Nana Patekar: ମିମ୍ ସଂସ୍କୃତିରେ ନାନା ପାଟେକର

Oct 10, 2026 - 09:20
Nana Patekar: ମିମ୍ ସଂସ୍କୃତିରେ ନାନା ପାଟେକର

"ନାନା ପାଟେକର ତାଙ୍କ ସୁଦୀର୍ଘ କ୍ୟାରିଅର୍‌ରେ ଅନେକ ଆହ୍ବାନପୂର୍ଣ୍ଣ ଚରିତ୍ରରେ ଅଭିନୟ କରି ଜଣେ କିଂବଦନ୍ତି ଅଭିନେତା ପାଲଟିଥିଲେ।

ଏ ତ ବଡ଼ ପରଦାର କଥା।

ତେବେ ଡିଜିଟାଲ୍‌ ପରଦାରେ ମଧ୍ୟ ନାନାଙ୍କର ଉପସ୍ଥିତି ବେଶ୍‌ ପ୍ରଖର- ଅର୍ଥାତ୍‌ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିମ୍‌ମାନଙ୍କରେ ନାନାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳେ।

ତେଣୁ ସେ ଏଭଳି ଜଣେ ବିରଳ ଅଭିନେତା ଥିଲେ, ଯିଏ ବୟୋଜ୍ୟେଷ୍ଠ ଦର୍ଶକଙ୍କଠାରୁ ଆରମ୍ଭ କରି ଜେନ୍‌-ଜି ପିଢ଼ିର ଯୁବକଯୁବତୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କୌଣସି ନା କୌଣସି ଢଙ୍ଗରେ ସ୍ପର୍ଶ କରିପାରିଥିଲେ।

Advertisment ଏହାର ବଡ଼ କାରଣ ହେଲା ସେ ବିବିଧ ପ୍ରକାରର ଚରିତ୍ରରେ ଅଭିନୟ କରିଥିଲେ।

କେଉଁଠି ସେ ମଜାଳିଆ ଗ୍ୟାଙ୍ଗ୍‌ଷ୍ଟର୍‌ ସାଜିଛନ୍ତି ତ ଆଉ କେଉଁଠି ଗୁରୁଗମ୍ଭୀର ବିଦ୍ରୋହୀ।

ତାଙ୍କ ସଂଳାପ ଆବୃତ୍ତିର ନିଆରାପଣ, ଅପ୍ରତ୍ୟାଶିତ ପ୍ରତିକ୍ରିୟା ପ୍ରଦର୍ଶନ ଓ ନାଟକୀୟତା ମିଶ୍ରିତ ଉପସ୍ଥାପନା ଯୋଗୁଁ କେତେକ ନିର୍ଦ୍ଦିଷ୍ଟ ଦୃଶ୍ୟ ଓ ସଂଳାପ ଇଣ୍ଟର୍‌ନେଟ୍‌ ଜଗତରେ ଏକପ୍ରକାର ଅମର ହୋଇଯାଇଛି।

ମିମ୍‌ ପ୍ରସ୍ତୁତକର୍ତ୍ତାମାନେ ବିଭିନ୍ନ ପରିସ୍ଥିତି, ସମସ୍ୟା ଓ ଅନୁଭବ ସହ ଯୋଡ଼ି ସେହି ଦୃଶ୍ୟଗୁଡ଼ିକୁ ଖୁବ୍ ମଜାଳିଆ ମୁହୂର୍ତ୍ତରେ ଉପସ୍ଥାପନ କରିଛନ୍ତି।

ସେଭଳି କେତେକ ଲୋକପ୍ରିୟ ମିମ୍‌ରେ ନାନା ପାଟେକରଙ୍କ ପ୍ରାସଙ୍ଗିକତା ବାରିହୋଇପଡ଼େ।

ଉଦୟ ଶେଟ୍ଟୀର ହାସ୍ୟରସ ୨୦୦୭ରେ ମୁକ୍ତିଲାଭ କରିଥିବା "ୱେଲ୍‌କମ୍" ଚଳଚ୍ଚିତ୍ରର ଗ୍ୟାଙ୍ଗ୍‌ଷ୍ଟର୍‌ ଉଦୟ ଶେଟ୍ଟୀ ଚରିତ୍ରରେ ନାନା ପାଟେକର ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିଲେ।

ଏଥିରୁ କେତେକ ବହୁଳ ପ୍ରସାରିତ ମିମ୍‌ ମଧ୍ୟ ଜନ୍ମ ନେଇଥିଲା।

ଅତ୍ୟଧିକ କ୍ରୋଧ ସୃଷ୍ଟିକାରୀ କଥା ଦେଖିଲେ "କଣ୍ଟ୍ରୋଲ୍‌ ଉଦୟ...

