ଅଭିଜିତ୍ ଦିପ୍କେଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ, ନୋଟିସ୍ ଦେଇ କହିଲା…
ନୂଆଦିଲ୍ଲୀ,୧୬।୧୦: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି ଦିଲ୍ଲୀର କନ୍ନଟ୍ ପ୍ଲେସ୍ ସେଣ୍ଟ୍ରାଲ୍ ପାର୍ଟ ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଣ୍ଟ୍ରାଲ୍ ପାର୍ଟରେ ଧାରା ୧୬୩ ଲାଗୁ ଥିବାରୁ ସେଠାକୁ ନ ଯିବାକୁ ଦିଲ୍ଲୀ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି। ଏହା ସହିତ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦିପ୍କେଙ୍କୁ ବିନା ଅନୁମତିରେ ମାର୍ଚ୍ଚ ନ ବାହାର କରିବାକୁ ପୋ ନୋଟିସ୍ ଜାରି କରିଛି।
ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୫ରୁ ୨୦ ଜଣ ପୋଲିସ କର୍ମଚାରୀ ଅଭିଜିତ୍ ଦିପ୍କେଙ୍କ ଝଣ୍ଡେୱାଲାନ୍ ସ୍ଥିତ ବନ୍ଧୁଙ୍କ ବାସଭବନରେ ପହଞ୍ଚି ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ବାତିଲ୍ କରିବା ପାଇଁ ନୋଟିସ୍ ପ୍ରଦାନ କରିଛନ୍ତି। ସେଣ୍ଟ୍ରାଲ୍ ପାର୍ଟ ଓ ଏହାର ଆଖପାଖ ଅଞ୍ଚଳରେ ବିଏନ୍ଏସ୍ଏସ୍ (BNSS) ଧାରା ୧୬୩ ଲାଗୁ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ସିଜେପି ସଦସ୍ୟ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ତିରଙ୍ଗା ଉଡ଼ାଇଥିବା ଅଭିଯୋଗରେ ଜେଲ୍ରେ ଗିରଫ କରାଯାଇଥିବା ଦାବି କରି, ଶୁକ୍ରବାର ସନ୍ଧ୍ୟାରେ କନ୍ନଟ୍ ପ୍ଲେସ୍ ସେଣ୍ଟ୍ରାଲ୍ ପାର୍ଟରେ ‘ଲହରା ଦୋ ତ୍ରିରଙ୍ଗା’ ମାର୍ଚ୍ଚ ମାର୍ଚ୍ଚର ଆହ୍ୱାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC) ପକ୍ଷରୁ ଶୁକ୍ରବାର ଓ ଶନିବାର ଦୁଇ ଦିନ ପାଇଁ ସେଣ୍ଟ୍ରାଲ୍ ପାର୍ଟକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରାଯାଇଛି।
ପ୍ରସ୍ତାବିତ ମାର୍ଚ୍ଚକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଅଞ୍ଚଳରେ ୬ ହଜାରରୁ ଅଧିକ ଦିଲ୍ଲୀ ପୋଲିସ ଯବାନ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ୨୨୦ କମ୍ପାନୀ ଏବଂ ସିସିଟିଭି (CCTV) କ୍ୟାମେରା ନିୟୋଜିତ କରାଯାଇଛି। କନ୍ନଟ୍ ପ୍ଲେସ୍, ରାଜୀବ ଚୌକ, ଜନ୍ତରମନ୍ତର, ପାଳିକା ବଜାର ଏବଂ ଲୁଟିୟନ୍ସ ଦିଲ୍ଲୀର ସମ୍ବେଦନଶୀଳ ସ୍ଥାନମାନଙ୍କରେ କଡ଼ା ପହରା ରହିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯିବା ସହ ଅତିରିକ୍ତ ୫ ହଜାର ଯବାନଙ୍କୁ ରିଜର୍ଭ ରଖାଯାଇଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିକୁ ନେଇ ହେବାକୁ ଥିବା ଏହି ମାର୍ଚ୍ଚ କାରଣରୁ ଏନ୍ଡିଏମ୍ସି ସେଣ୍ଟ୍ରାଲ୍ ପାର୍ଟକୁ ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ତେବେ କୋର୍ଟ ଏହି ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି।
ମୁଖ୍ୟ ବିଚାରପତି (CJI) ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ବେଞ୍ଚ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସମସ୍ତ ପକ୍ଷ ବୁଦ୍ଧିମତ୍ତାର ସହ କାର୍ଯ୍ୟ କରିବେ ବୋଲି କୋର୍ଟ ଆଶା କରନ୍ତି। ବେଞ୍ଚ ମତ ପ୍ରକାଶ କରିଛନ୍ତି ଯେ ପ୍ରତିବାଦ କରିବାର ଅଧିକାର, ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସବୁ ପରସ୍ପର ସହ ଜଡ଼ିତ। ଯଦି ପଦକ୍ଷେପଗୁଡ଼ିକ ଅତ୍ୟନ୍ତ କଠୋର ବୋଲି ଜଣାପଡ଼େ, ତେବେ କୋର୍ଟ ହସ୍ତକ୍ଷେପ କରିପାରିବେ ଏବଂ ଏହି ମାମଲାକୁ ଆସନ୍ତା ୨୬ କିମ୍ବା ୨୭ ଅକ୍ଟୋବରରେ ତାଲିକାଭୁକ୍ତ କରାଯାଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।