New OUSSSC Portal Raises Hope: କେବେ ହେବ ପୋଲିସ SI ପରୀକ୍ଷା ? ଦିନ ଗଡୁଛି, ଆଶାୟୀଙ୍କ ଆଶା ଛିଡୁଛି; ଓ୍ୱେବସାଇଟ ଆରମ୍ଭ ପରେ ବଢ଼ିଲା ଆଶା
ବର୍ଷ ବର୍ଷର କଠିନ ପରିଶ୍ରମ, ଦିନରାତି ଏକ କରି ପ୍ରସ୍ତୁତି, ଆଉ ସେହି ଗୋଟିଏ ଆଶା। କେବେ ପୋଲିସ SI ଚାକିରି ପାଇଁ ବାହାରିବ ବିଜ୍ଞପ୍ତି, ଆଉ କେବେ ମିଳିବ ନିଯୁକ୍ତି। କିନ୍ତୁ ପରୀକ୍ଷା ଘୋଟାଲା ଆଉ କ୍ରମାଗତ ବିଳମ୍ବ ଭାଙ୍ଗିଦେଇଛି ଲକ୍ଷ ଲକ୍ଷ ଆଶାୟୀଙ୍କ ଧୈର୍ଯ୍ୟ। ଗୋଟିଏ ପଟେ ୬ ବର୍ଷର ଦୀର୍ଘ ଅପେକ୍ଷା, ୧୭ ହଜାରରୁ ଉର୍ଦ୍ଧ୍ୱ ଖାଲି ପଦବୀ। ଅନ୍ୟପଟେ CBI ତଦନ୍ତ ଭିତରେ OUSSSCର ନୂଆ ପୋର୍ଟାଲ, SI ଆଶାୟୀଙ୍କୁ ନୂଆ ଆଶାର ଆଲୋକ ନା ପୁଣି ଏକ ଅପେକ୍ଷାର ଆରମ୍ଭ ? ତାକୁ ନେଇ ଚର୍ଚ୍ଚା ଭିତରେ OUSSSCର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି। ...
ରାଜ୍ୟ ପୋଲିସରେ ଶେଷଥର ୨୦୨୧ ମସିହାରେ SI ପଦବୀ ପାଇଁ ନିଯୁକ୍ତି ହୋଇଥିଲା। ଏମାନେ ସେହି ୩୩୬ ପୋଲିସ SI କ୍ୟାଡେଟ। ଯେଉଁମାନେ ଶେଷ ବ୍ୟାଚ୍ ଭାବେ ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ଏକାଡେମୀରେ ୨୦୨୪ରୁ ପ୍ରଶିକ୍ଷଣ ନେଉଥିଲେ। ଶୁକ୍ରବାର ପ୍ରଶିକ୍ଷଣ ସାରି ପାସ୍ ଆଉଟ୍ କରିଛନ୍ତି। ସେପଟେ ୫ ବର୍ଷ ପରେ ବି ଖାଲି ପଦବୀ ଫାଙ୍କା।
୯୩୩ଟି SI ପଦବୀ ପାଇଁ ୨୦୨୫ ମାର୍ଚ୍ଚରେ ହେବାର ଥିଲା ପରୀକ୍ଷା। ପରେ ତାରିଖ ବଦଳାଇ ଅକ୍ଟୋବର ୫ ଓ ୬ରେ ପରୀକ୍ଷା ପାଇଁ ପ୍ରସ୍ତୁତି ବି ସରିଥିଲା। କିନ୍ତୁ ଏକଜାମ୍ ପୂର୍ବରୁ ସାମ୍ନାକୁ ଆସିଥିଲା ବଡ଼ କେଳେଙ୍କାରୀ। SI ପଦବୀ ବିକ୍ରି ଅଭିଯୋଗରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୧୧୭ ଜଣଙ୍କୁ ଆନ୍ଧ୍ରରୁ ଗିରଫ କରାଯାଇଥିଲା। ଚାକିରି ଦୁର୍ନୀତିର ପ୍ରଥମେ କ୍ରାଇମବ୍ରାଞ୍ଚ ଓ ଏବେ ତଦନ୍ତ କରୁଛି ସିବିଆଇ। ଆଉ ସ୍କାନରକୁ ଆସିଥିଲା ପରୀକ୍ଷା ପରିଚାଳନା କରୁଥିବା OPRBର ଭୂମିକା।
