Nation Mourns Padma Shri Dr Ashok Mahapatra: ଦରଦୀ ଡାକ୍ତରଙ୍କ ବିୟୋଗରେ ସ୍ତବ୍ଧ ଦେଶ, ଝୁରୁଛନ୍ତି ହଜାର ହଜାର ରୋଗୀ
ଗରିବ, ଅସହାୟଙ୍କ ପାଇଁ ଦମ୍ଭ..
ରୋଗୀଙ୍କ ପାଇଁ କେବେ ବିଫଳ ହୋଇନଥିବା ଭରସା।
କିଏ କେତେ ବାଟରୁ ତାଙ୍କ ପାଖକୁ ଧାଇଁ ଆସିଛି, ଖାଲି ହାତରେ ଫେରିନି।
ଚିକିତ୍ସା ପାଇଛି, ପରାମର୍ଶ ବି।
କେବଳ ଡାକ୍ତର ଭାବରେ ନୁହେଁ, ଭଲ ମଣିଷ ଭାବେ ଦେଇଛନ୍ତି ସେବା।
ରୋଗୀର ଯନ୍ତ୍ରଣା ବୁଝନ୍ତି, ସ୍ଥିତି ଦେଖି ବତାନ୍ତି ଚିକିତ୍ସାର ବାଟ।
ଏମିତି ଥିଲେ ଡାକ୍ତର ଅଶୋକ ମହାପାତ୍ର।
ଶାନ୍ତ, ସରଳ, ମେଳାପି ଆଉ ଅମାୟିକ ବ୍ୟକ୍ତିତ୍ବ।
ଯିଏ ଭେଟିଛି ସିଏ ଜାଣିଛି, ଭଲ ମଣିଷ ମାନେ କଣ।
ଗରିବ ରୋଗୀଙ୍କୁ ସାହାଯ୍ୟ କରିବାକୁ ଥକୁନଥିଲା ପାଦ।
ଅସଂଖ୍ୟ ସମ୍ମାନ, ଅଜସ୍ର ସଫଳତା, ତଥାପି ଛୁଇଁପାରିନଥିଲା କାଣିଚାଏ ଗର୍ବ କି ଅହଙ୍କାର।
Advertisment କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ୍।
ଡାକ୍ତର ଅଶୋକ ମହାପାତ୍ରଙ୍କ ଜୀବନର ସବୁଠୁ ଚର୍ଚ୍ଚିତ ଅଧ୍ୟାୟ।
ଅତି ସଂବେଦନଶୀଳ, ବିପଜ୍ଜନକ ସର୍ଜରୀ।
ଯାହାର ମୁଖ୍ୟ ସୂତ୍ରଧର ଥିଲେ ଅଶୋକ।
ଦିଲ୍ଲୀ ଏମ୍ସରେ ଲେଖା ହୋଇଥିଲା ଭାରତୀୟ ଚିକିତ୍ସା ବିଜ୍ଞାନର ଏକ ବିରଳ ସଫଳତା।
ଡାକ୍ତର ଅଶୋକ ମହାପାତ୍ର ୧୬ ଘଣ୍ଟାର ସର୍ଜରୀ ପରେ ଅଲଗା ହୋଇଥିଲେ ଜଗା-କାଳିଆ।
ଆଜି କାଳିଆ ନାହିଁ ସତ ହେଲେ ସୁସ୍ଥ ଭାବେ ଜୀବନ ଜିଉଁଛି ଜଗା।
ପୁରୀ ଜିଲ୍ଲା ବୀରଗୋବିନ୍ଦପୁର।
ସ୍ବର୍ଗତ ଅଶୋକ ମହାପାତ୍ରଙ୍କ ପୈତୃକ ଗାଁ।
ତାଙ୍କ ଗୌରବମୟ ଜୀବନ ଯାତ୍ରାର ମୁକସାକ୍ଷୀ।
ସହରରେ ସିନା ବଡ଼ ଡାକ୍ତର ବାବୁ ହେଲେ ଗାଁରେ ସମସ୍ତଙ୍କ ଅଶୋକ ଭାଇନା।
ଘରେ ପଶୁ ପଶୁ ଲାଗିଯାଏ ଲମ୍ବା ଲାଇନ୍।
ପାଦରୁ ଚୁଟି ଯାଏଁ ସମସ୍ୟା ନେଇ ପହଁଚି ଯାଆନ୍ତି ରୋଗୀ।
ହେଲେ କାହାକୁ ବି କେବେ ମନା କରିନାହାଁନ୍ତି ଅଶୋକ।
ବରଂ ଖୁସିର ସହ କରିଛନ୍ତି ଚିକିତ୍ସା।
Advertisment ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ଅକାଳ ବିୟୋଗରେ ସ୍ତବ୍ଧ ସାରା ବୀରଗୋବିନ୍ଦପୁର l ଗୁମୁରି କାନ୍ଦୁଛି ଗାଁ।
ଆଉ କେବେ ଆସିବେନି ତାଙ୍କ ପ୍ରିୟର ଅଶୋକ ଭାଇନା, ଦେହପା ଖରାପ ହେଲେ କାହାକୁ ଫୋନ୍ କରିବେ, କାହାର ନେବେ ପରାମର୍ଶ, ସଂପର୍କୀୟ ହୁଅନ୍ତୁ କି ଗାଁ ଲୋକ, ସମସ୍ତଙ୍କ ଭିତରେ ଦୁଃଖ।
ପାର୍ଥିବ ଶରୀରକୁ ଚାହିଁ ରହିଛି ପୁରା ଗାଁ।
ଶେଷଥର ପାଇଁ ତାଙ୍କ ଦର୍ଶନ କରିବେ, ଶ୍ରଦ୍ଧାଞ୍ଜଳି ଦେବେ, ସେହି ସମୟକୁ କରିଛନ୍ତି ଅପେକ୍ଷା।
ସୋମବାର ରାତି ପ୍ରାୟ ୯ଟା ୧୫।
ଶୋକ ସାଗରରେ ସମସ୍ତଙ୍କୁ ଭସାଇ ଆରପାରିକୁ ଚାଲିଗଲେ ଅଶୋକ।
ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।
ବ୍ରେନ୍ ଷ୍ଟ୍ରୋକ୍ ପରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଦେଲେ।
ଯେଉଁ ହସ୍ପିଟାଲରେ ସେ ହଜାର ହଜାର ରୋଗୀଙ୍କୁ ନୂଆ ଜୀବନ ଦେଇଥିଲେ, ସେହି ମାଟିରେ ହିଁ ତ୍ୟାଗ କଲେ ଶେଷ ନିଶ୍ୱାସ।
ଆଜି ଦିଲ୍ଲୀ ଏମ୍ସ ପରିସରରେ ବିଶେଷଜ୍ଞ, ଡାକ୍ତର, ଛାତ୍ର ଏବଂ କର୍ମଚାରୀ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
..
ଏପଟେ ଭୁବନେଶ୍ବର ଏମ୍ସର ବି ପ୍ରତିଷ୍ଠାତା ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ରଙ୍କ ପାଇଁ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା।
ମଣିଷ ରୂପରେ ଦ୍ବିତୀୟ ଭଗବାନ।
ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକରେ ଚିକିତ୍ସା ବିଜ୍ଞାନ ଜଗତରେ ସୃଷ୍ଟି ହୋଇଛି ଅପୂରଣୀୟ ଶୂନ୍ୟସ୍ଥାନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।