କଥା ଓ କାମରେ ପ୍ରଭେଦ

Nov 01, 2026 - 08:29
କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ ଏକ ପୂର୍ଣ୍ଣାଙ୍ଗ ହିନ୍ଦୁ ରାଷ୍ଟ୍ର ହୋଇପାରି ନ ଥିଲା। କାରଣ, ସ୍ମୃତି ଶାସ୍ତ୍ରରେ ବର୍ଣ୍ଣିତ ଧର୍ମୀୟ ନିୟମଗୁଡ଼ିକୁ ଆଇନ ମାଧ୍ୟମରେ ଦେଶରେ ଲାଗୁ କରିବା ତା’ ପକ୍ଷରେ ସମ୍ଭବ ହୋଇ ନ ଥିଲା। ଠିକ୍‌ ସେହି ସମସ୍ୟା ଭାରତ କ୍ଷେତ୍ରରେ ପ୍ରଯୁଜ୍ୟ। ଏହା ଏକ ବ୍ୟବସ୍ଥାଗତ ସମସ୍ୟା ଏବଂ ଏହାର ସମାଧାନ ସମ୍ଭବ ନୁହେଁ। ଏହି କାରଣରୁ ଆଦର୍ଶ ରାଷ୍ଟ୍ର ଗଠନ ସମ୍ପର୍କିତ ଗୋଲୱାଲକରଙ୍କ ଚିନ୍ତାଧାରା ଭାଜପା ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଏ ନାହିଁ। ଅର୍ଥାତ୍‌ ସରକାରୀ ବ୍ୟବସ୍ଥା ଧର୍ମନିରପେକ୍ଷ ରହିବାର ମାନସିକତାକୁ ବଜାୟ ରଖିଛି, ଯାହା ବିଦେଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତ ସରକାରଙ୍କ ସମ୍ପର୍କ ଓ ଆଚରଣକୁ ଲକ୍ଷ୍ୟ କଲେ ସ୍ପଷ୍ଟ ହୁଏ। ଭାରତର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ବିଦେଶ ଗସ୍ତ ବେଳେ ‘ବସୁଧୈବ କୁଟୁମ୍ବକମ’ ଏବଂ ‘ସର୍ବଧର୍ମ ସମଭାବ’ କଥା କହନ୍ତି। କିନ୍ତୁ ଭାରତର ବୁଲଡୋଜର, ଗୋ-ହତ୍ୟା ସନ୍ଦେହରେ ଭିଡ଼ ହିଂସା, ସିଏଏ, ଏନ୍‌ଆର୍‌ସି ଏବଂ ଲଭ୍‌ଜିହାଦ ବିଷୟ ବିଶ୍ୱକୁ କହନ୍ତି ନାହିଁ। ସେମାନେ ଜାତିସଂଘ ଏବଂ ଅନ୍ୟାନ୍ୟ ମଞ୍ଚକୁ ନେହେରୁବାଦୀ ଆଭିମୁଖ୍ୟ ବା କବଚ ନେଇ ଯାଆନ୍ତି। ‘ହର୍ମିଟ କ୍ରାବ’ ନାମକ କଙ୍କଡ଼ାର ଶକ୍ତ ଆବରଣ ବା ଖୋଳପା ନ ଥିବାରୁ ସେ ସ୍ବରକ୍ଷା ପାଇଁ ଏକ ମୃତ ଜୀବର ଖୋଳପା ବ୍ୟବହାର କରିଥାଏ। ଠିକ୍‌ ସେହିପରି ଭାଜପା ଯେତେବେଳେ ବିଦେଶକୁ ଯାଏ, ସେତେବେଳେ ନେହେରୁବାଦୀ ଧର୍ମନିରପେକ୍ଷତା ଖୋଳପାକୁ ବ୍ୟବହାର କରିଥାଏ। ସେମାନେ ବିଦେଶରେ ଯେଉଁ ସାର୍ବଜନୀନ ମାନବିକତା ଓ ସାର୍ବଭୌମକତା କଥା କହନ୍ତି, ତାହା ସ୍ବଦେଶରେ ସେମାନଙ୍କ କାର୍ଯ୍ୟକଳାପରେ ଦେଖାଯାଏ ନାହିଁ। ୨୦୧୫ରେ ଗୋମାଂସକୁ, ୨୦୧୮ରେ ଆନ୍ତଃଧର୍ମ ବିବାହକୁ ଓ ୨୦୧୯ରେ ମୁସଲିମ ଛାଡ଼ପତ୍ରକୁ ଅପରାଧ ଶ୍ରେଣୀଭୁକ୍ତ କରିବା ଏବଂ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ରୁ ମୁସଲମାନଙ୍କୁ ବାଦ ଦେବା ଭଳି ଆଇନରୁ ଏହା ସ୍ପଷ୍ଟ ହୁଏ। ଏଭଳି ବିରୋଧାଭାସ ଯୋଗୁ ଆମ ଉପରେ ଅନ୍ତର୍ଜାତୀୟ ସ୍ତରରେ ଦୋମୁହଁା ଆଚରଣ କିମ୍ବା କପଟତାର ଅଭିଯୋଗ ଉଠୁଛି ଏବଂ ଚାପ ପଡ଼ୁଛି। ୨୦୧୯ ଅଗଷ୍ଟରେ, କଶ୍ମୀରରେ ଇଣ୍ଟରନେଟ ନିଷେଧାଦେଶ ଜାରି କରାଯିବାର ୪ମାସ ପରେ ଡିସେମ୍ବର ୬ରେ, ଆମେରିକା କଂଗ୍ରେସରେ ଏକ ପ୍ରସ୍ତାବ ଆଗତ କରାଯାଇ ଭାରତକୁ ଏହି ନିଷେଧାଦେଶ ହଟାଇବା ପାଇଁ ଦାବି କରାଯାଇଥିଲା। ଏହି ପ୍ରସ୍ତାବ ଆଗତ କରିଥିଲେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ। ସେହି ମାସରେ ଜୟଶଙ୍କର ୱାଶିଂଟନରେ ଥିଲେ ଏବଂ ହାଉସ ଫରେନ ଆଫେୟାର୍ସ କମିଟିର ସଦସ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ଯେତେବେଳେ ଜାଣିଲେ ଏହି ବୈଠକରେ ପ୍ରମିଳା ଜୟପାଲ ଉପସ୍ଥିତ ରହିବେ, ସେତେବେଳେ ସେ ସେଥିରେ ଯୋଗଦେବାକୁ ମନା କରିଦେଲେ। ଟ୍ରମ୍ପଙ୍କ ପ୍ରଥମ ଶାସନ କାଳରେ ସେହି ବିଲ୍‌ ଆଗତ ହୋଇଥିଲେ ମଧ୍ୟ ତାହା ଉପରେ ଭୋଟ ଗ୍ରହଣ ହୋଇପାରି ନ ଥିଲା। ନିର୍ବାଚନରେ ଟ୍ରମ୍ପ ହାରିଗଲେ ଏବଂ ୨୦୨୧ ଜାନୁଆରୀରେ ଜୋ ବାଇଡେନ ଦାୟିତ୍ୱ ନେବା ପରେ ଭାରତ ସରକାର କଶ୍ମୀରରେ ଇଣ୍ଟରନେଟ କଟକଣା ହଟାଇଦେଲେ। ବୋଧହୁଏ ସରକାର ଅନୁଭବ କରିଥିଲେ ଯେ ସେ ଡେମୋକ୍ରାଟଙ୍କ ଚାପକୁ ପ୍ରତିହତ କରିପାରିବେ ନାହିଁ।
ସେହିପରି ୟୁରୋପରେ ସେମାନଙ୍କ ସଂସଦର ପାଞ୍ଚଟି ପୃଥକ ଗୋଷ୍ଠୀ ୨୮ ଜାନୁଆରୀ ୨୦୨୦ରେ ସିଏଏ ଉପରେ ନିନ୍ଦାସୂଚକ ପ୍ରସ୍ତାବ ଆଗତ କରିଥିଲେ। ଜୟଶଙ୍କର ବୁଝାମଣା ପାଇଁ ୧୭ ଫେବୃଆରୀରେ ବ୍ରୁସେଲସ୍‌ ଯିବା ପରେ ସେଠାରେ ଏହି ପ୍ରସ୍ତାବ ଉପରେ ଭୋଟ ହେଲା ନାହିଁ। ଭାରତରେ ସିଏଏ ଆଇନ ପୂର୍ବରୁ ପାସ୍‌ ହୋଇସାରିଥିଲେ ମଧ୍ୟ ଆଗାମୀ ୪ବର୍ଷ ପର୍ଯ୍ୟନ୍ତ ଏହାକୁ ଲାଗୁ କରାଗଲା ନାହିଁ। ଆମେ କହୁଛୁ ଗୋଟିଏ କଥା ଓ କରୁଛୁ ଆଉ ଗୋଟିଏ। ଏଭଳି ପ୍ରଭେଦ ଯୋଗୁ ସମସ୍ୟା ସୃଷ୍ଟି ହେଉଛି। ଗତ ବର୍ଷ ଆଲାଏନ୍ସ ଅଫ ନ୍ୟାଶନାଲ ହ୍ୟୁମାନ ରାଇଟ୍ସ ଇନ୍‌ଷ୍ଟିଚ୍ୟୁଶନ ଗ୍ଲୋବାଲ ଆମ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ର ମାନ୍ୟତାକୁ ‘ଏ’ ରୁ ‘ବି’କୁ ଖସାଇ ଦେଇଥିଲା। