ଅସଫଳତାକୁ ସ୍ବୀକାର

Sep 23, 2026 - 08:02
ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ ସୁଯୋଗ ପାଇବ। ୨୦୨୬ ବିଶ୍‌କପ୍‌ ଫୁଟ୍‌ବଲ ଫାଇନାଲ ଜୁଲାଇ ୧୯ରେ ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ସୃଷ୍ଟି ହୋଇଥିବା ଉତ୍ସୁକତା ଭିତରେ ଭାରତୀୟଙ୍କ ପାଇଁ ଆନନ୍ଦର ମୁହୂର୍ତ୍ତ ଆଣିଥିବା ବିଷୟଟିଏ ବିଲୀନ ହୋଇଯାଇଥିବା ନେଇ ଖବର ଏବେ ଗୁଞ୍ଜରଣ ସୃଷ୍ଟି କରିଛି। ତାହା ହେଲା ଜୁଲାଇ ୧୮ରେ ସୁଇଡେନ୍‌ର ଗୋଟେନ୍‌ବର୍ଗଠାରେ ଅନୁଷ୍ଠିତ ୧୨ ବର୍ଷରୁ କମ୍‌ ଗୋଥିଆ କପ୍‌-୨୦୨୬ ଫୁଟ୍‌ବଲ ଫାଇନାଲରେ ଭାରତର ମିନର୍ଭା ଏକାଡେମୀ ବ୍ରାଜିଲ୍‌ର ଆର୍‌.ଏସ୍‌. ସ୍ପୋର୍ଟସକୁ ୨-୧ ଗୋଲ୍‌ରେ ପରାସ୍ତ କରି ଇତିହାସ ରଚିଥିଲା। ଅନେକଙ୍କ କାନରେ ଏହି ବିଷୟଟି ପ୍ରବେଶ କରି ନ ଥିବାରୁ ସେହି ଘଟଣା ଉପରେ ସାଧାରଣରେ ଆଲୋକପାତ କରାଯାଇପାରେ। ଭାରତର ପୁରୁଷ ଫୁଟ୍‌ବଲ ଟିମ୍‌ ଅନ୍ତର୍ଜାତୀୟ ପ୍ରଦର୍ଶନ ଦେବାରେ ଅକ୍ଷମ। ଏତେ ବର୍ଷ ଧରି କ୍ରିକେଟ୍‌ରେ ମାତି ରହିଥିବା ଏହି ଜାତି ଅନ୍ୟ କୌଣସି ଖେଳକୁ ପ୍ରୋତ୍ସାହନ ଦେଉନାହିଁ। କିଛିବର୍ଷ ପୂର୍ବେ ଓଡ଼ିଶାରେ, ଅଳ୍ପବହୁତେ, ହକିକୁ ଭଲ ଭାବେ ଦୃଷ୍ଟି ଦିଆଯାଇଥିଲା। ଏବେ ତାହା ମଧ୍ୟ ବଜାୟ ରହିଲା ନାହିଁ। ଏଭଳି ପ୍ରଚ୍ଛଦପଟରେ ମଣିପୁର, ମିଜୋରାମ, ମେଘାଳୟ ଓ ନାଗାଲାଣ୍ଡ ଭଳି ଉତ୍ତରପୂର୍ବାଞ୍ଚଳର ଅଧିକାଂଶ ପିଲାଙ୍କୁ ନେଇ ଗଠିତ ମିନର୍ଭା ଏକାଡେମୀ ଗୋଥିଆ କପ୍‌-୨୦୨୬ ଜିତିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା କଥା। କିନ୍ତୁ ଆମର କାହାର ଏଥିପ୍ରତି ଦୃଷ୍ଟି ନାହିଁ। ଦେଶର ରାଜଧାନୀ ଦିଲ୍ଲୀର ନାଗରିକଙ୍କ ନକାରାତ୍ମକ ଆଭିମୁଖ୍ୟ ପ୍ରାୟ ସମଗ୍ର ଦେଶରେ ଛାଇଯାଇଛି। ଉତ୍ତର-ପୂର୍ବାଞ୍ଚଳରୁ ଆସୁଥିବା ଉଚ୍ଚଶିକ୍ଷିତ ତଥା ପରିଶ୍ରମୀ ଯୁବତୀଯୁବକଙ୍କୁ ଘୃଣାଭାବରେ ଦେଖାଯାଉଥିବାରୁ ତାହା ସାଧାରଣ ଭାରତୀୟର ଭେଦଭାବର ମନୋବୃତ୍ତି ଦର୍ଶାଏ। ଖାଲି ଜାତିରେ ଉଚ୍ଚ ନୀଚ ଭାବନାରେ ସୀମିତ ନୁହେଁ, ଆଜି ମଧ୍ୟ ଖାଦ୍ୟଠାରୁ ଆରମ୍ଭ କରି ଭାଷା ପର୍ଯ୍ୟନ୍ତ ସବୁଥିରେ ଏହି ଦେଶର ଜନସାଧାରଣ ନିଜ ଭିତରେ ଘୃଣାଭାବ ପ୍ରୋତ୍ସାହନ ଦେଇ ପୋଷି ରଖିଛନ୍ତି।
