ଅଷ୍ଟ୍ରେଲୀୟ ଦଳରୁ ବାଦ ପଡ଼ିଲେ ଏହି ୩ ଖେଳାଳି; ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ନୂଆଙ୍କୁ ସୁଯୋଗ
ନୂଆଦିଲ୍ଲୀ,୨।୧୧: କ୍ରିକେଟ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ (ODI) ଏବଂ ଟି-୨୦ ସିରିଜ ପାଇଁ ନିଜ ଦଳ ଘୋଷଣା କରିଛି। ଦିନିକିଆ ଦଳରୁ ତିନିଜଣ ପ୍ରମୁଖ ବୋଲରଙ୍କୁ ବାଦ ଦିଆଯାଇଥିବା ବେଳେ କେତେଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପାଟ କମିନ୍ସ, ଜୋଶ ହେଜଲଉଡ ଏବଂ ମିଚେଲ ଷ୍ଟାର୍କଙ୍କୁ ଦଳରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି।
୨୧ ବର୍ଷୀୟ ଦ୍ରୁତ ବୋଲର ମାହଲି ବର୍ଡମ୍ୟାନ, ଯିଏ ନିକଟ ଅତୀତରେ ନିଜ ବୋଲିଂ ଦ୍ୱାରା କ୍ରମାଗତ ଭାବେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି, ସେ ଦଳରେ ସ୍ଥାନ ପାଇଛନ୍ତି। ସେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ ଖେଳିଛନ୍ତି ଏବଂ ଟି-୨୦ ଫର୍ମାଟରେ ତାଙ୍କର ପଦାର୍ପଣ ବାକି ରହିଛି।
ଚୟନକର୍ତ୍ତାମାନେ ଜ୍ୟାକ ଏଡୱାର୍ଡସ, ସ୍ପେନସର୍ ଜନସନ ଏବଂ ଲିଆମ ସ୍କଟଙ୍କୁ ODI ଦଳକୁ ଫେରାଇ ଆଣିଛନ୍ତି। ଏଡୱାର୍ଡସ T20 ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି, ଯେଉଁଥିରେ ଜେକ ଫ୍ରେଜର-ମ୍ୟାକଗର୍କ ମଧ୍ୟ ସାମିଲ ଅଛନ୍ତି। ବିବିଏଲ (BBL) ଏବଂ ଇଣ୍ଡିଆ ‘ଏ’ (India A) ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଲାଚଲାନ ଶ’ ମଧ୍ୟ ଦଳରେ ନିଜର ସ୍ଥାନ ପକ୍କା କରିଛନ୍ତି।
ଟ୍ରାଭିସ ହେଡ, ମାଥ୍ୟୁ ରେନଶ’ (Matthew Renshaw), ଜୋଶ ଇଙ୍ଗଲିସ, କୁପର କନୋଲି ଏବଂ କ୍ୟାମେରନ ଗ୍ରୀନଙ୍କୁ ODI ଦଳରେ ଅନ୍ତର୍ଭୁକ୍ତ କରାଯାଇଛି; କିନ୍ତୁ ସେମାନଙ୍କୁ T20 ଦଳରେ ସାମିଲ କରାଯାଇନାହିଁ। ଖେଳାଳିମାନଙ୍କ ଉପରେ ଥିବା କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, କାରଣ ଟେଷ୍ଟ ମ୍ୟାଚଗୁଡ଼ିକ ପାଇଁ ସେମାନଙ୍କୁ ସତେଜ ରଖିବା ଆବଶ୍ୟକ।
କାର୍ଯ୍ୟଭାର ପରିଚାଳନା (workload management) କାରଣରୁ କମିନ୍ସ, ଷ୍ଟାର୍କ ଏବଂ ହେଜଲଉଡଙ୍କୁ ଉଭୟ ଦିନିକିଆ (ODI) ଏବଂ ଟି-୨୦ ସିରିଜରୁ ବାଦ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପରେ, ଦଳକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ବିପକ୍ଷରେ ମଧ୍ୟ ଟେଷ୍ଟ ସିରିଜ ଖେଳିବାର ଅଛି; ଏହି ପରିପ୍ରେକ୍ଷୀରେ ଉକ୍ତ ତିନି ଖେଳାଳିଙ୍କୁ ଚୟନ କରାଯାଇ ନାହିଁ। ଅନ୍ୟପକ୍ଷରେ, ଆଘାତ କାରଣରୁ ନାଥନ ଏଲିସ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି, କିନ୍ତୁ ତାଙ୍କୁ ଟି-୨୦ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।