ଏଆଇ ସୁରକ୍ଷା ଚିନ୍ତା

Sep 19, 2026 - 08:33
ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ। କିଛି ଦିନ ପୂର୍ବରୁ, ଏଲନ୍‌ ମସ୍କ, ସାମ୍‌ ଅଲ୍ଟମ୍ୟାନ୍‌ ଏବଂ ଆନ୍ଥ୍ରୋପିକ ସହ-ପ୍ରତିଷ୍ଠାତା ଡାରିଓ ଆମୋଡେଇ – ମିଳିତ ହୋଇ କହିଥିଲେ ଯେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି। ଉଭା ହେଉଥିବା ଆତ୍ମ-ଉନ୍ନତି ମଡେଲଗୁଡ଼ିକ, ଯେଉଁମାନେ ସୁପର-ଇଣ୍ଟେଲିଜେନ୍ସ ଆଡ଼କୁ ଗତି କରୁଛନ୍ତି, ସେମାନଙ୍କୁ ଧୀର କରିବାକୁ ପଡ଼ିବ। ସେମାନେ କହିଛନ୍ତି ଯେ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ପ୍ରଶ୍ନ ହେଉଛି ଏହି କମ୍ପାନୀଗୁଡ଼ିକ ହଠାତ୍‌ ଏତେ ଭୟଭୀତ କାହିଁକି ହୋଇଗଲେ? ପ୍ରକୃତରେ, ଏହି କମ୍ପାନୀଗୁଡ଼ିକୁ ଏହା କରିବାକୁ ପଡ଼ିଲା ଯେତେବେଳେ ଆନ୍ଥ୍ରୋପିକ ରିସର୍ଚ୍ଚର ୨୭ ବର୍ଷୀୟ ଇଞ୍ଜିନିୟର ଜାକବ୍‌ କକ୍ସନ୍‌ ଏଆଇର ବିପଦ ବିଷୟରେ ଟୁଇଟ୍‌ କରି କମ୍ପାନୀକୁ ଇସ୍ତଫା ପ୍ରଦାନ କଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ଟୁଇଟର)ରେ ପୋଷ୍ଟ କରି ଚେତାବନୀ ଦେଇଛନ୍ତି ଯେ ଏଆଇ କମ୍ପାନୀଗୁଡ଼ିକ ସୁପରଇଣ୍ଟେଲିଜେନ୍ସ ଆଡ଼କୁ ଅନ୍ଧ ଦୌଡ଼ରେ ‘ଆମ ଜୀବନ ସହିତ ଜୁଆ ଖେଳୁଛନ୍ତି’। ତାଙ୍କ ଟୁଇଟ୍‌ର ମୁଖ୍ୟ କଥା ଥିଲା – ସେ ଲେଖିଛନ୍ତି ଯେ ଓପନ ଏଆଇ ଏବଂ ଆନ୍ଥ୍ରୋପିକ ଭଳି ପ୍ରମୁଖ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ଲ୍ୟାବଗୁଡ଼ିକ ସୁରକ୍ଷାକୁ ଅଣଦେଖା କରୁଛନ୍ତି ଏବଂ କେବଳ ପ୍ରଥମ ହେବା ପାଇଁ ପ୍ରତିଯୋଗିତା କରୁଛନ୍ତି। କକ୍ସନଙ୍କ ଅନୁଯାୟୀ, ଏଆଇ ଡେଭଲପର୍ସଙ୍କ ଭିତରର ଲୋକମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଦଶନ୍ଧି ଶେଷ ସୁଦ୍ଧା, ଏଆଇ ସମସ୍ତଙ୍କୁ ନଷ୍ଟ କରିପାରେ। ସେ ଚେତାବନୀ ଦେଇଥିଲେ ଯେ ଭବିଷ୍ୟତରେ ଏଆଇ ମଡେଲଗୁଡ଼ିକ ନିଜକୁ ଉନ୍ନତ କରି ଅଧିକ ବିପଦପୂର୍ଣ୍ଣ ହୋଇ ସିଷ୍ଟମକୁ ହ୍ୟାକ୍‌ କରିପାରିବେ। ଆନ୍ଥ୍ରୋପିକର ଆଉ ଜଣେ ପ୍ରମୁଖ କର୍ମଚାରୀ ଇଭାନ୍‌ ହୁବିଞ୍ଜର, କକ୍ସନଙ୍କ ଟୁଇଟ୍‌କୁ ସମର୍ଥନ କରି କହିଛନ୍ତି, ଏଆଇ ମାନବତା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି ଏବଂ ସୁପର୍‌ଇଣ୍ଟେଲିଜେନ୍ସକୁ ପରିଚାଳନା କରିବା ପାଇଁ ଆମର ଏପର୍ଯ୍ୟନ୍ତ ଦୃଢ଼ ଯୋଜନା ନାହିଁ। ଏହି ଦାବିକୁ ତିନୋଟି କମ୍ପାନୀର ମୁଖ୍ୟମାନେ ସ୍ବୀକାର କରି ସେ ବିଷୟରେ ଆଲୋଚନା ଆରମ୍ଭ କରିଛନ୍ତି। ସମଗ୍ର ବିଶ୍ୱ ଏବେ ଏ ବିଷୟରେ ଧ୍ୟାନ ଦେଉଛି। ଯେଉଁ ଗତିରେ ଏଆଇର ବିକାଶ ହେଉଛି, ଠିକ୍‌ ସେହି ଗତିରେ ଯଦି ଏହାର ନକାରାତ୍ମକ ପକ୍ଷକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଏହା ମାନବକୁ କ୍ଷତି ପହଞ୍ଚାଇବ, ଯଦିଓ ମସ୍କ ସର୍ବଦା ବିପଦ ବିଷୟରେ ଚେତାବନୀ ଦେଇଛନ୍ତି। ସେ ସମ୍ପ୍ରତି ସ୍ବୀକାର କରିଛନ୍ତି ଯେ ଏଆଇକୁ ବନ୍ଦ କରିବା ପ୍ରାୟ ଅସମ୍ଭବ। ସେ କହିଥିଲେ, ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଏଆଇ ‘ମାନବ ବୁଦ୍ଧିମତ୍ତାର ମୋଟ ସଂଖ୍ୟାକୁ ଅତିକ୍ରମ କରିପାରେ।’ ସେ ମଧ୍ୟ ବିଶ୍ୱାସ କରନ୍ତି ଯେ ଯଦି ଏହାକୁ ଠିକ ଦିଗରେ ପରିଚାଳିତ କରାଯାଏ, ତେବେ ଏହା ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିପାରିବ। ତଥାପି ସ୍ପଷ୍ଟ କରିଥିଲେ ଯେ ‘ବିପର୍ଯ୍ୟୟ ବିପଦ ଶୂନ୍ୟ ନୁହେଁ।’
ଏଲନ୍‌ ମସ୍କଙ୍କ ଚେତାବନୀ ଏବଂ ସାମ୍ପ୍ରତିକ ବକ୍ତବ୍ୟଗୁଡ଼ିକ ଗୁରୁତ୍ୱାରୋପ କରେ ଯେ ଏଆଇର ବିକାଶ ଏକ ଦୁଇଧାରୀ ଖଣ୍ଡା। ଗୋଟିଏ ପଟେ ଏହା ମାନବଜାତି ପାଇଁ ଅଭୂତପୂର୍ବ ସମୃଦ୍ଧି ଆଣିପାରେ, ଅନ୍ୟପଟେ ଯଦି ନିୟନ୍ତ୍ରଣ ଏବଂ ନୀତିର ଅଭାବ ଥାଏ, ତେବେ ଏହା ଏକ ଅସ୍ତିତ୍ୱଗତ ବିପଦ ସୃଷ୍ଟି କରିପାରେ। ଏହି କାରଣରୁ ସେ ଅନେକ ବର୍ଷ ପୂର୍ବରୁ କହିଥିଲେ ଯେ ଏଆଇର ବିକାଶ ‘ଶୟତାନକୁ ଡାକିବା’ ପରି ଏବଂ ସେ ଏହା ବିଷୟରେ ଚିନ୍ତା ପ୍ରକଟ କରିଚାଲିଛନ୍ତି। ଜାକବ କକ୍ସନଙ୍କ ଚେତାବନୀ କେବଳ ଏକ ବ୍ୟକ୍ତିଗତ ଅସନ୍ତୋଷ ନୁହେଁ, ବରଂ ଶିଳ୍ପ ମଧ୍ୟରେ ଗଭୀର ଭୟର ସାର୍ବଜନୀନ ପ୍ରକାଶ। ସେ କୁହନ୍ତି ଯେ,ଯଦି କମ୍ପାନୀ ଏବଂ ସରକାର ମିଳିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନ କରନ୍ତି, ତେବେ ଏଆଇର ଅନିୟନ୍ତ୍ରିତ ବିକାଶ ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ହୋଇପାରେ।
