Naveen Patnaik's Political U-Turn: ପରିସ୍ଥିତି ଅନୁସାରେ ରଣନୀତି ବଦଳାଉଛନ୍ତି ନବୀନ! ଫାଇଦା ନା ଫାନ୍ଦରେ ଫସିବେ?

Oct 26, 2026 - 19:01
Naveen Patnaik's Political U-Turn: ପରିସ୍ଥିତି ଅନୁସାରେ ରଣନୀତି ବଦଳାଉଛନ୍ତି ନବୀନ! ଫାଇଦା ନା ଫାନ୍ଦରେ ଫସିବେ?

ଗତ ରାଜ୍ୟସଭା ନିର୍ବାଚନ ସମୟରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ରାଜନୈତିକ ଜୀବନର ସବୁଠାରୁ ବଡ଼ ଆଦର୍ଶଗତ ପରିବର୍ତ୍ତନ ଆଣିଥିଲେ ।

ତାଙ୍କ ଦଳ ପ୍ରଥମ ଥର ଲାଗି ଆନୁଷ୍ଠାନିକ ଭାବେ କଂଗ୍ରେସ ସହିତ ନିକଟତ୍ତର ହୋଇ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିଥଲେ ଏବଂ ତାଙ୍କୁ ଜିତାଇବା ପାଇଁ ନିଜର ସମସ୍ତ ପତିଆରାକୁ ବାଜିରେ ଲଗାଇଦେଇଥିଲେ ।

Advertisment କଂଗ୍ରେସର ସେତେବେଳର ଆଦର୍ଶଗତ ୟୁଟର୍ଣ୍ଣ ଅନେକଙ୍କୁ ବିସ୍ମିତ କରିଥିଲା ।

କାରଣ କଂଗ୍ରେସ ବିରୋଧରୁ ସୃଷ୍ଟି ହୋଇଥିଲା ବିଜୁ ଜନତା ଦଳ ।

ସେହିଦଳ ସହିତ ହାତ ମିଶାଇବାକୁ ସହଜରେ ଗ୍ରହଣ କରିପାରିନଥିଲେ ଅନେକ ଲୋକ ।

ନବୀନ ରାଜ୍ୟସଭା ନିର୍ବାଚନ ସମୟରେ ଯେଉଁ ରଣନୀତିରେ ପରିବର୍ତ୍ତନ ଆଣିଥିଲେ, ତାହାକୁ ଏବେ ବି ଅବ୍ୟାହତ ରଖିଥିବା ମନେହୁଏ ।

ଏହି ରାଜନୈତିକ ଅନୁଶୀଳନ ପଛରେ ଯେଉଁ ଆଧାର ରହିଛି ନବୀନଙ୍କ କକ୍ରୋଚ ଜନତା ପାର୍ଟି ପ୍ରତି ବଢୁଥିବା ଅନୁକମ୍ପା ।

କକ୍ରୋଚ ଜନତା ପାର୍ଟିର ଦୁଇ ଶୀର୍ଷ ନେତା ଆଶୁତୋଷ ରଙ୍କା ଓ ସୌରଭ ଦାସଙ୍କୁ ଅକ୍ଟୋବର ୧୩ ତାରିଖ ଦିନ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଗିରଫ କରାଯିବା ପରେ, ସେମାନଙ୍କ ତୁରନ୍ତ ମୁକ୍ତି ପାଇଁ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦାବି କରିବା ରାଜ୍ୟ ରାଜନୀତିରେ ଏକ ନୂଆ ଚର୍ଚ୍ଚାର ଖୋରାକ ଯୋଗାଇଛି।

Advertisment ନବୀନ କାହିଁକି କକ୍ରୋଚ ଜନତା ପାର୍ଟିର ନେତାମାନଙ୍କ ପ୍ରତି ଏତେ ସମର୍ଥନ ପ୍ରକାଶ କଲେ?

ତାଙ୍କୁ ଏହି ଦଳ ପ୍ରତି ସମବେଦନା ଜଣାଇବାକୁ କାହିଁକି ଆବଶ୍ୟକ ମନେ ହେଲା?

ନବୀନ କ'ଣ ଜାଣିନଥିଲେ କି କକ୍ରୋଚ୍ ଜନତା ପାର୍ଟିର ନେତାମାନେ ଶାନ୍ତିଯୁକ୍ତ ବା ପିସ୍‌ବଣ୍ଡ ଲେଖିଲା ପରେ ବି ଆନ୍ଦୋଳନ କରିବାକୁ ଆସିଥିଲେ?

ସେ କ'ଣ ଜାଣିନଥିଲେ କି ସେଦିନ ଯନ୍ତରମନ୍ତର ଠାରେ ସଭାସମିତି ଓ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଥିଲା?

ଆହୁରି ଏକ ଘଟଣା ଜନସାଧାରଣଙ୍କୁ ମଧ୍ୟ ବିସ୍ମିତ କରୁଛି ।

ତାହାହେଲା - ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ରାଲିରେ ବିଜେଡି ସାଂସଦମାନଙ୍କୁ ସାମିଲ ହେବାକୁ କହିଥିବା ନବୀନ ଓଡ଼ିଶାରେ କଂଗ୍ରେସ ଡାକରା ଦେଇଥିବା ବନ୍ଦକୁ କାହିଁକି ସମର୍ଥନ କଲେ ନାହିଁ?

ସେ କ'ଣ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ନିକଟତର ହେଉଛନ୍ତି, ନା ନିଜର ସ୍ୱତନ୍ତ୍ର ରାଜନୈତିକ ପରିଚୟକୁ ବଜାୟ ରଖିବାକୁ ଚାହୁଁଛନ୍ତି?

ଏବେ ଓଡ଼ିଶାର ରାଜନୈତିକ ମହଲରେ ଏହି ପ୍ରଶ୍ନଗୁଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଜନୈତିକ ସମୀକ୍ଷକମାନଙ୍କ ମତରେ ନବୀନଙ୍କ ଏହି ଆଭିମୁଖ୍ୟକୁ କେବଳ କକ୍ରୋଚ ଜନତା ପାର୍ଟି ପ୍ରତି ତାଙ୍କର ସମର୍ଥନ ଭାବେ ଦେଖିଲେ ଭୁଲ ହେବ।

ଏହା ପଛରେ ରହିଛି ତାଙ୍କ ଦଳର ରାଜନୈତିକ ଗୁରୁତ୍ୱ ବଜାୟ ରଖିବା, ଯୁବପିଢ଼ିଙ୍କ ମଧ୍ୟରେ ନିଜର ପ୍ରଭାବ ବଢ଼ାଇବା ଏବଂ ୨୦୨୯ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ସମ୍ଭାବନାକୁ ଖୋଲା ରଖିବାର ଏକ ସୂକ୍ଷ୍ମ ରଣନୀତି ବୋଲି ସେମାନେ ଯୁକ୍ତିବାଢନ୍ତି।

ସମୀକ୍ଷକମାନଙ୍କ କହିବା କଥା, - ନବୀନ ପଟ୍ଟନାୟକ ଭାରତୀୟ ରାଜନୀତିର ଜଣେ ଅତ୍ୟନ୍ତ ଚତୁର ଓ କୌଶଳୀ ରାଜନେତା।

୧୯୯୭ରେ ସକ୍ରିୟ ରାଜନୀତିକୁ ଆସିବା ପରଠାରୁ ସେ ନିଜର ରାଜନୈତିକ ଶୈଳୀରେ ଅନେକ ପରୀକ୍ଷାନିରୀକ୍ଷା କରିଛନ୍ତି।

ବହୁ ପରୀକ୍ଷାନିରୀକ୍ଷାରେ ସେ ସଫଳ ହୋଇଥିବାବେଳେ, ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଅସଫଳ ରହିଲେ ଏବଂ ତାଙ୍କୁ କ୍ଷମତାରୁ ଯିବାକୁ ପଡ଼ିଲା ।

ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକର ନେତୃତ୍ୱ କିପରି ନିଜ ହାତରେ କେନ୍ଦ୍ରୀଭୂତ କରାଯାଇପାରେ, ତାହାର ଏକ ଉଦାହରଣ ହେଉଛି ବିଜୁ ଜନତା ଦଳ।

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କର କିଛି ଘନିଷ୍ଠ ସହଯୋଗୀ ନବୀନଙ୍କୁ ରାଜନୀତିକୁ ଆଣିଥିଲେ।

ସେମାନଙ୍କ ଉଦ୍ୟମରେ ନବୀନଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।

କିନ୍ତୁ ଯେଉଁ ନେତାମାନେ ତାଙ୍କୁ ରାଜନୀତିକୁ ଆଣିଥିଲେ, ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସେ ଦଳରୁ ଦୂରେଇ ଦେଇଥିଲେ।

