New Look at Gundicha Temple: ଚମକିବ ଶ୍ରୀଜୀଉଙ୍କ ଜନ୍ମବେଦୀ; ଝଟକିବ ଶ୍ରୀଗୁଣ୍ଡିଚା ମନ୍ଦିର, ନୂଆ ରୂପ ପାଇଛି ଉତ୍ତରଦ୍ୱାର ଗୁମୁଟ

ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରାକୁ ମଝିରେ ରହିଲା ଆଉ ମାତ୍ର ୧୨ ଦିନ। ରତ୍ନବେଦୀରୁ ବାହାରି ଜନ୍ମବେଦୀ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ। ତା’ ଆଗରୁ ଗୁଣ୍ଡିଚା ମନ୍ଦିରର ଚାଲିଛି ନବୀକରଣ କାର୍ଯ୍ୟ। କହିବାକୁ ଗଲେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏକପ୍ରକାର ଶେଷ ପର୍ଯାୟରେ। ଉତ୍ତରଦ୍ୱାର ଗୁମୁଟର ଭିତର ଓ ବାହାରେ ଖଣ୍ଡୋଲାଇଟ୍ ପଥର ଲଗାଇବା ସହ ନବୀକରଣ କରାଯାଇଛି। ସେହପରି ବିଜେରାସ୍ତା, ଭିତର ଚକଡ଼ା, ଜଗମୋହନ-ନାଟମଣ୍ଡପରେ ନୂଆ ପଥର ସାଙ୍ଗକୁ ଏସି ଲଗାଯାଇଛି। ଦୀର୍ଘବର୍ଷ ପରେ ଗୁଣ୍ଡିଚା ମନ୍ଦିରର ନବକଳେବର ହେଉଥିବାରୁ ବିଭିନ୍ନ ବର୍ଗରେ ବଢ଼ିଛି ଉତ୍କଣ୍ଠା।
ଭାଇ ଭଉଣୀଙ୍କ ସହ ଆସିବେ ମହାପ୍ରଭୁ...ରତ୍ନବେଦୀରୁ ଓହ୍ଲାଇ ଜନ୍ମବେଦୀରେ କରିବେ ଲୀଳାଖେଳା...ଆଡ଼ପ ମଣ୍ଡପରେ ବିଜେ ସମୟରେ ଉଛୁଳି ପଡ଼ିବ ଶରଧାବାଲି। ନବଦିନାତ୍ମକ ଯାତ୍ରା ଭିତରେ ଚମକିବ ଗୁଣ୍ଡିଚା ମନ୍ଦିର।
ତେଣୁ ଏବଠୁ ଶ୍ରୀଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ। ନୂଆ ରୂପରେ ସଜେଇ ହେଉଛି ଜନ୍ମବେଦୀ। ସରିଆସୁଛି ନବୀକରଣ ସହ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ। ଏ ହେଉଛି ଗୁଣ୍ଡିଚା ମନ୍ଦିରର ଚାରିପାଖରେ ଥିବା ବିରାଟ ବଡ଼ ପ୍ରାଚୀର। ଖଣ୍ଡୋଲାଇଟ୍ ପଥର ଖଞ୍ଜାଯିବା ସହ ଲୁହାର ଗ୍ରୀଲ ଲଗାଯାଇଛି। ସବୁଠୁ ଆକର୍ଷଣୀୟ ରୂପ ଧାରଣ କରୁଛି ଉତ୍ତରଦ୍ୱାର ଗୁମୁଟ।
ପୂର୍ବ ଅପେକ୍ଷା ଗୁମୁଟର ସଂପ୍ରସାରଣ ସହ ମନ୍ଦିର ଢାଞ୍ଚାରେ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯାଉଛି। କେବଳ ଏତିକି ନୁହେଁ, ଭିତର ବେଢାରେ ବି କରାଯାଇଛି ଅନେକ ପଥରର ପରିବର୍ତ୍ତନ। ନାଟମଣ୍ଡପ ଠାରୁ କଳାହାଟ ଦ୍ୱାର ଯାଏଁ ବିଛାଯାଇଛି ନୂଆ ପଥର। ଦିଆଯାଉଛି ନୂଆ ରୂପ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି, ଘୋଷଯାତ୍ରା ପୂର୍ବରୁ ସବୁ କାର୍ଯ୍ୟ ସରିଯିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା