ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ନିଜ ନାଁରେ ଏକ ବିଶ୍ୱ ରେକର୍ଡ କରିଛନ୍ତି। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ଇନିଂସରେ ସେ ୮୩୪ ରନ ସଂଗ୍ରହ କରିଛନ୍ତି। ୨୦୮.୫୦ର ଚମତ୍କାର ହାରରେ ରନ କରିଥିବା ଚିନ୍ମୟଙ୍କ ବ୍ୟାଟ୍ରୁ ୨ଟି ଶତକ ଆସିଛି। ଏଥିସହ ନାଗାଲାଣ୍ଡ ବିପକ୍ଷରେ ସେ ଅପରାଜିତ ୪୦୦ ରନ୍ର ଐତିହାସିକ ଇନିଂସ ଖେଳିଛନ୍ତି।
ଏହି ରେକର୍ଡ ସହ ସେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ବ୍ୟାଟର ବିଲ ପନ୍ସଫୋର୍ଡଙ୍କୁ ପଛରେ ପକାଇଛନ୍ତି। ପନ୍ସଫୋର୍ଡ ୧୯୨୧ରୁ ୧୯୨୩ ମଧ୍ୟରେ ନିଜର ପ୍ରଥମ ୫ଟି ଫାର୍ଷ୍ଟ କ୍ଲାସ ଇନିଂସରେ ୭୨୪ ରନ କରିଥିଲେ। ଦୀର୍ଘ ୧୦୩ ବର୍ଷ ପରେ ଚିନ୍ମୟ ୮୩୪ ରନ କରି ଏହି ରେକର୍ଡକୁ ଭାଙ୍ଗିଛନ୍ତି। ୨୯ ବର୍ଷୀୟ ଚିନ୍ମୟଙ୍କ ଏହି ଅସାଧାରଣ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସୁଯୋଗ ଦେବାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ଚିନ୍ମୟ ଏବେ ପ୍ରଥମ ୫ଟି ଫାର୍ଷ୍ଟ କ୍ଲାସ ଇନିଂସରେ ୮୩୪ ରନ କରିସାରିଛନ୍ତି। ତାଙ୍କର ପରବର୍ତ୍ତୀ ଅର୍ଥାତ୍ ଷଷ୍ଠ ଇନିଂସରେ ଯଦି ସେ ଖାତା ଖୋଲି ନ ପାରନ୍ତି, ତଥାପି ପ୍ରଥମ ୬ଟି ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ତାଙ୍କ ନାଁରେ ରହିବ। ଏହା ପୂର୍ବରୁ ଆଫଗାନିସ୍ତାନର ବଶୀର ଶାହଙ୍କ ନାଁରେ ପ୍ରଥମ ୬ଟି ଫାର୍ଷ୍ଟ କ୍ଲାସ ଇନିଂସରେ ୮୩୧ ରନ କରିବାର ରେକର୍ଡ ରହିଥିଲା। ଚିନ୍ମୟ ମାତ୍ର ୫ଟି ଇନିଂସରେ ୮୩୪ ରନ କରି ଏହି ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି।
ଚିନ୍ମୟଙ୍କ ଏହି ସଫଳତା ପଛରେ ରହିଛି ଲଗାତାର ଦମ୍ଦାର ପ୍ରଦର୍ଶନ। ଅକ୍ଟୋବର ୧୧ ତାରିଖରେ ମଣିପୁର ବିପକ୍ଷରେ ସେ ଫାର୍ଷ୍ଟ କ୍ଲାସ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଡେବ୍ୟୁ ମ୍ୟାଚର ଦୁଇଟି ଇନିଂସରେ ସେ ଯଥାକ୍ରମେ ୩୫ ଏବଂ ୯୯ ରନ କରିଥିଲେ। ଦ୍ୱିତୀୟ ଇନିଂସରେ ମାତ୍ର ଗୋଟିଏ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।
ତେବେ ନାଗାଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ସେ ଏହି ଅଭାବକୁ ପୂରଣ କରିବା ସହ ଅପରାଜିତ ୪୦୦ ରନ୍ର ବିଶାଳ ଇନିଂସ ଖେଳିଥିଲେ। ଏହି ପାଳି ସହ ରଣଜୀ ଟ୍ରଫି ଇତିହାସରେ ଗୋଟିଏ ଇନିଂସରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ହୋଇଥିଲେ। ଏହାପରେ ମଧ୍ୟ ଚିନ୍ମୟଙ୍କ ବ୍ୟାଟ୍ର ରନ ବର୍ଷା ଜାରି ରହିଥିଲା। ମେଘାଳୟ ବିପକ୍ଷରେ ୧୨୫ ରନ୍ର ଶତକୀୟ ଇନିଂସ ଖେଳିଥିବା ବେଳେ ଅରୁଣାଚଳ ପ୍ରଦେଶ ବିପକ୍ଷ ଚତୁର୍ଥ ମ୍ୟାଚ୍ରେ ୧୭୫ ରନ କରିଥିଲେ। ଲଗାତାର ଏଭଳି ଚମତ୍କାର ପ୍ରଦର୍ଶନ କରି ଚିନ୍ମୟ ଏବେ ଭାରତୀୟ କ୍ରିକେଟ୍ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।