Mystery Deepens Over Five Orangutans: କଳା ଗାଡ଼ି ବଢ଼ାଇଲା ସନ୍ଦେହ, ଓରାଙ୍ଗଉଟାନ ମାମଲାରେ ନୂଆ ମୋଡ଼

Sep 09, 2026 - 19:45
Mystery Deepens Over Five Orangutans: କଳା ଗାଡ଼ି ବଢ଼ାଇଲା ସନ୍ଦେହ, ଓରାଙ୍ଗଉଟାନ ମାମଲାରେ ନୂଆ ମୋଡ଼

ଘଞ୍ଚ ଜଙ୍ଗଲ ବଦଳରେ ବନ୍ଦ ଘର, ମାର ମମତା ବଦଳରେ ସାଥୀ କଣ୍ଢେଇ। ତଥାପି, ନନ୍ଦନ କାନନର ସଂଘରୋଧ ଗୃହରେ ଖୁସିରେ ଖେଳୁଛନ୍ତି କୁନି ଓରାଙ୍ଗଉଟାନ୍। ଅବିକଳ ଦିଶୁଥିବା କଣ୍ଢେଇଙ୍କୁ ଜାବୁଡି ଧରିଛନ୍ତି। ନିଜେ କ୍ଷୀର ପିଉଛନ୍ତି ଫଳ ବି ଖାଉଛନ୍ତି। ସେମାନଙ୍କ ଏକାପଣ ସିନା ଦୂର ହୋଇଛି ହେଲେ ଏବେ ବି ପ୍ରଶ୍ନ, ଭୋଗରାଇ ଜଙ୍ଗଲରେ ସେମାନଙ୍କୁ ଏକା କରି ଛାଡିଲା କିଏ ?  କିଏ, କାହିଁକି ଆଉ କେଉଁଠୁ ଏମାନଙ୍କୁ ଆଣିଥିଲା ? କାହାକୁ ଦେଇଥାନ୍ତା, କୁଆଡେ ଯାଇଥାନ୍ତେ ଏମାନେ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପ୍ରଥମେ ଭୋଗରାଇର ଘଟଣାସ୍ଥଳରେ ପହଁଚିଥିଲା STF ଟିମ୍। ସେଠାରେ ଅନୁଧ୍ୟାନ ପରେ ତଦନ୍ତକାରୀ ଟିମ୍ ଯାଇଥିଲା ପଶ୍ଚିମବଙ୍ଗର ଦୀଘା। ମେରାଇନ ଥାନାର ସିସିଟିଭି ଯାଞ୍ଚ ସହ ଆରମ୍ଭ ହୋଇଛି ଖୋଳତାଡ। ତଦନ୍ତକାରୀ ଟିମର ଫୋକସରେ ରହିଛି ସମୁଦ୍ର ପଥ। ଦୀଘା ଦେଇ କେଉଁ କେଉଁ ସ୍ଥାନକୁ ଜଳପଥ ରହିଛି, କେଉଁଠୁ ଏହି ଜଳପଥ ଦେଇ ଓରାଙ୍ଗଉଟାନମାନେ ଆସିଥାଇପାରନ୍ତି, ସେନେଇ ମେରାଇନ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଦୀଘା ମୁହାଁଣ ଓ ମତ୍ସ୍ୟ ବନ୍ଦର ସହ ପ୍ରତିଦିନ ଯାଆସ କରୁଥିବା ଟ୍ରଲର ଓ ଅନ୍ୟ ଜାହାଜ ବାବଦରେ ତଥ୍ୟ ସଂଗ୍ରହ କରାଯାଇଛି। ବିରଳ ବନ୍ୟଜନ୍ତୁକୁ ସମୁଦ୍ର ପଥ ଦେଇ ଚୋରା ଚାଲାଣ କରାଯାଇଥିବା ସନ୍ଦେହ କରାଯାଉଛି। 

