Neglect: ୧୨୦ଟି ମା‌ଗଣା ଔଷଧ, ୧୬ଟି ବିବିଧ ପରୀକ୍ଷାରୁ ୧୧୯ଟି ଅଂଚଳର ଲୋକେ ବଂଚିତ

Nov 08, 2026 - 21:03
Neglect: ୧୨୦ଟି ମା‌ଗଣା ଔଷଧ, ୧୬ଟି ବିବିଧ ପରୀକ୍ଷାରୁ ୧୧୯ଟି ଅଂଚଳର ଲୋକେ ବଂଚିତ

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ସିଏଚସି, ପିଏଚସିରେ ମିଳୁଥିବା ସ୍ବାସ୍ଥ୍ୟସେବାର ଚାପ କମାଇବା ସହ ତୃଣମୂଳସ୍ତରକୁ ଗୁଣାତ୍ମକମାନର ସ୍ବାସ୍ଥ୍ୟ ସେବା ପହଚାଂଇବା ସରକାରଙ୍କ ଲକ୍ଷ୍ୟ।

ସାମାନ୍ୟ ଜ୍ବର‌ ହେଲେ ବି ଲୋକେ ଉପସ୍ବାସ୍ଥ୍ୟ କେନ୍ଦ୍ର (ସବସେଣ୍ଟର)କୁ ଯିବା ସହ ଡାକ୍ତରଖାନାକୁ ଯାଉଥିଲେ।

ରୋଗୀଙ୍କର ବିଭିନ୍ନ ପରୀକ୍ଷା ପାଇଁ ବି ଯାଉଥିଲେ।

ଏସବୁ ଏଣିକି ଗ୍ରାମପଂଚାୟତ କିମ୍ବା ବଡ ରାଜସ୍ବ ଗାଁରେ ଉପଲବ୍ଧ କରିବା ପାଇଁ ସରକାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆରମ୍ଭ କରିଥିଲେ।

Advertisment ତେବେ ନବରଙ୍ଗପୁର ଜିଲ୍ଲାରେ ଯେଭଳି ଆଗେଇବା କଥା ଆଗେଇ ପାରୁନି।

୭୦ପ୍ରତିଶତ ଅଗ୍ରଗତିରେ ଅଟକି ରହିଛି।

ଅପରପକ୍ଷରେ ଏହା ଫଳରେ ଜିଲ୍ଲାର ୧୧୮ଟି ସବସେଣ୍ଟର ଓ ଗୋଟିଏ ପିଏଚସି ଅଂଚଳର ଲୋକେ ୧୨୦ଟି ମାଗଣାଔଷଧ ଓ ୧୬ଟି ବିବିଧ ପରୀକ୍ଷାରୁ ବଂଚିତ ହେବାକୁ ପଡୁଛି।

ପିଏଚସି, ସିଏଚସି , ସବସେଣ୍ଟର, ବିପିଏଚୟୁ, ସିସିବି, ଅଇପିଏଚଏଲ୍, ଏସଡିଏଚ୍ ଆଦି ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୨୯.୫ କୋଟିର ଅନୁଦାନ ଦେଇଥିଲେ।

ଗତ ସାଢ଼େ ୬ବର୍ଷ ହେବ ବହୁ ପ୍ରକଳ୍ପର କାମ ଏଯାଏଁ ସରିନି।

ଏପରିକି ଏଯାଏଁ ୧୧୮ଟି ସବସେଣ୍ଟର ଓ ଗୋଟିଏ ପିଏଚସିର କାମ ଏଯାଏଁ ଆରମ୍ଭ ହୋଇ ପାରିନି।

ଅପରପକ୍ଷ‌ରେ ନୂଆସରକାର ଆସିବା ପରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ଭିତ୍ତିଭୂମି ୭୦ପ୍ରତିଶତରେ ଲଟକିଛି।