ଏଆଇର ଭବିଷ୍ୟତ ଏକ ଗଭୀର ଦାର୍ଶନିକ ଏବଂ ବୈଜ୍ଞାନିକ ପ୍ରଶ୍ନ। ଏହା କେବଳ ପ୍ରଯୁକ୍ତିବିଦ୍ୟା ପ୍ରଗତି ନୁହେଁ, ବରଂ ମାନବତାର କଳ୍ପନା, ନୀତିଶାସ୍ତ୍ର ଏବଂ ଶାସନର ଏକ ପରୀକ୍ଷା। ମାନବଙ୍କ ସର୍ବବୃହତ ଶକ୍ତି ହେଉଛି ସେମାନଙ୍କର କଳ୍ପନା – ଯେଉଁ ଶକ୍ତି ସଭ୍ୟତା ନିର୍ମାଣ କରିଥିଲା, କଳା ଏବଂ ବିଜ୍ଞାନକୁ ଜନ୍ମ ଦେଇଥିଲା। କିନ୍ତୁ ଯେତେବେଳେ ମେଶିନଗୁଡ଼ିକ ଶିଖିବା, ଉନ୍ନତ କରିବା ଏବଂ ନିଜସ୍ବ ନିଷ୍ପତ୍ତି ନେବା ଆରମ୍ଭ କରେ, ସେତେବେଳେ ଏକ ବିପଦ ଅଛି ଯେ ସେମାନେ ମାନବ କଳ୍ପନାକୁ ଅପ୍ରାସଙ୍ଗିକ କରିଦେବେ। ଯଦି ଏଆଇ ପ୍ରତ୍ୟେକ ସମସ୍ୟାକୁ ଶୀଘ୍ର ଏବଂ ଠିକ୍‌ ଭାବରେ ସମାଧାନ କରିବା ଆରମ୍ଭ କରେ, ତେବେ ମାନବ ସୃଜନଶୀଳତା ଧୀରେ ଧୀରେ ଶେଷ ହୋଇପାରେ।
ଏହାକୁ ଏଡାଇବା ପାଇଁ କେବଳ ବୈଷୟିକ ସୁରକ୍ଷା ବ୍ୟବସ୍ଥା ନୁହେଁ, ବରଂ ସାଂସ୍କୃତିକ ଏବଂ ନୈତିକ ପଦକ୍ଷେପ ମଧ୍ୟ ଆବଶ୍ୟକ। କମ୍ପାନୀଗୁଡ଼ିକ ଯେମିତ ଲାଭ ପାଇଁ ସୁରକ୍ଷାକୁ ଅଣଦେଖା ନ କରନ୍ତି ତାହା ନିଶ୍ଚିତ କରିବା ପାଇଁ ସରକାରଗୁଡ଼ିକୁ କଠୋର ନିୟମ ପ୍ରଣୟନ କରିବାକୁ ପଡିବ।
ବିକାଶର ଲକ୍ଷ୍ୟ ହେବା ଉଚିତ ଯେ ଏଆଇ ମଣିଷର କଳ୍ପନାଶକ୍ତିକୁ ବୃଦ୍ଧି କରେ, ଏହାକୁ ବଦଳାଇବ ନାହିଁ। ଉଦାହରଣ ସ୍ବରୂପ, କଳା, ଶିକ୍ଷା ଏବଂ ବିଜ୍ଞାନରେ ଏଆଇ ବ୍ୟବହାର କରାଯିବା ଉଚିତ। ସମାଜକୁ ବୁଝିବାକୁ ପଡିବ ଯେ ପ୍ରଯୁକ୍ତିବିଦ୍ୟା କେବଳ କ୍ଷମତା ପାଇଁ ନୁହେଁ, ମାନବତାର ମଙ୍ଗଳ ପାଇଁ ବ୍ୟବହାର କରାଯିବା ଉଚିତ। ଯେପରି ପରମାଣୁ ଅସ୍ତ୍ର ଉପରେ ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତିଷ୍ଠିତ ହୋଇଥିଲା, ସେହିପରି ଏଆଇ ଉପରେ ବିଶ୍ୱ ଚୁକ୍ତିନାମା ଆବଶ୍ୟକ। ଏଆଇର ଭବିଷ୍ୟତ ଏକ ଛକରେ ଠିଆ ହୋଇଛି। ଗୋଟିଏ ରାସ୍ତାରେ, ଏହା ମାନବତାକୁ ଅଭୂତପୂର୍ବ ସମୃଦ୍ଧି ଏବଂ ଜ୍ଞାନ ଆଣିଦେବ; ଅନ୍ୟପଟେ, ଏହା ମାନବ କଳ୍ପନା ଏବଂ ଅସ୍ତିତ୍ୱକୁ ଗ୍ରାସ କରିପାରେ। ଏହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ଏହାକୁ ନିୟନ୍ତ୍ରଣ କରିବା, ଏହାକୁ ମାନବ-କେନ୍ଦ୍ରିକ କରିବା ଏବଂ ନୈତିକତାର ଆଲୋକରେ ଏହାକୁ ଆଗେଇ ନେବା। ଅର୍ଥାତ୍‌, ଏଆଇର ଭବିଷ୍ୟତ ଆମ ହାତରେ। ଯଦି ଆମେ ଏହାକୁ ଠିକ୍‌ ଦିଗ ଦେବା, ତେବେ ଏହା ଆମର କଳ୍ପନାଶକ୍ତିକୁ ଆହୁରି ଉନ୍ନତ କରିବ; ଯଦି ଆମେ ଏହାକୁ ଅନିୟନ୍ତ୍ରିତ ଛାଡ଼ି ଦେଉ, ତେବେ ଏହା ଆମର କଳ୍ପନାଶକ୍ତିକୁ ଗ୍ରାସ କରିବ ଏବଂ ଆମକୁ କେବଳ ମେଶିନର ଦାସ କରିଦେବ।
ସୁଜନପୁର, ଯାଜପୁର
ମୋ:୯୪୩୭୨୮୮୦୨୮

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।