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା- ଏନ୍‌ଏଚ୍‌ଆର୍‌ସି ସ୍ବାଧୀନ ନ ଥିଲା, ପୋଲିସ କରୁଥିବା ଅତ୍ୟାଚାରର ତଦନ୍ତ ପୋଲିସ ହିଁ କରୁଥିଲା ଏବଂ ବ୍ୟବସ୍ଥାଗତ ମାନବାଧିକାର ଉଲ୍ଲଂଘନ ଘଟଣାରେ ଆୟୋଗ ଚୁପ ରହିଥିଲା। ଏହିସବୁ ସତ୍ୟ। ଆମେ ମାନ୍ୟତା ହ୍ରାସ ବିରୋଧରେ ଅପିଲ କରିଛୁ ଏବଂ ଆଗାମୀ କିଛିଦିନ ମଧ୍ୟରେ ଏହାର ଶୁଣାଣି ଶେଷ ହେବ। ଅପିଲ କରିବା ଅପେକ୍ଷା ଆମକୁ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଯାହାଦ୍ୱାରା ଆମେ ବାହାନା କରୁଛୁ ବୋଲି କେହି ଅଭିଯୋଗ ଆଣିପାରିବେ ନାହିଁ। ଅପରପକ୍ଷରେ, ବିଶ୍ୱ ଆମ ବିପରୀତ କାର୍ଯ୍ୟକଳାପକୁ ସାମ୍ନାକୁ ଆଣୁଥିବାବେଳେ ସରକାର ଅସହିଷ୍ଣୁ ହୋଇପଡ଼ୁଛନ୍ତି। ଫ୍ରିଡମ୍‌ ହାଉସ ରିପୋର୍ଟରେ ଭାରତକୁ ‘ଆଂଶିକ ସ୍ବାଧୀନ’ କୁହାଯିବା ପରେ ୨୦୨୧ରେ ଏହାର ଜବାବରେ ସରକାର ଏହି ମୂଲ୍ୟାଙ୍କନକୁ ‘ବିଭ୍ରାନ୍ତିକର, ଭୁଲ୍‌ ଏବଂ ଅଯଥା’ ବୋଲି କହିଥିଲେ। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଦର୍ଶାଇବା ପରେ ୨୦୨୦ରେ ସରକାର ଏହାକୁ ‘ବିଭ୍ରାନ୍ତିକର’ କହିଥିଲେ।
ବିଶ୍ୱ ସୂଚକାଙ୍କଗୁଡ଼ିକରେ ଭାରତର ମାନ୍ୟତା ହ୍ରାସ ପାଇବା ପଛର ବଡ଼ କାରଣ ହେଉଛି ସଂଖ୍ୟାଲଘୁଙ୍କ ଉପରେ ଉଦ୍ଦେଶ୍ୟମୂଳକ ଆକ୍ରମଣ। ତଥାପି ଗଣତନ୍ତ୍ର ମାମଲାରେ କାହିଁକି ଗଣତନ୍ତ୍ରର ଜନନୀ( ଭାରତ) ଏଭଳି ଖରାପ ମାନ୍ୟତା ପାଉଛି। ଭାରତ ସରକାର ଭାବନ୍ତି ଯେ ଗଣତନ୍ତ୍ରର ଅର୍ଥ କେବଳ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ। ତେଣୁ ଭାରତକୁ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର କୁହାଯିବାରୁ ସରକାର ରକ୍ଷଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ବିଶ୍ୱରେ ଉପସାଗରୀୟ ଦେଶ ଏବଂ ଉତ୍ତର କୋରିଆକୁ ଅଗଣତାନ୍ତ୍ରିକ କୁହାଗଲେ ମଧ୍ୟ ସେମାନେ ଖାତିର କରନ୍ତି ନାହିଁ, କାରଣ ସେମାନେ କେବେ ନିଜକୁ ଗଣତାନ୍ତ୍ରିକ ବୋଲି ଦାବି କରିନାହାନ୍ତି। କିନ୍ତୁ ଯେଉଁମାନେ ପ୍ରକୃତରେ ଗଣତନ୍ତ୍ର ପଥରେ ନ ଯାଇ ନିଜକୁ ବିଶ୍ୱରେ ଗଣତନ୍ତ୍ରର ପଥପ୍ରଦର୍ଶକ ବୋଲି ଦାବି କରନ୍ତି, ସେମାନେ ଅଧିକ ସମାଲୋଚିତ ହୋଇଥାନ୍ତି। ବିଡ଼ମ୍ବନା ଯେ, ଆମର ଦାବି ଓ ବାସ୍ତବତା ମଧ୍ୟରେ ବଡ଼ ବ୍ୟବଧାନ ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।