ରାଜ୍ୟ ସରକାର OPRBକୁ ଭାଙ୍ଗି ସ୍ୱଚ୍ଛ ନିଯୁକ୍ତି ପାଇଁ ଗଠନ କଲେ ଓଡ଼ିଶା ୟୁନିଫର୍ମ ସବ ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ-OUSSSC। କିନ୍ତୁ ଏଯାଏଁ ନୂଆ ନୋଟିଫିକେସନ୍ ନଆସିବାରୁ ବୟସ ଗଡ଼ିଯାଉଥିବା ଆଶାୟୀ ନିରାଶ ହୋଇଛନ୍ତି। ଏସବୁ ଭିତରେ OUSSSC ନିଜର ନୂଆ ୱେବସାଇଟ୍ ଉନ୍ମୋଚନ କରିବା ଆଶାୟୀଙ୍କ ମନରେ ସାମାନ୍ୟ ଆଶା ସଞ୍ଚାର କରିଛି।
ରାଜ୍ୟ ପୋଲିସରେ ଏବେ ୧୭ ହଜାର ପଦବୀ ଖାଲି ପଡିଛି। ମାନବ ସମ୍ବଳ ଅଭାବ ଯୋଗୁଁ ଆଇନ ଶୃଙ୍ଖଳା ରକ୍ଷା, ନିଶା ନିବାରଣ ଓ ସାଇବର ଅପରାଧ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ୁଛି। ଖୁବଶୀଘ୍ର ଖାଲିଥିବା ପଦବୀ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ୨ ବର୍ଷ ଭିତରେ ୧୭ହଜାର ୭୯୪ ପଦବୀ ସୃଷ୍ଟି କରାଯାଇଛି। ଏଥିରୁ ୫ ହଜାର ୮୧୭ ପଦ ପୂରଣ ହୋଇଛି।
ସେପଟେ ପୋଲିସ DG ଇନଚାର୍ଜ ବିନୟତୋଷ ମିଶ୍ରଙ୍କ କହିବା କଥା, ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଖୁବଶୀଘ୍ର OUSSSC ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇବ। ୯୩୩ SI ପଦବୀ ସହ ୩୦୦ କମ୍ୟୁନିକେସନ୍ କନଷ୍ଟେବଲ, ୨୨୧୨ OISF ଓ ୪ହଜାର ୨୧୯ ସିଭିଲ୍ କନଷ୍ଟେବଲ ପଦବୀ ପାଇଁ ପରୀକ୍ଷା କରିବାକୁ OUSSSCକୁ ଚିଠି ଲେଖାଯାଇଛି।
ପୋର୍ଟାଲ ଆସିଲା, କମିଶନ କାମ ଆରମ୍ଭ କଲେ। ପଦବୀର ତାଲିକା ବି ପହଞ୍ଚିଲା। ଏବେ ଅପେକ୍ଷା ବିଜ୍ଞପ୍ତିକୁ, ଆଉ ଆଶାୟୀଙ୍କ ଅପେକ୍ଷା କେବେ ବାହାରିବ SI ପରୀକ୍ଷା ନୋଟିସ ? ଆଉ ସବୁଠୁ ବଡ଼ ପ୍ରଶ୍ନ ପରୀକ୍ଷା ହେବ କିଭଳି ? ଥାର୍ଡ ପାର୍ଟି ଜରିଆରେ ନା OUSSSC ନିଜସ୍ୱ ଲଜିଷ୍ଟିକ୍ ସପୋର୍ଟ ସହ ପୂର୍ଣ୍ଣ କ୍ଷମତାରେ ପରୀକ୍ଷା ପରିଚାଳନା କରିବ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।