ଏକ ବର୍ଷ ପରେ ରେଡ୍‌ ବଲ୍‌ କ୍ରିକେଟ୍‌କୁ ଫେରିବେ ବୁମ୍‌ରା, ଖେଳିବେ ଏହି ମ୍ୟାଚ୍

Nov 06, 2026 - 07:50
ଏକ ବର୍ଷ ପରେ ରେଡ୍‌ ବଲ୍‌ କ୍ରିକେଟ୍‌କୁ ଫେରିବେ ବୁମ୍‌ରା, ଖେଳିବେ ଏହି ମ୍ୟାଚ୍

ନୂଆଦିଲ୍ଲୀ,୬।୧୧: ଦୀର୍ଘଦିନ ଧରି ରେଡ୍‌ ବଲ୍‌ କ୍ରିକେଟ୍‌ରୁ ଦୂରରେ ଥିବା ଭାରତୀୟ ଦଳର ଷ୍ଟାର୍‌ ଫାଷ୍ଟ ବୋଲର୍‌ ଜସପ୍ରୀତ ବୁମ୍‌ରା ଏବେ ପୁଣି ଟେଷ୍ଟ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି । ନଭେମ୍ବର ୨୦୨୫ରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବୁମ୍‌ରା ଏବେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନ୍‌ଅଫିସିଆଲ୍‌ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ। ନଭେମ୍ବର ୭ରୁ ଲିଙ୍କନ୍‌ର ବର୍ଟ ସଟ୍‌କ୍ଲିଫ୍‌ ଓଭାଲ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

ଭାରତ ଏ’ ଓ ନ୍ୟୁଜିଲାଣ୍ଡ ଏ’ ମଧ୍ୟରେ ହେବାକୁ ଥିବା ଏହି ତୃତୀୟ ଅନ୍‌ଅଫିସିଆଲ୍‌ ଟେଷ୍ଟ ବୁମ୍‌ରାଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟିକିଆ ଟେଷ୍ଟ ସିରିଜ୍‌ ପୂର୍ବରୁ ନିଜ ଲୟ ଫେରିପାଇବାର ସୁଯୋଗ ହେବ । ଏହା ପୂର୍ବରୁ ଆଣ୍ଠୁରେ ଆଘାତ ଯୋଗୁଁ ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖେଳିପାରି ନ ଥିଲେ ।  ଚୟନକର୍ତ୍ତାମାନେ ବୁମ୍‌ରାଙ୍କୁ ଟି-୨୦ ଓ ଦିନିକିଆ ସିରିଜ୍‌ରୁ ବାଦ୍‌ ଦେଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ପୂର୍ବରୁ ବୁମ୍‌ରାଙ୍କୁ ମ୍ୟାଚ୍‌ ଫିଟ୍‌ ରଖିବାକୁ ଚାହୁଁଛି ଟିମ୍‌ ଇଣ୍ଡିଆ। ମୁଖ୍ୟ ଦଳରେ ଯୋଗଦେବା ପୂର୍ବରୁ ଏହି ଅନ୍‌ଅଫିସିଆଲ୍‌ ଟେଷ୍ଟ ତାଙ୍କୁ ଅଭ୍ୟାସର ସୁଯୋଗ ଦେବ।

ବୁମ୍‌ରାଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜା ମଧ୍ୟ ଏହି ଅନ୍‌ଅଫିସିଆଲ୍‌ ଟେଷ୍ଟରେ ଖେଳିପାରନ୍ତି। ସେ ମଧ୍ୟ ଦିନିକିଆ ସିରିଜ୍‌ର ଅଂଶ ନୁହନ୍ତି ଏବଂ ଟେଷ୍ଟ ସିରିଜ୍‌ ପାଇଁ ପ୍ରସ୍ତୁତି ଲକ୍ଷ୍ୟରେ ଭାରତ ଏ’ ଦଳ ସହ ଯୋଗ ଦେଇଛନ୍ତି। ଅନ୍ୟପଟେ ଆହତ ହୋଇଥିବାରୁ ଋଷଭ ପନ୍ତ ପ୍ରଥମ ଦୁଇଟି ଅନ୍‌ଅଫିସିଆଲ୍‌ ଟେଷ୍ଟ ଖେଳିପାରି ନ ଥିଲେ। ତୃତୀୟ ମ୍ୟାଚ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସମୟ ମଧ୍ୟରେ ସୁସ୍ଥ ହୋଇ ନ ପାରିବାରୁ ତାଙ୍କ ସ୍ଥାନରେ ତିଲକ ବର୍ମାଙ୍କୁ ଭାରତ ଏ’ ଦଳରେ ସୁଯୋଗ ମିଳିଛି।

ତିଲକ ବର୍ମା ଭାରତୀୟ ଟି-୨୦ ଦଳର ଅଧିନାୟକ । ସେ ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଭାରତୀୟ ଦଳରେ ଯୋଗଦେବେ । ତା’ ପୂର୍ବରୁ ତାଙ୍କୁ ମଧ୍ୟ ଅନ୍‌ଅଫିସିଆଲ୍‌ ଟେଷ୍ଟ ଖେଳିବାର ସୁଯୋଗ ମିଳିପାରେ। ସେହିପରି ଆହତ ହୋଇ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ପ୍ରସିଦ୍ଧ କୃଷ୍ଣ ମଧ୍ୟ ଭାରତ ଏ’ ପାଇଁ ଖେଳି ପ୍ରତ୍ୟାବର୍ତ୍ତନ କରିପାରନ୍ତି। ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପୂର୍ବରୁ ମ୍ୟାଚ୍‌ ଫିଟ୍‌ନେସ୍‌ ହାସଲ କରିବା ତାଙ୍କର ଲକ୍ଷ୍ୟ ରହିବ। ଏହି କାରଣରୁ ତୃତୀୟ ଅନ୍‌ଅଫିସିଆଲ୍‌ ଟେଷ୍ଟରେ ଭାରତୀୟ ଟେଷ୍ଟ ଦଳର ଅନେକ ପ୍ରମୁଖ ଖେଳାଳିଙ୍କୁ ଖେଳୁଥିବା ଦେଖିବାକୁ ମିଳିପାରେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।