କଥା, ମନ୍ଦିରର ଜଗମୋହନ ଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ପୁର୍ବରୁ ଯେଉଁ ସବୁ ପଥର ପଡ଼ିଥିଲା, ସେସବୁକୁ ପରିବର୍ତ୍ତନ କରାଯାଇଛି। ଟୁଣିଆ ମହଲ, ବଲ୍ଲଭ ଘର, ରୋଷଶାଳା ଆନେକ୍ସିରେ ସମ୍ପୂର୍ଣ୍ଣ ନବୀକରଣ, ଜଗମୋହନ-ନାଟମଣ୍ଡପରେ ନୂଆ ପଥର ଲଗାଯିବା ସହ ଲଗାଯାଇଛି ଏୟାର କଣ୍ଡିସନ୍।
ଉତ୍ତର ପୂର୍ବ ପଟ ବଗିଚାର ବି ନବୀକରଣ କରାଯାଇଛି। ଆଉ ଏ ହେଉଛି ଗୁଣ୍ଡିଚା ମନ୍ଦିରର ସିଂହଦ୍ବାର। ଯେଉଁପଟ ଦେଇ ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ କରାଯିବ, ସେହି ରାସ୍ତାରେ ବିଛାଯାଇଛି ଖଣ୍ଡୋଲାଇଟ୍ ପଥର। ଉତ୍ତର ଦ୍ବାର ଗୁମୁଟର ନବନୀକରଣ କରାଯିବା ସହ ଭିନ୍ନକ୍ଷମ ଭକ୍ତ ଯିବାକୁ ରାମ୍ପ ସୁବିଧା କରାଯାଇଛି। ଗୁଣ୍ଡିଚାମନ୍ଦିରର ବିଭିନ୍ନ ଜାଗାରେ ଲାଣ୍ଡସ୍କେପିଂ କରାଯାଇଛି।
ତାସହ ପୂର୍ବଥର ଭଳି ଏଥର ଯେମିତି କୌଣସି ଦଳାଚକଟା ଭଳି ସ୍ଥିତି ନଉପୁଜେ, ସେଥିପାଇଁ ଏକପ୍ରକାର ସଂକୁଚିତ ଥିବା ଇଲାକାକୁ ସମ୍ପୂର୍ଣ୍ଣ ଓସାରିଆ କରିବାକୁ ଚିନ୍ତା କରାଯାଇଛି। ଆଖପାଖରେ ଥିବା ନିର୍ମାଣ ଗୁଡ଼ିକୁ ଉଚ୍ଛେଦ ପାଇଁ ବି ପ୍ରସ୍ତାବ ଦିଆଯାଇଛି। ସେହିପରି ଶରଧାବାଲିରେ ସଭା ସମିତି କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ବାରଣ କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଦୀର୍ଘଦିନ ଧରି ଅବହେଳା ସହ ଅଣଦେଖା ହୋଇ ରହୁଥିଲା ଗୁଣ୍ଡିଚା ମନ୍ଦିର। କେବଳ ରଥଯାତ୍ରା ଆସିଲେ ସଫା ସୁତୁରା କିମ୍ବା ରଙ୍ଗ ବୋଳି ଅସ୍ଥାୟୀ ଭାବେ ନୂଆ ରୂପ ଦିଆଯାଉଥିଲା। ଏଥର କିନ୍ତୁ ନବକଳେବର କରାଯାଉଛି। ମହାପ୍ରଭୁଙ୍କ ପାଣ୍ଠିରୁ ନୁହେଁ, ବରଂ OMC ଏବଂ OBCC ଅନୁଦାନରେ ସୌନ୍ଦର୍ଯ୍ୟକରଣ ସହ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ଆଉ ଏହି ନବୀକରଣ ଯାହାକୁ ସେବାୟତ ଓ ସ୍ଥାନୀୟ ବାସିନ୍ଦା ବି ସ୍ୱାଗତ କରିଛନ୍ତି।
ଆସନ୍ତା ୧୬ରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଜନ୍ମବେଦୀକୁ ଆସିବେ ଶ୍ରୀଜୀଉ। ତେଣୁ ଏଥର ଭକ୍ତ, ଶ୍ରଦ୍ଧାଳୁ ଏବଂ ସେବାୟତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଏକ ଭିନ୍ନ ଅନୁଭୂତି ପାଇବେ ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।