ଜିଲ୍ଲାରେ ୨୮୯ଟି ସବସେଣ୍ଟର, ୪୧ଟି ପିଏଚସି, ଗୋଟିଏ ଅର୍ବନ ପିଏଚସି, ଗୋଟିଏ ୟୁଏଚଡବ୍ଲୁସିକୁ ଏଭଳି ୩୩୨ଟି ରହିଛି।

ଏଥିରୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ଏଏଏମ) ଯୋଜନାରେ ୨୮୯ଟି ସବସେଣ୍ଟରରୁ ୧୭୧ଟି‌ରେ କାର୍ଯ୍ୟକାରୀ ହୋଇଥିବା ବେଳେ ୧୧୮ଟିରେ ହୋଇପାରିନି।

୪୧ଟି ଏଏଏମ ପିଏଚସିରୁ ୪୦ଟିରେ ହୋଇଛି ଗୋଟିଏ ହେବାର ବାକି ରହିଛି।

ଗୋଟିଏ ଅର୍ବନ ପିଏଚସି ଓ ଗୋଟିଏ ୟୁଏଚଡବ୍ଲୁସିରେ କାର୍ଯ୍ୟକାରୀ ହେଲାଣି।

ଗ୍ରାମାଂଚଳର ଏଏଏମ୍ ସବସେଣ୍ଟରରେ କମ୍ୟୁନିଟି ହେଲଥ୍ ଅଫିସର, ମଲ୍ଟି ପରପଜ୍ ହେଲଥ୍ ଅଫିସର ଆଉ ଜଣେ ଯୋଗ ଶିକ୍ଷକ ରହିବେ।

ଜୀବନ ଶୈଳୀ ଯେଭଳି ପରିବର୍ତ୍ତନ ହେଉଛି ପଞ୍ଚାୟତରେ ଯୋଗ ଶିଖାଇବେ।

ଆୟୁଷମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାର ମେଡିସିନ ମାଗଣାରେ ଦିଆଯାଉଛି।

ତା ସହିତ ବ୍ଲଡ ପ୍ରେସର, ଡାଇବେଟିସ ଏଇସବୁ ଯେଉଁ ମେଡିସିନ ଦିଆଯାଉଛି।

ତାହାର ସମ୍ପୁର୍ଣ୍ଣ ରେକର୍ଡ ଓ ଡାଟାବେସ୍ ନିଜେ ରଖିବା ସହ ଅନଲାଇନରେ ଉପଲବ୍ଦ ରହିବ।

ତୁରନ୍ତ ଏଭଳି ସେବା ନବରଙ୍ଗପୁର ପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପଛୁଆ ଅଂଚଳ ପାଇଁ ଏହାର ଆବଶ୍ୟକତା ଅଧିକା ବୋଲି କହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।

ପୂର୍ତ୍ତ ବିଭାଗ ଅନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କାମ ନେଇଥିବାରୁ ବିଳମ୍ବ ହେଉଛି ବୋଲି କହିଛନ୍ତି ଏନଏଚଏମ୍ ନିର୍ବାହୀ ଯନ୍ତ୍ରୀ ଇଂ.ବିଶ୍ବ ରଂଜନ ଷଡଙ୍ଗୀ।

କ୍ଷେତ୍ର ପରିଦର୍ଶନ ସହ ଉନ୍ନୟନ କାମର ପୁଙ୍ଖାନୁପୁଙ୍ଖ ଯାଂଚ କରି ଯୁଦ୍ଧକାଳୀନ ଭି୍ତିରେ କାମ ସାରିବା ପାଇଁ ପ୍ରକ୍ରିୟା ଜାରୀ ରହିଛି ବୋଲି କହିଛନ୍ତି ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣୀ।

ତେବେ ଏହା କେବେ ସରିବ, ଲୋକେ କେବେ ନିଜ ଅଂଚଳ ଗାଁରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବେ ତାହା ସମୟ କହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।