କଣ୍ଟ୍ରୋଲ୍‌" ମିମ୍‌ଟି ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଓ କମେଣ୍ଟ ବକ୍ସରେ ଆଜି ବି ପ୍ରସାରିତ ହୋଇଥାଏ।

ପୁଣି ଅସ୍ବସ୍ତିକର ସମସ୍ୟାର ସମ୍ମୁଖୀନ ହେଲେ ଯୁବପିଢ଼ି "ସହ ଲେଙ୍ଗେ ଥୋଡ଼ା" (ଟିକେ ସହିଯିବା) ମିମ୍‌କୁ ପ୍ରତିକ୍ରିୟା ଆକାରରେ ପ୍ରକାଶ କରିବାକୁ ଭୁଲନ୍ତି ନାହିଁ।

ରହସ୍ୟମୟ ଘଟଣା ବା ଅସମାହିତ ପ୍ରଶ୍ନ କଥା ଆସିଲେ "ୟେ ରାଜ୍‌ ଭି ଉସି େକ ସାଥ୍‌ ଚଲା ଗୟା" (ତା" ସହିତ ସେହି ରହସ୍ୟ ମଧ୍ୟ ଚାଲିଗଲା) ମିମ୍‌ ତୁରନ୍ତ ପୋଷ୍ଟ ହେବାର ଦେଖିବାକୁ ମିଳେ।

ମୃତ୍ୟୁର ତାମସା ଓ ଅଟ୍ଟହାସ୍ୟ ୧୯୯୦ ଦଶକରେ ନାନା ପାଟେକର ଥିଲେ ଯୁବ ଭାରତୀୟଙ୍କ କ୍ରୋଧର ଅନ୍ୟତମ ମୁଖର ସ୍ବର।

୧୯୯୪ର "କ୍ରାନ୍ତିବୀର" ଚଳଚ୍ଚିତ୍ରରେ ସେ ଆସାମୀ ପୋଷାକରେ ଫାଶିରେ ଚଢ଼ିବା ପୂର୍ବରୁ ସମବେତ ଜନତାଙ୍କୁ ତିରସ୍କାର କରି କହିଥିଲେ- "ଆ ଗୟେ ମେରେ ମୌତ କା ତମାସା ଦେଖନେ?" ଏହି ସଂଳାପଟି କିନ୍ତୁ ଆଜିକାଲି ଇଣ୍ଟର୍‌ନେଟ୍‌ରେ ଭିନ୍ନ ପରିସ୍ଥିତିରେ ଜୀବନ୍ତ ରହିଛି।

ବ୍ୟକ୍ତିଗତ ସଂକଟ ସମୟରେ ଏହି ମିମ୍‌କୁ ଯୁବକଯୁବତୀ ଉଦ୍ଧାର କରନ୍ତି।

ଉଦାହରଣ ସ୍ବରୂପ ପରିବାରର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ମାଉସୀ ଯଦି ପଚାରନ୍ତି ଯେ କେବେ ବିବାହ କରୁଛୁ, ତେବେ ଯୁବପିଢ଼ି ଏହି ମିମ୍‌ ଜରିଆରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତି।

ସେହି ଚଳଚ୍ଚିତ୍ରର ଅନ୍ୟ ଏକ ଦୃଶ୍ୟରେ ନାନା ଖଟରେ ଶୋଇ ଖୁବ୍ ନାଟକୀୟ ଢଙ୍ଗରେ ଅଟ୍ଟହାସ୍ୟ କରୁଥିବାର ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଆଶ୍ଚର୍ଯ୍ୟ, ବିସ୍ମୟ ଓ ମର୍ମାହତ ଭଳି ଭାବନା ବ୍ୟକ୍ତ କରିବା ଲାଗି ବ୍ୟବହାର କରାଯାଇଥାଏ।

ସେହିପରି ସମୁଦ୍ର କୂଳରେ ଅତ୍ୟନ୍ତ ଉତ୍‌ଫୁଲ୍ଲିତ ଭାବେ ଦୌଡୁଥିବାର ଦୃଶ୍ୟଟି ପ୍ରାୟ ସମୟରେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳେ।

ଅତ୍ୟଧିକ ଖୁସି ବ୍ୟକ୍ତ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ।

ଏହି ଦୃଶ୍ୟଟି ହେଉଛି ୧୯୯୬ରେ ମୁକ୍ତିଲାଭ କରିଥିବା ସଂଜୟ ଲୀଲା ଭଁସାଲୀଙ୍କ "ଖାମୋଶୀ: ଦି ମ୍ୟୁଜିକାଲ୍‌" ଚଳଚ୍ଚିତ୍ରର।

ସହରରେ ଏକାକୀ ରହୁଥିବା ଆତ୍ମଘୋଷିତ "କର୍ପୋରେଟ୍‌ ଶ୍ରମିକ"ମାନେ ନାନାଙ୍କ ଅଭିନୀତ ସବୁଠାରୁ ସାଧାରଣ ମନେହେଉଥିବା ଦୃଶ୍ୟକୁ ନିଜ ଛୁଟିଦିନର ଜୀବନ ବ୍ୟାଖ୍ୟା କରିବା ପାଇଁ ବ୍ୟବହାର କରୁଛନ୍ତି।

ଏହି ଦୃଶ୍ୟଟି ହେଉଛି ୧୯୯୮ରେ ମୁକ୍ତିଲାଭ କରିଥିବା "ଵଜୁଦ" ଚଳଚ୍ଚିତ୍ରର।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।