ପ୍ରଥମେ ବିଜୁବାବୁଙ୍କ ସହଯୋଗୀମାନଙ୍କୁ ନେଇ ସେ ଦଳ ଚଳାଇଲେ।

ପରେ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଆଣିଲେ।

ଏହି ନୂଆ ନେତାମାନଙ୍କ ମଧ୍ୟରୁ ଅନେକଙ୍କୁ ମଧ୍ୟ ସମୟକ୍ରମେ ଦୂରେଇ ଦେଲେ।

ତା'ପରେ ଆଉ ଏକ ପିଢ଼ିର ନେତାଙ୍କୁ ଆଗକୁ ଆଣିଲେ।

ଏହି ପ୍ରକ୍ରିୟାରେ ନବୀନଙ୍କ ବ୍ୟକ୍ତିଗତ ନେତୃତ୍ୱ ଦଳ ଉପରେ ଅଧିକରୁ ଅଧିକ ଦୃଢ଼ ହେଲା।

ଏହା ତାଙ୍କର ରାଜନୈତିକ ଦକ୍ଷତାର ପ୍ରମାଣ ହୋଇପାରେ।

କିନ୍ତୁ ଏହା ସହିତ ଦଳରେ ଦ୍ୱିତୀୟ ପିଢ଼ିର ସ୍ୱାଧୀନ ନେତୃତ୍ୱ ଗଢ଼ି ଉଠିବାର ସୁଯୋଗ କେତେ ରହିଲା, ତାହା ମଧ୍ୟ ଏକ ପ୍ରଶ୍ନ।

ଶେଷରେ ଜଣେ ପ୍ରଶାସକରୁ ରାଜନେତା ପାଲଟିଥିବା ଭି.

କେ.

ପାଣ୍ଡିଆନଙ୍କ ହାତରେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ରୀଭୂତ ହେଲା।

କିନ୍ତୁ ୨୦୨୪ ନିର୍ବାଚନରେ ପାଣ୍ଡିଆନଙ୍କ ଭୂମିକା ବିଜେପି ପାଇଁ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ପାଲଟିଲା।

ଏହା ବିଜେଡିର ପରାଜୟର ଏକ ଚର୍ଚ୍ଚିତ କାରଣ ଭାବେ ମଧ୍ୟ ସାମ୍ନାକୁ ଆସିଲା।

ଏହି ଇତିହାସରୁ ଗୋଟିଏ କଥା ସ୍ପଷ୍ଟ ହୁଏ।

ନବୀନ ପଟ୍ଟନାୟକ ପରିସ୍ଥିତି ଅନୁସାରେ ନିଜର ରାଜନୈତିକ ରଣନୀତି ବଦଳାଇବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।

୨୦୦୯ରେ ବିଜେପି ସହ ୧୧ ବର୍ଷର ମେଣ୍ଟ ଭାଙ୍ଗିବା ନବୀନଙ୍କ ରାଜନୈତିକ ଜୀବନର ଏକ ନିର୍ଣ୍ଣାୟକ ମୋଡ଼ ଥିଲା।

ସେତେବେଳେ ବିଜେପି ଏକ ଶକ୍ତିଶାଳୀ ଜାତୀୟ ଦଳ ଥିଲା।

ଏହାର ଶୀର୍ଷ ନେତାମାନେ ଓଡ଼ିଶାରେ ପ୍ରଚାର କରିଥିଲେ।

ତଥାପି ନବୀନ ମେଣ୍ଟ ଭାଙ୍ଗି ଏକାକୀ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଲେ।

ସେହି ନିଷ୍ପତ୍ତିର ବିପଦପୂର୍ଣ୍ଣ ଥିଲା।

କିନ୍ତୁ ନବୀନ ଏହାକୁ ନେଲେ ଏବଂ ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ବିଜେଡି ନିଜର ପ୍ରଭାବ ବଜାୟ ରଖିଲାଏବଂ ୨୦୨୪ ପର୍ଯ୍ୟନ୍ତ ଦଳ ଓଡ଼ିଶାରେ କ୍ଷମତାରେ ରହିଲା।

ବିଶେଷଜ୍ଞମାନଙ୍କ ମତରେ ଏହି ଘଟଣା ପ୍ରମାଣ କରିଥିଲା ଯେ ନବୀନ କୌଣସି ଦଳ ସହ ଦୀର୍ଘଦିନର ସମ୍ପର୍କକୁ ମଧ୍ୟ ନିଜ ରାଜନୈତିକ ସ୍ୱାର୍ଥ ଆଗରେ ବାଧକ ହେବାକୁ ଦିଅନ୍ତି ନାହିଁ।

ତେଣୁ ଆଜି କଂଗ୍ରେସ ସହ ଦୂରତା ରଖିବା କିମ୍ବା ଅନ୍ୟ ବିରୋଧୀ ଦଳ ସହ କିଛି ପ୍ରସଙ୍ଗରେ ଏକାଠି ହେବାକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ନବୀନଙ୍କ ପାଇଁ ରାଜନୈତିକ ସମ୍ପର୍କ ସ୍ଥାୟୀ ନୁହେଁ; ପରିସ୍ଥିତି ଓ ଆବଶ୍ୟକତା ହିଁ ଏହାର ଗତି ନିର୍ଦ୍ଧାରଣ କରେ।

ଏବେ ଦେଖିବାର କଥା ନବୀନଙ୍କର ଏହି ନୂଆ ରିସ୍କ୍ ତାଙ୍କୁ କେତେ ଫାଇଦା ପ୍ରଦାନ କରୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।