ପଞ୍ଜାବର ମୋହାଲିଠାରେ ୨୦୦୫ରେ ରଞ୍ଜିତ ବଜାଜ ମିନର୍ଭା ଏକାଡେମୀ ଗଠନ କରିଥିଲେ। ଏହି ଏକାଡେମୀ ଫିନ୍‌ଲାଣ୍ଡ୍‌ରେ ହେଲସିଙ୍କି କପ୍‌ ଜିତିବାର ମାତ୍ର କିଛି ସପ୍ତାହ ପରେ ଗୋଥିଆ କପ୍‌ ଜିତିଲା, ଯାହାଫଳରେ କ୍ଲବ୍‌ ଗୋଟିଏ ଗ୍ରୀଷ୍ମଋତୁରେ ଦୁଇଟି ୟୁରୋପୀୟ ଟାଇଟଲ ନିଜ ନାମରେ କରିପାରିଛି। ରଞ୍ଜିତଙ୍କ ପ୍ରୟାସ ଐକାନ୍ତିକ ନିଷ୍ଠାର ଏକ ଜ୍ୱଳନ୍ତ ଉଦାହରଣ। ବର୍ଷ ବର୍ଷର ତ୍ୟାଗ ଏବଂ ତୃଣମୂଳସ୍ତରର ଫୁଟ୍‌ବଲ ପାଇଁ ଥିବା ପ୍ରତିବଦ୍ଧତା ବଳରେ ସେ ଏକ ସ୍ବପ୍ନକୁ ବାସ୍ତବତାରେ ରୂପାନ୍ତରିତ କରିଛନ୍ତି। ସେ ମିନର୍ଭା ଏକାଡେମୀକୁ ଚାମ୍ପିୟନ କରାଇବାରେ ସାହାଯ୍ୟ କରିବା ସହ ଅନେକ ଯୁବ ଫୁଟ୍‌ବଲ ଖେଳାଳିଙ୍କୁ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ନିଷ୍ଠା, ଦୂରଦୃଷ୍ଟି ଏବଂ ତୃଣମୂଳସ୍ତରର ବିକାଶ ଦ୍ୱାରା ବିଶ୍ୱସ୍ତରୀୟ ପ୍ରତିଭା ସୃଷ୍ଟି କରାଯାଇପାରୁଛି।
ରଞ୍ଜିତଙ୍କ ଦୀର୍ଘବର୍ଷର ନିଷ୍ଠାକୁ ଭାରତ ସରକାର ବୁଝିବାରେ ଅକ୍ଷମ ହେବା ସବୁଠାରୁ ପରିତାପର ବିଷୟ। ୨୦୨୫ ଡିସେମ୍ବରରେ ଆର୍ଜେଣ୍ଟିନା ଖେଳାଳି ଲିଓନେଲ ମେସିଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ‘ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌ ବା ଜିଓଏଟି ଇଣ୍ଡିଆ ଟୁର୍‌୍‌’ ବେଳେ ଆୟୋଜକମାନେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ବିଦେଶୀ ଖେଳାଳିଙ୍କ ପାଇଁ ଏଭଳି ଅର୍ଥ ଖର୍ଚ୍ଚକୁ ରଞ୍ଜିତ ସମାଲୋଚନା କରିଥିଲେ। ସେହି ଅର୍ଥକୁ ତୃଣମୂଳସ୍ତରର ଭିତ୍ତିଭୂମି ଏବଂ ଖେଳାଳିମାନଙ୍କ ବିକାଶ ପାଇଁ ବ୍ୟବହାର କରାଯିବା ଉଚିତ ଥିଲା ବୋଲି ସେ ପ୍ରକାଶ କରିଥିଲେ। ରଞ୍ଜିତ କହିଥିଲେ, ତାଙ୍କୁ ୧୫୦ କୋଟି ଟଙ୍କା ଦିଆଗଲେ ଭାରତ ପାଇଁ ବିଶ୍ୱକପ୍‌ ଜିତିବାକୁ ୧୦ ଜଣ ମେସି ତିଆରି କରିଦେବେ। ଏହାସହ ସେ ଗୁରୁତ୍ୱ ଦେଇଛନ୍ତି ଯେ, ଦେଶକୁ କେବଳ କିଛି ସମୟର ବିଦେଶୀ ପ୍ରଦର୍ଶନ ଉପରେ ନିର୍ଭର ନ କରି ଦୃଢ଼ ବ୍ୟବସ୍ଥାଗତ ଯୋଜନା, ଠିକ୍‌ କୋଚିଂ ଏବଂ ସ୍ଥାନୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି।