ବାଲେଶ୍ବରକୁ କେଉଁଠୁ ଆସିଲେ ବିରଳ ଓରାଙ୍ଗ ଉଟାନ୍ ? ପଶ୍ଚିମବଙ୍ଗ ଦେଇ କରାଯାଇଥିଲା କି ଚୋରା ଚାଲାଣ ? ବାଲେଶ୍ବରକୁ ଟ୍ରାନଜିଟ୍ କରିଡର କରି କୋଲକାତାରୁ ହେଉଥିଲା ଅନ୍ତର୍ଜାତୀୟ ସ୍ମଗଲିଂ ? ଧରାପଡିବା ଭୟରେ ଜଙ୍ଗଲରେ ଛାଡିଦେଲେ କି ମାଫିଆ ? ବିଦେଶୀ ଜନ୍ତୁଙ୍କ ଏଭଳି ଉଦ୍ଧାର ନେଇ ଘନ ଘନ ପ୍ରଶ୍ନ ଭିତରେ ସନ୍ଦେହ ବଢାଇଛି କଳା ରଙ୍ଗର ଗାଡି। ଓରାଙ୍ଗଉଟାନ ଠାବ ହେବା ପୂର୍ବରାତିରେ ସେହି ରାସ୍ତାରେ ଦେଖିବାକୁ ମିଳିଥିଲା ଏକ କଳା ରଙ୍ଗର ଗାଡି। ଯାଇଥିଲା ରାତି ପ୍ରାୟ ୧୧ଟା ୩୫ରେ ଆଉ ଫେରିଥିଲା ତାର ୧୦ ମିନିଟ ପରେ ଅର୍ଥାତ୍ ୧୧ଟା ୪୭ରେ। ସ୍ଥାନୀୟ ଲୋକେ କହିଛନ୍ତି ରାତିରେ ସେମାନେ ଏହି ଗାଡି ଦେଖିଥିଲେ। ଖୋଳତାଡ ପରେ ସାମନାକୁ ଆସିଛି ଗାଡିର ସିସିଟିଭି ଫୁଟେଜ୍। ସ୍ଥାନୀୟ ବନବିଭାଗ ବି କହୁଛି ପ୍ରାଟ୍ରୋଲିଂ ସମୟରେ ସେମାନେ ଏହି ଗାଡିକୁ ଦେଖିଥିଲେ। 

ନନ୍ଦନକାନନକୁ ଅଣାଯାଇଥିବା ୫ଟି ଓରାଙ୍ଗଉଟାନ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ଚିକିତ୍ସା ଓ ଯତ୍ନ ନିଆଯାଉଛି। ପରୀକ୍ଷା ବେଳେ ଜଣକର ସାମାନ୍ୟ ଜ୍ୱର ଥିବା ବେଳେ ଅନ୍ୟ ଦୁଇ ଜଣଙ୍କଠାରେ ଥଣ୍ଡା ଲକ୍ଷଣ ଦେଖାଦେଇଥିଲା। ଔଷଧ ଦିଆଯାଇ ବର୍ତ୍ତମାନ ସେମାନଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି। ଆଗକୁ ସେମାନଙ୍କ ଡିଏନଏ ସହ ବିଭିନ୍ନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ରିପୋର୍ଟ ମିଳିବା ପରେ ସେମାନଙ୍କ ପ୍ରଜାତି, ଉତ୍ସ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ। 

ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ଇଣ୍ଡୋନେସିଆର ବୋର୍ଣ୍ଣିଓ ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି। ତେବେ ସେମାନେ ଏଠାକୁ କେମିତି ଆସିଲେ ତାର ତଦନ୍ତ ଚାଲିଛି। ବିଭିନ୍ନ ସମ୍ଭାବ୍ୟ ରୁଟ୍, ବିମାନବନ୍ଦର ଓ ରେଳ ଷ୍ଟେସନ୍ ର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଓରାଙ୍ଗଉଟାନ୍ ଙ୍କ ବୟସ ଓ ସେମାନଙ୍କ ପ୍ରାକୃତିକ ଜୀବନଶୈଳୀକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ସେମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ବଡ଼ ଚ୍ୟାଲେଞ୍ଜ। ଏନେଇ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି। ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ରଖିବା ଲାଗି ନ୍ୟାସନାଲ ଜୁ ଅଥରିଟିଙ୍କ ଅନୁମତି ମଗାଯାଇଥିବା ମନ୍ତ୍ରୀ କହିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।