ୟନ୍ତ କେହି ତାଙ୍କୁ ଖୋଜିନଥିଲେ।
ପରେ କାଲୁ ଶ୍ୱଶୁର ଘର ଲୋକଙ୍କ ସହିତ ଯୋଗାଯୋଗ କରିବାରୁ ଚନ୍ଦନ ସେଠାକୁ ଆସିନଥିବା ଜଣାପଡ଼ିଥିଲା।
ଏହା ପରେ ଚିନ୍ତିତ ହୋଇ କାଲୁ ବୈଶିଙ୍ଗା ଥାନାରେ ପହଞ୍ଚିଥିଲେ।
ପରିଚୟ ମିଳିଲା, ରହସ୍ୟ ରହିଲା...ଏବେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି।
ଜଙ୍ଗଲରୁ ମିଳିଥିବା ଗଳିତ ମୃତଦେହଟି କାଇଁଥା ଶାସନର ଚନ୍ଦନ ଦେହୁରୀଙ୍କର ବୋଲି ପରିବାର ପକ୍ଷରୁ ଚିହ୍ନଟ ହୋଇଛି।
ପୁଲିସ ମଧ୍ୟ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି।
ଚନ୍ଦନଙ୍କ ମୃତ୍ୟୁ କେମିତି ହେଲା?
ସେ ଜଙ୍ଗଲ ଭିତରକୁ କାହିଁକି ଗଲେ?
ମୃତ୍ୟୁ ସ୍ୱାଭାବିକ ଥିଲା ନା କୌଣସି ଅଘଟଣ ଘଟିଥିଲା?
ନା ଅନ୍ୟ କୌଣସି ସ୍ଥାନରେ ଘଟଣା ଘଟିବା ପରେ ମୃତଦେହକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା?
ଏସବୁ ପ୍ରଶ୍ନର ଉତ୍ତର ଏବେବି ମିଳିନାହିଁ।
ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଏହି ଘଟଣାର ରହସ୍ୟ ଜାରି ରହିଛି।
ପୁଲିସ ତଦନ୍ତ ପରେ ହିଁ ଚନ୍ଦନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।