Natural Skincare Remedies: ଦାମୀ ଫେସିଆଲ୍ ଦରକାର ନାହିଁ! ମୁଲତାନି ମାଟିରେ ମିଶାନ୍ତୁ ଏହି ୨ଟି ଜିନିଷ, ତ୍ୱଚା ରହିବ ସତେଜ
ବୟସ ବଢ଼ିବା ସହ ମୁହଁରେ ଦେଖାଦିଏ କଳାଦାଗ ଏବଂ ଟ୍ୟାନିଂ। ଏହି ସମସ୍ୟା ଦୂର କରିବା ପାଇଁ ଅନେକ ମହିଳା ଦାମୀ ଫେସିଆଲ୍ ଓ ବିୟୁଟି ଟ୍ରିଟମେଣ୍ଟର ସାହାଯ୍ୟ ନିଅନ୍ତି। ହେଲେ ତ୍ୱଚାର ଯତ୍ନ ନେବା ପାଇଁ ସବୁବେଳେ ମହଙ୍ଗା ସାମଗ୍ରୀ ଆବଶ୍ୟକ ନୁହେଁ। ଘରେ ଥିବା ମୁଲତାନି ମାଟି, ଆଲୋଭେରା ଓ ଟମାଟୋ ରସକୁ ନେଇ ଏକ ସରଳ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିପାରିବେ।
ଏହି ତିନୋଟି ସାମଗ୍ରୀ ତ୍ୱଚାକୁ ସଫା ରଖିବା, ଆର୍ଦ୍ରତା ବଜାୟ ରଖିବା ଓ ସତେଜ ଦେଖାଇବାରେ ସହାୟକ ହୋଇଥାଏ।
ତ୍ୱଚା ପାଇଁ କାହିଁକି ଉପକାରୀ ଏହି ଫେସ୍ ପ୍ୟାକ୍?
ମୁଲତାନି ମାଟି ତ୍ୱଚାରୁ ଅତିରିକ୍ତ ତେଲ ଓ ମଇଳା ଶୋଷିବାରେ ସାହାଯ୍ୟ କରେ। ତେଲିଆ ତ୍ୱଚା ଥିବା ଲୋକଙ୍କ ପାଇଁ ଏହା ଉପଯୋଗୀ ହୋଇପାରେ। ଅନ୍ୟପଟେ, ଆଲୋଭେରା ଜେଲ୍ ତ୍ୱଚାକୁ ଆର୍ଦ୍ର ଓ ନରମ ରଖିବାରେ ସହାୟକ ହୁଏ।
ଟମାଟୋରେ ଭିଟାମିନ୍-C ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ତ୍ୱଚାର ଯତ୍ନରେ ସହାୟକ ହୁଏ। ତେବେ ଟମାଟୋ ରସ ଲଗାଇଲେ କଳାଦାଗ ଓ ଟ୍ୟାନିଂ ସମ୍ପୂର୍ଣ୍ଣ ଦୂର ହୋଇଯିବ ବୋଲି ଧରିନେବା ଉଚିତ ନୁହେଁ।
ଘରେ କିପରି ତିଆରି କରିବେ ଫେସ୍ ପ୍ୟାକ୍?
ଆବଶ୍ୟକ ସାମଗ୍ରୀ:
• ୧ ବଡ଼ ଚାମଚ ମୁଲତାନି ମାଟି
• ୧ ବଡ଼ ଚାମଚ ଆଲୋଭେରା ଜେଲ୍
• ୧ ବଡ଼ ଚାମଚ ତାଜା ଟମାଟୋ ରସ
• ଅଧା ଛୋଟ ଚାମଚ ଗୋଲାପ ଜଳ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ମୁଲତାନି ମାଟି ନିଅନ୍ତୁ। ଏଥିରେ ଆଲୋଭେରା ଜେଲ୍, ଛଣା ଟମାଟୋ ରସ ଓ ଗୋଲାପ ଜଳ ମିଶାନ୍ତୁ। ସମସ୍ତ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଏକ ମସୃଣ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ମୁହଁରେ ଲଗାଇବାର ସଠିକ୍ ଉପାୟ
୧. ପ୍ରଥମେ ଫେସ୍ୱାଶ୍ରେ ମୁହଁ ସଫା କରି ଶୁଖାଇ ନିଅନ୍ତୁ।
୨. ପ୍ରସ୍ତୁତ ଫେସ୍ ପ୍ୟାକ୍କୁ ମୁହଁ ଓ ବେକରେ ହାଲୁକା ଭାବରେ ଲଗାନ୍ତୁ।
୩. ପ୍ରାୟ ୧୫ରୁ ୨୦ ମିନିଟ୍ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ପ୍ୟାକ୍ଟି ସମ୍ପୂର୍ଣ୍ଣ ଶୁଖିବାକୁ ଦିଅନ୍ତୁ ନାହିଁ।
୪. ମୁହଁ ଧୋଇବା ପରେ ହାଲୁକା ମଏଶ୍ଚରାଇଜର ଲଗାନ୍ତୁ।
ଫେସ୍ ପ୍ୟାକ୍ ଲଗାଇବା ପୂର୍ବରୁ ଏହି କଥା ଧ୍ୟାନ ଦିଅନ୍ତୁ
ସମସ୍ତଙ୍କ ତ୍ୱଚାର ପ୍ରକୃତି ଏକାଭଳି ନୁହେଁ। ତେଣୁ ମୁହଁରେ ଲଗାଇବା ପୂର୍ବରୁ ହାତର ଏକ ଛୋଟ ଅଂଶରେ ପରୀକ୍ଷା କରନ୍ତୁ। ଟମାଟୋ ରସ କିମ୍ବା ଅନ୍ୟ ସାମଗ୍ରୀ ଯୋଗୁଁ ଜ୍ୱଳନ, କୁଣ୍ଡାଇ ହେବା କିମ୍ବା ଲାଲ୍ ପଡ଼ିବା ଦେଖାଦେଲେ ଏହାର ବ୍ୟବହାର ବନ୍ଦ କରନ୍ତୁ।
ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା ପାଇଁ ନିୟମିତ ମଏଶ୍ଚରାଇଜର, ସନ୍ସ୍କ୍ରିନ୍, ପର୍ଯ୍ୟାପ୍ତ ନିଦ୍ରା ଓ ସନ୍ତୁଳିତ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେବଳ ଘରୋଇ ଫେସ୍ ପ୍ୟାକ୍ ଉପରେ ନିର୍ଭର ନକରି ତ୍ୱଚାର ଆବଶ୍ୟକତା ଅନୁସାରେ ଯତ୍ନ ନିଅନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।