ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

Oct 04, 2026 - 20:08
ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ ଅର୍ଥନୈତିକ ସଶକ୍ତୀକରଣ ପାଇଁ ଆମ୍ବେଦକର ସେବା ସଂଘ ପକ୍ଷରୁ ରବିବାର ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟରୁ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା, କାର୍ଯ୍ୟକାରୀ ସଭାପତି ଦୈତାରୀ ନାୟକ, ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ଉପଦେଷ୍ଟା ସୁବଳ ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ନାୟକ, ନୟାଗଡ଼ ସଭାପତି ବବୁଲ ନାୟକ ପ୍ରମୁଖ କର୍ମକର୍ତ୍ତାଙ୍କୁ ଭବ୍ୟ ସ୍ବାଗତ କରାଯାଇ ଦିଗପହଣ୍ଡି- ଆସିକା ମୁଖ୍ୟରାସ୍ତାର ଆମ୍ବେଦକର ମୋଚି ସମାଜ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ସେଠାରେ ଅନୁଷ୍ଠିତ ସାଧାରଣ ସଭା ପୂର୍ବରୁ ବାବାସାହେବ ଡ. ବି.ଆର୍‌.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଆମ୍ବେଦକର ଦେଶର ଅନୁସୂଚିତ ଜାତି, ଜନଜାତି ଓ ଅବହେଳିତ ବର୍ଗଙ୍କ ଅଧିକାର ସୁରକ୍ଷା ପାଇଁ ସମ୍ବିଧାନରେ ସମାନତା, ସ୍ବାଧୀନତା ଓ ସାମାଜିକ ନ୍ୟାୟର ଦୃଢ଼ ବ୍ୟବସ୍ଥା କରିଥିଲେ। କିନ୍ତୁ ଦେଶ ସ୍ବାଧୀନତା ପରେ ମଧ୍ୟ ଏହି ବର୍ଗର ଲୋକମାନେ ଜାତିଗତ ଅସ୍ପୃଶ୍ୟତା, ଭେଦଭାବ, ଧାର୍ମିକ ସ୍ବାଧୀନତାର ଅଭାବ ଓ ଅର୍ଥନୈତିକ ଦୁର୍ବଳତା ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ସଂଘର କାର୍ଯ୍ୟକର୍ତ୍ତା ବୃନ୍ଦ ସଭାରେ ଉଦ୍‌ବୋଧନ ଦେଇଥିଲେ।

ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ରହିଥିଲେ ମଧ୍ୟ ଏହାର ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ନେଇ ସଂଘର ନେତୃବୃନ୍ଦ ଅଭିଯୋଗ କରିଥିଲେ। ଆଇନ ବ୍ୟବସ୍ଥାକୁ ବିଭିନ୍ନ କ୍ଷେତ୍ରରେ ଦୁର୍ବଳ କରାଯାଉଥିବାରୁ ପୀଡ଼ିତ ଓ ନିର୍ଯାତିତ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା କହିଥିଲେ।

ଶିକ୍ଷା କ୍ଷେତ୍ରରେ ମଧ୍ୟ ଅବହେଳିତ ଓ ଦଳିତ ବର୍ଗଙ୍କ ସ୍ବାର୍ଥକୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠାଇ ସଂଘ କହିଛି ଯେ, ସମ୍ବିଧାନର ମୂଳ ଆଦର୍ଶକୁ ସମସ୍ତ କ୍ଷେତ୍ରରେ ପ୍ରୟୋଗ କରିବା, ସମ୍ବିଧାନ ଓ ଆଇନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏବଂ ବିକାଶମୂଳକ କାର୍ଯ୍ୟରେ ଏହି ବର୍ଗଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା।

ଶେଷରେ ସଂଘର ଗଞ୍ଜାମ ଜିଲା କମିଟି ଗଠନ କରାଯାଇଥିଲା। ସଂଘର କାର୍ଯ୍ୟକାରୀ ସଭାପତି ଭାବେ ଟି. ଲବ ରାଓ, ସଭାପତି ଏସ୍‌. ପ୍ରହଲ୍ଲାଦ, ସମ୍ପାଦକ ଏନ୍‌.ଏନ୍‌. ନରସିଂହ, ସହ ସମ୍ପାଦକ ଜି. ଆପଣା, କୋଷାଧ୍ୟକ୍ଷ ଏନ୍‌. ବାବୁଲା, ପରାମର୍ଶଦାତା ଡି.ବାବୁ ଏବଂ ଏମ୍‌.ଯୁଧିଷ୍ଠିର, କେ. ସନ୍ତୋଷଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା। ଟି. ଜ୍ୟୋତିଙ୍କୁ ଜିଲା ମହିଳା ସଭାନେତ୍ରୀ ଭାବେ ମନୋନୀତ କରାଯାଇଥିଲା। ଶେଷରେ ଜି. ଆପଣା ଧନ୍ୟବାଦ ଅର୍ପଣ କରିଥିଲେ।

ଆମ୍ବେଦକର ମୋଚିକୁଳ ସମାଜର ସଭାପତି ଆର୍‌. ଲୋକନାଥ, ଉପସଭାପତି ଡି. ବାବୁ, ସମ୍ପାଦକ ଏସ୍‌. ପ୍ରହଲ୍ଲାଦ, ସହସମ୍ପାଦକ ଟି. ଲବ, କୋଷାଧ୍ୟକ୍ଷ କେ. ରମେଶ, ଉପଦେଷ୍ଟା ଆର୍‌. ମୋହନ, ଜି. ଆପଣା, ଏନ. ନରେଶ, ଏମ. ଯୁଧିଷ୍ଠିର, କେ. ନରେଶ, କେ. ସନ୍ତୋଷ ରାଓ ଓ ଏନ୍‌. ସୁରଥ, ପୂର୍ବତନ ସଭାପତି ଡି. ସୁରେନ୍ଦ୍ର କୁମାର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।