ଆମେରିକା ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ମତଦାନ ଜାରି
ଓ୍ବାଶିଂଟନ,୪ା୧୧: ଆମେରିକା କଂଗ୍ରେସକୁ କେଉଁ ଦଳ ନିୟନ୍ତ୍ରଣ କରିବ, ସେନେଇ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଛି। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ ଆସନ ଏବଂ ସିନେଟ୍ର ୩୫ ଆସନ ପାଇଁ ମତଦାନ ହେଉଛି। ଯେଉଁ ଦଳ ୨୧୮ ଆସନ ଜିତିବ, ହାଉସ୍ ତା’ର ନିୟନ୍ତ୍ରଣରେ ରହିବ। ବର୍ତ୍ତମାନ ହାଉସ୍ରେ ରିପବ୍ଲିକାନ୍ର ୨୧୯ ସଦସ୍ୟ ରହିଛନ୍ତି, ଯାହାକି ଆବଶ୍ୟକ ସଂଖ୍ୟାଗରିଷ୍ଠତାଠାରୁ ମାତ୍ର ଗୋଟିଏ ଆସନ ଅଧିକ। ଏଥିସହିତ ସମ୍ପ୍ରତି ୨ଟି ଆସନ ଖାଲି ରହିଛି। ସିନେଟରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ଡେମୋକ୍ରାଟ୍ମାନଙ୍କୁ ୫୧ ଏବଂ ରିପବ୍ଲିକାନମାନଙ୍କୁ ୫୦ ଆସନ ଜିତିବା ଆବଶ୍ୟକ, କାରଣ ସମାନ ଭୋଟ ସ୍ଥିତିରେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ତାଙ୍କ ଦଳ ପାଇଁ ନିର୍ଣ୍ଣାୟକ ଭୋଟ ଦେଇପାରିବେ। ଏବେ ସିନେଟରେ ରିପବ୍ଲିକାନ୍ର ୫୩ ଓ ଡେମୋକ୍ରାଟର ୪୭ ସଦସ୍ୟ ରହିଛନ୍ତି।
ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମୋକ୍ରାଟମାନେ ସିନେଟ ଓ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ ନିୟନ୍ତ୍ରଣ କରିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଆମେରିକା ବିଶ୍ଳେଷକ ନାଟେ ସିଲ୍ଭରଙ୍କ ପୂର୍ବାନୁମାନ ମଡେଲ ଅନୁଯାୟୀ, ଡେମୋକ୍ରାଟ୍ମାନେ ସିନେଟ ନିୟନ୍ତ୍ରଣ କରିବା ସମ୍ଭାବନା ୮୨ ପ୍ରତିଶତ ହୋଇଥିବାବେଳେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଦଖଲ କରିବା ପାଇଁ ସେମାନେ ପ୍ରମୁଖ ଦାବିଦାର ରହିଛନ୍ତି। ନିର୍ବାଚନ ଫଳାଫଳ ବୁଧବାର ସୁଦ୍ଧା ସ୍ପଷ୍ଟ ହୋଇଯିବ। ତେବେ ସ୍ଥିତି ଆଗକୁ କିଭଳି ରୂପ ନେବ, ତାହା ଏବେ ମଧ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ନାହିଁ। ସାଧାରଣ ମତଦାନରେ ଡେମୋକ୍ରାଟମାନେ ରିପବ୍ଲିକାନଙ୍କଠାରୁ ୯.୪ ପଏଣ୍ଟ ଆଗୁଆ ଅଛନ୍ତି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଲୋକପ୍ରିୟତା ବିଯୁକ୍ତ ୨୦.୪ ରହିଛି। ଯଦି ରିପବ୍ଲିକାନ୍ମାନେ ଆଶାଠାରୁ ଭଲ ପ୍ରଦର୍ଶନ କରନ୍ତି, ତେବେ ସେପ୍ଟେମ୍ବର ଶେଷ ଭାଗରୁ ପେଟ୍ରୋଲ ଦର ହ୍ରାସ ପ୍ରଭାବ ଏଥିପାଇଁ ଦାୟୀ ହୋଇପାରେ।
ସିଲ୍ଭରଙ୍କ ଜାତୀୟ ମତଦାନର ମୋଟାମୋଟି ତଥ୍ୟ ଅନୁଯାୟୀ, ୫୮.୮ ପ୍ରତିଶତ ଆମେରିକୀୟ ଟ୍ରମ୍ପ୍ଙ୍କ କାର୍ଯ୍ୟକୁ ପସନ୍ଦ କରୁ ନ ଥିବାବେଳେ ୩୮.୪ ପ୍ରତିଶତ ପସନ୍ଦ କରୁଛନ୍ତି। ଗତ ଅକ୍ଟୋବର ୨୧ରେ ଟ୍ରମ୍ପ୍ଙ୍କ ଲୋକପ୍ରିୟତା କମି ବିଯୁକ୍ତ ୨୪.୩ରେ ପହଞ୍ଚତ୍ଥିଲା। ସିଲ୍ଭରଙ୍କ ଆକଳନ ଅନୁଯାୟୀ, ଆପ୍ରବାସନ ଉପରେ ଟ୍ରମ୍ପ୍ଙ୍କ ମୋଟ ଅନୁମୋଦନ ବିଯୁକ୍ତ ୧୨.୧ ହୋଇଥିବାବେଳେ ବାଣିଜ୍ୟରେ ବିଯୁକ୍ତ ୨୭.୦, ଅର୍ଥନୀତିରେ ବିଯୁକ୍ତ ୨୮.୬ ଏବଂ ମୁଦ୍ରାସ୍ଫୀତିରେ ବିଯୁକ୍ତ ୪୪.୪ ରହିଛି। ସେହିପରି ଇରାନ ଯୁଦ୍ଧକୁ ୫୬.୬ ପ୍ରତିଶତ ଆମେରିକୀୟ ବିରୋଧ କରୁଥିବାବେଳେ ୩୫.୯ ପ୍ରତିଶତ ସମର୍ଥନ କରୁଛନ୍ତି।
୨୦୨୨ ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ସ ସିନେଟ୍ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ହେଁ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।