ରଞ୍ଜିତଙ୍କ କ୍ଷୋଭକୁ ସରକାରୀ ଓ ବେସରକାରୀ ସ୍ତରରେ ଗୁରୁତ୍ୱ ଦିଆଯିବା ଦରକାର। କ୍ରିକେଟ କ୍ରୀଡ଼ା ସଂସ୍କୃତିକୁ ବ୍ୟାପକ କରିଥିବା ବେଳେ ଆର୍ଥିକ ଆଧିପତ୍ୟ ଜାରି ରଖୁୁଛି। ସେହି ତୁଳନାରେ ଫୁଟ୍‌ବଲକୁ ଭଲ ଖେଳପଡ଼ିଆଟିଏ ଭଳି ସାଧାରଣ ଭିତ୍ତିଭୂମି ମିଳୁପାରୁ ନାହିଁ। ଯୁବ ଖେଳାଳିଙ୍କ ପାଇଁ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଅଭାବ ଯୋଗୁ ଭାରତ ବିଶ୍ୱସ୍ତରୀୟ ଫୁଟ୍‌ବଲ ଖେଳାଳି ସୃଷ୍ଟି କରିବାରେ ବିଫଳ ହେଉଛି। ୧୫ ବର୍ଷ ବୟସର ଯୁବ ଭାରତୀୟ ଖେଳାଳିମାନେ ବର୍ଷକୁ ମାତ୍ର ୧୨ରୁ ୧୫ଟି ମ୍ୟାଚ୍‌ ଖେଳନ୍ତି। ଏହା ତୁଳନାରେ ଜାପାନ କିମ୍ବା ଦକ୍ଷିଣ କୋରିଆର ଯୁବ ଖେଳାଳିମାନେ ୪୦ରୁ ୫୦ଟି ମ୍ୟାଚ୍‌ ଖେଳିଥାନ୍ତି। ଆର୍ଜେଣ୍ଟିନା, ବ୍ରାଜିଲ କଥା ଦେଖିଲେ ପିଲାଟିବେଳୁ ସେମାନେ ଫୁଟ୍‌ବଲ ପାଇଁ ସମର୍ପିତ। ଭାରତର ଗ୍ରାମାଞ୍ଚଳରେ ବହୁ ପ୍ରତିଭା ଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରିବା ଲାଗି ବ୍ୟବସ୍ଥା ହେବା ଦରକାର। ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ଭାରତ ଚେଷ୍ଟା କରୁଥିଲେ ମଧ୍ୟ ଅଧିକ ଭଲ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ଦିଗରେ ପ୍ରୟାସ କରୁନାହିଁ। ଇଭେଣ୍ଟ ଆୟୋଜନ କରି ବାହାବା ପାଇବା ଅପେକ୍ଷା ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସଫଳ କ୍ରୀଡ଼ାବିତ୍‌ ତିଆରି କରିବା ସର୍ବାଧିକ ଗୁରୁତ୍ୱ ବହନ କରେ। କିନ୍ତୁ ତାହା ହେବ ନାହିଁ। କ୍ରୀଡ଼ାମନ୍ତ୍ରୀ ଓ କ୍ରୀଡ଼ା ସଚିବ ମୁଷ୍ଟିମେୟ ବେପାରୀଙ୍କୁ ନେଇ ବିଦେଶ ଭ୍ରମଣ କରିବାକୁ ଗଲାବେଳେ ସାଥିରେ ଅଳ୍ପ କେତେଜଣ ଖେଳାଳିଙ୍କୁ ବୁକୁଚାବୁହା ଭାବେ ନେଇଥାନ୍ତି। ସେହି ଖେଳାଳିମାନେ ଯଦି କିଛି ସଫଳତା ପାଇପାରିଲେ, ତେବେ ସେମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭେଟ ହୋଇଥାଏ ଏବଂ ଫଟୋ ଉଠାଯାଇ ଟେଲିଭିଜନରେ ତାହା ପ୍ରସାରଣ କରାଯାଏ। ଯଦି କୌଣସି ମେଡାଲ ନ ମିଳିଲା, ତେବେ ମନ୍ତ୍ରୀ, ସଚିବ ଓ ଚେଲାଚାମୁଣ୍ଡାଙ୍କ ସୁନ୍ଦର ବିଦେଶବୁଲା ହୋଇଯାଏ। ଏହା ହିଁ ଭାରତର ବାସ୍ତବତା। ସ୍ବୀକାର କରିନେଲେ ସହଜରେ ବଞ୍ଚିବା ସମ୍ଭବପର।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।