ରହସ୍ୟଘେରରେ ନିଖୋଜ ଶିଶୁ

Nov 01, 2026 - 08:29
ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି କରୁଛି। ମାନବ ସମାଜ ପାଇଁ ଅନେକ କଲ୍ୟାଣକାରୀ ଘଟଣା ଯଥା କିଶୋର କିଶୋରୀଙ୍କର ନିଶାସେବନ, ବିଶୃଙ୍ଖଳିତ ଆଚରଣ, ବୃଦ୍ଧର ବାଳିକା ପ୍ରତି ଅସଦାଚରଣ ସହ ସମ୍ପ୍ରତି ଯୋଡ଼ି ହୋଇଯାଇଛି ଶିଶୁ ନିଖୋଜ ଭଳି ଏକ ଉଦ୍‌ବେଗଜନକ ତଥ୍ୟ। ପିଲାଚୋରି ଏକ ନିଷ୍ଠୁର ବାସ୍ତବତା, ଯାହା ସଭ୍ୟ ସମାଜର ମାନଦଣ୍ଡକୁ ଦୋହଲାଇ ଦେଇଛି। କୁହାଯାଏ, ନିଖୋଜ ଶିଶୁଙ୍କୁ ନେଇ କେତେବେଳେ ଦୂର ସହରରେ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଉଛି ତ ପୁଣି କେବେ ତା’ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରାଜିକୁ କାଢ଼ି ନେଇ ବିକ୍ରି କରି ଦିଆଯାଇ ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରାଯାଉଛି। ଅନେକ ସମୟରେ ପିଲାକୁ ମାରି ଅଜ୍ଞାତ ସ୍ଥାନରେ ପୋତି ଦିଆଯାଉଛି। କେତେକ କ୍ଷେତ୍ରରେ ଶିଶୁକନ୍ୟାଙ୍କୁ ଅଜଣା ସହରରେ ଚାକରାଣୀ ରଖି ଯୌବନ ଆଗତ ହେଲେ ଯୌନଶୋଷଣ କରାଯାଉଛି। ଏକ ଅଭିଶପ୍ତ ଜୀବନ ଜିଇବା ଛଡ଼ା ତା’ ପାଖରେ ଆଉ କୌଣସି ଚାରା ନାହିଁ।
ନିକଟରେ ଘଟିଥିବା ଏକ ଘଟଣା ଅନୁସାରେ ଜଣେ ବୃଦ୍ଧ ଏକ ଶିଶୁକନ୍ୟାକୁ ଏକାକୀ ପାଇ ବିଭିନ୍ନ ପ୍ରଲୋଭନ ମାଧ୍ୟମରେ ଅପହରଣ କରି ଭୁବନେଶ୍ୱର ସନ୍ନିକଟ ଏକ ଗ୍ରାମରେ ରଖିଥିବାର ଏକ ଚାଞ୍ଚଲ୍ୟକର ଘଟଣା ସମ୍ବନ୍ଧରେ ଅବଗତ ହୋଇ ପୋଲିସ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଗଲେ। ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଚିତ୍ର ଅନୁସାରେ ଅପହରଣକାରୀ ଥିଲେ ଜଣେ ବୃଦ୍ଧ। ସେ ଅପରିଷ୍କାର ପୋଷାକ ପିନ୍ଧିଥିଲେ ଓ ମୁହଁରେ ଥିଲା ପକ୍ୱଦାଢ଼ି। ଉଦ୍ଧାର ସମୟରେ ବୃଦ୍ଧକୁ ଧରିବା ଆଦୌ ସହଜ ନଥିଲା। ନିଜ ପୋଷାକ ବଦଳାଇ ପିନ୍ଧିଥିଲା ଜିନ୍‌ସ ପ୍ୟାଣ୍ଟ ଓ ଗଞ୍ଜି। ମୁହଁରେ ନଥିଲା ଦାଢ଼ି। କିନ୍ତୁ ପୋଲିସର ସନ୍ଦେହ ତା’ଠାରେ କେନ୍ଦ୍ରୀଭୂତ ହୋଇଥିଲା। ଚତୁର ପ୍ରଶ୍ନ ମାଧ୍ୟମରେ ପୋଲିସ ହାତରେ ଧରାପଡ଼ି ସେ ନିଜର ଦୋଷ ସ୍ବୀକାର କରିବାକୁ ବାଧ୍ୟ ହୋଇଥିଲା। ଲୋକଟି କହିଲା, ସେ ନିଃସନ୍ତାନ ଥିବାରୁ ପିତୃତ୍ୱର ଅଭାବଜନିତ ଏକ ଅଜଣା ଦୁଃଖର ବଶୀଭୂତ ହୋଇ ସେ ଏପରି କରିଛି। ଏ ପିଲାଟିକୁ ପାଇଲା ପରେ ତା’ର ସୁପ୍ତ ପିତୃତ୍ୱ ଜାଗ୍ରତ ହୋଇଛି, ଅନ୍ୟ କୌଣସି କାରଣ ପାଇଁ ନୁହେଁ। ସେ ଏ ପିଲାଟିକୁ ପିତୃତ୍ୱର ସ୍ନେହ ଦେଇ ଲାଳନ ପାଳନ କରିବାର ଅଭୀପ୍‌ସା ନେଇ ପିଲାଟିକୁ ଆପଣାଇଛି। ହେଲେ ପୋଷ୍ୟ କନ୍ୟା ଗ୍ରହଣ ପାଇଁ ନିର୍ଦ୍ଦିଷ୍ଟ ବିଧିବିଧାନ ଥିବାବେଳେ ଏପରି ଚୋରି କରିବା ଏକ ଛଳନା ବ୍ୟତୀତ ଆଉ କିଛି ହୋଇ ନପାରେ ବୋଲି ପୋଲିସର ଧାରଣା ହେଲା। ପୋଲିସ ଅନୁସନ୍ଧାନ ବଳରେ ସତ୍ୟ ଉଦ୍‌ଘାଟନ ହେବ ଓ ପିଲାଟି ତା’ର ମାତାପିତାଙ୍କୁ ଫେରିପାଇବ ବୋଲି ଏକ ଦୃଢ଼ ଆଶା ପୋଷଣ କରାଯାଏ।
ମନେପଡ଼େ ଯାଜପୁର ଜିଲାର ପିହୁ ଓ ନୟାଗଡ଼ ଜିଲାର ପରୀ ନିଖୋଜ ଘଟଣା। ଏ ଦୁଇଟି ଘଟଣାର ସମ୍ବେଦନଶୀଳତା ଗଣମାଧ୍ୟମରେ ପ୍ରସାରିତ ହୋଇ ଜନମାନସକୁ ପ୍ରଭାବିତ କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରିନାହିଁ। ପ୍ରତିବର୍ଷ ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ନିଖୋଜ ଶିଶୁଙ୍କ ମଧ୍ୟରୁ ମାତ୍ର ୧୦% ଉଦ୍ଧାର କରିବାର ସଫଳତା ମିଳିଛି। ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ଯୁଗରେ ଏତେ ସଂଖ୍ୟକ ଶିଶୁ ନିଖୋଜ ହେବା ଏକ ବିଡ଼ମ୍ବିତ ସମ୍ବାଦ। ନ୍ୟାଶନାଲ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟାନୁଯାୟୀ ଓଡ଼ିଶାରେ ଗତ ୫ବର୍ଷ ମଧ୍ୟରେ ୨୩,୯୫୦ ଶିଶୁ ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରେ ପାଖାପାଖି ୯୦ଭାଗ କନ୍ୟା ସନ୍ତାନ ଓ ପ୍ରାୟ ୧୦ଭାଗ ପୁଅ ଅଛନ୍ତି। ୨୦୨୪ରେ ନିଖୋଜ ଶିଶୁଙ୍କ ସଂଖ୍ୟାଥିଲା ୬,୨୨୩; ଯେଉଁମାନଙ୍କର ବୟସ ୧୮ବର୍ଷରୁ କମ୍‌। ତନ୍ମଧ୍ୟରେ ଝିଅଙ୍କ ସଂଖ୍ୟା ୬,୨୦୮; ଯେଉଁମାନେ ୧୬ରୁ ୧୮ ବର୍ଷ ବୟସ ମଧ୍ୟରେ ଥିଲେ। ୨୦୨୪ ମସିହା ସୁଦ୍ଧା ଓଡ଼ିଶାରେ ସମୁଦାୟ ନିଖୋଜ ଶିଶୁଙ୍କ ସଂଖ୍ୟାଥିଲା ୧୩,୪୯୫। ନିଖୋଜ କିଶୋରୀମାନଙ୍କୁ ମାନବ ଚାଲାଣ (ହ୍ୟୁମାନ୍‌ ଟ୍ରାପିଙ୍ଗ) ବାଲ୍ୟ ବିବାହ, ଯୌନ ଶୋଷଣ ଓ ଅଶ୍ଳୀଳ ଭିଡିଓ ନିର୍ମାଣରେ ବ୍ୟବହାର କରାଯାଉଥିବା ଅନୁମାନ କରାଯାଏ। ଅପହୃତ କିଶୋର କିଶୋରୀଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଇ ଆପତ୍ତିଜନକ କାର୍ଯ୍ୟରେ ବିନିଯୋଗ କରାଯାଉଥିବାର ଚାଞ୍ଚଲ୍ୟକର ଅଭିଯୋଗ ହୋଇଆସୁଛି। ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୨୪ରେ ଓଡ଼ିଶାରେ ମୋଟ ୬,୮୩୮ ଶିଶୁ ନିଖୋଜ ହୋଇଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୮,୨୦୬କୁ ବୃଦ୍ଧି ପାଇଛି। ୨୦୨୪ ସୁଦ୍ଧା ୩,୫୬୬ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ୯,୯୨୯ ଶିଶୁଙ୍କର କୌଣସି ପତ୍ତା ମିଳି ପାରିନାହିଁ। ଓଡ଼ିଶା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ଗତ ଅଗଷ୍ଟ ଶେଷ ସପ୍ତାହରୁ ବାହାର ରାଜ୍ୟରେ ଶିଶୁଠାବ ଯୋଜନା ହାତକୁ ନିଆଯାଇଛି। ଡିଜିଙ୍କ ନିର୍ଦ୍ଦେଶରେ କ୍ରାଇମ୍‌ ବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଶିଶୁଠାବ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି।
ଜାତୀୟ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ତଥ୍ୟ ଅନୁସାରେ କେବଳ ଓଡ଼ିଶା ନୁହେଁ; ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ତାମିଲନାଡ଼ୁ ପ୍ରଭୃତି ରାଜ୍ୟରେ ବ୍ୟାପକ ଶିଶୁ ନିଖୋଜ ଘଟଣା ଘଟିବାରେ ଲାଗିଛି। କେବଳ ଉତ୍ତରପ୍ରଦେଶରୁ ୨୦୨୪ ସୁଦ୍ଧା ୧୦ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ଖବର ପ୍ରାପ୍ତ ହୋଇଛି। ଦୁରାଚାର ରାକ୍ଷସ ପ୍ରବୃତ୍ତି ବ୍ୟକ୍ତିମାନଙ୍କର ଶିଶୁ ଅପହରଣ ଏକ ନିତିଦିନିଆ ପେସାରେ ପରିଣତ ହେଲାଣି। ସେମାନେ ଏଥିରୁ ବିପୁଳ ଅର୍ଥ ରୋଜଗାର କରୁଛନ୍ତି। ସେମାନଙ୍କ ହୃଦୟରେ ଥରେ ହେଲେ ଦୟାଭାବ ଜାତ ହେଉନାହିଁ। ଯେଉଁ ମାତାପିତା, ଆମତ୍ୀୟ ସ୍ବଜନ ସେମାନଙ୍କ ସନ୍ତାନଙ୍କୁ ହରାଉଛନ୍ତି, ସେମାନେ କେତେ ଯେ ମାନସିକ ଯନ୍ତ୍ରଣା ଭିତରେ କାଳକାଟୁଛନ୍ତି, ତାହା କେବଳ ଅନୁଭବୀ ହିଁ କହିବ। ଅର୍ଥ ରୋଜଗାର ନିଶା ଆଗରେ ମାନବିକତା ବନ୍ଧାପଡ଼ିଯାଇଛି। ଥରେ ଯଦି ସେମାନେ ଚିନ୍ତା କରନ୍ତେ, ଏ ପିଲା ଯଦି ଆମର ରକ୍ତ ସମ୍ପର୍କୀୟ ହୋଇଥାନ୍ତା; ତେବେ ଆମେ ଏପରି କରିପାରନ୍ତେ କି? ସେମାନଙ୍କ ପକ୍ଷରେ ହଁ କିମ୍ବା ନାହିଁର ଉତ୍ତର କିଛି ମାନେ ରଖେନା। କାରଣ ସେମାନେ ଅର୍ଥାଗମରେ ଅନ୍ଧ ହୋଇଯାଆନ୍ତି। ଅର୍ଥ ରୋଜଗାରର ଭୂତ ଯେତେବେଳେ ସେମାନଙ୍କ ମୁଣ୍ଡରେ ସବାର ହୋଇଯାଏ, ସେତେବେଳେ ପର ଆପଣାର ଭେଦାଭେଦ କୌଣସି ମାନେ ରଖେନା।
ବହୁଦିନ ତଳର ଏକ ଘଟଣା ଏଠାରେ ଉଲ୍ଲେଖଯୋଗ୍ୟ ମନେହୁଏ। ଜଣେ ଉଦ୍‌ଭ୍ରାନ୍ତ ଯୁବକ ରାଜ୍ୟ ବାହାରର ଏକ ବେଶ୍ୟାଳୟ ଗମନ ଅବସରରେ ଯେଉଁ ରମଣୀ ସହ ମିଳିତ ହେବାକୁ ବସିଥିଲା, ସେ ଝିଅଟି ହଠାତ୍‌ କାନ୍ଦିବାକୁ ଲାଗିଲା। ଯୁବକଟି କିଛି ସମୟ ପାଇଁ ନୀରବ ରହି କାନ୍ଦିବାର କାରଣ ପଚାରିଲା। ସେ ଗୃହର କ୍ଷୀଣ ଆଲୋକରେ ଯୁବତୀଟି ଯୁବକ ଗଳାରେ ଝୁଲୁଥିବା ଏକ ପଦକ ଦେଖି ତା’ ମନରେ ସନ୍ଦେହ ହେଲା। ସେ ପଚାରିଲା ଆପଣଙ୍କର କ’ଣ କେହି ଭଉଣୀ ନାହାନ୍ତି? ମୁଁ ଯଦି ଆପଣଙ୍କର ଭଉଣୀ ହୋଇଥାଆନ୍ତି, ତେବେ କ’ଣ ଆପଣ ମୋ ସହ ଏପରି ଆଚରଣ କରିପାରିଥା’ନ୍ତେ? ଦୁହେଁ ପ୍ରକୃତିସ୍ଥ ହେଲାପରେ ଜଣାପଡ଼ିଲା ଯେ, ଦୁହେଁ ନିଜ ଭାଇ ଭଉଣୀ। ପରେ ପୋଲିସ ସହାୟତାରେ ଝିଅଟିକୁ ଉଦ୍ଧାର କରାଗଲା। ପୋଲିସ ପକ୍ଷରୁ ଯୁବକକୁ ଯେଉଁ ପ୍ରଶ୍ନ ପଚରାଗଲା ତାହା ଅତ୍ୟନ୍ତ ସମ୍ବେଦନଶୀଳ। ତୁମେ ଜାଣିଛ ତୁମର ଭଉଣୀ ଅପହୃତା ହୋଇଛି। ହୁଏତ ସେ କୌଣସି ବେଶ୍ୟାଳୟରେ ବନ୍ଧା ପଡ଼ିଥାଇପାରେ। ବେଶ୍ୟାଳୟକୁ ଆସିବା ପୂର୍ବରୁ ଥରେହେଲେ ତୁମ ମନରେ ଏ ପ୍ରଶ୍ନ ଆସିଲା ନାହିଁ ଯେ ଏଠାରେ ଯଦି ଭଉଣୀ ଥିବ ଓ ତା’ ସହ ମୁଁ କୌଣସି ଅନ୍ୟାୟ ଆଚରଣରେ ବଶୀଭୂତ ହୁଏ ତେବେ କ’ଣ ହେବ? ସତକୁ ସତ ତୁମେ ଯାହା ସହ ଅନ୍ୟାୟ ଆଚରଣ କରିବାକୁ ଯାଉଥିଲ ସେ ତୁମର ଭଉଣୀ। ଭଗବାନ ତୁମ ଦୁହିଁଙ୍କୁ ବଞ୍ଚାଇଦେଲେ। ପରେ ଯେତେବେଳେ ପୁଅଝିଅ ଘରକୁ ଫେରିଲେ, ଝିଅଟିକୁ ଏରୁଣ୍ଡିବନ୍ଧ ଡେଇଁବାକୁ ଅନୁମତି ଦିଆଗଲା ନାହିଁ। ପୁଅକୁ କିନ୍ତୁ ସସ୍ନେହରେ ଘରକୁ ପାଛୋଟି ନେବାବେଳେ ପୁଅର ପ୍ରତିବାଦ ଯୋଗୁଁ ଝିଅକୁ ଘରକୁ ଯିବାର ଅନୁମତି ମିଳିଲା ସତ, ହେଲେ ସେ ଆଉ ସହିପାରିଲାନି ସମାଜର କଟାକ୍ଷ ଓ କଟୁ ସମାଲୋଚନା। ଶେଷରେ ଆମତ୍ହତ୍ୟାକୁ ଆଦରିନେଲା। ଅପହୃତା କିଶୋରୀମାନଙ୍କର ଦୁଃଖ ଯାତନା ବାସ୍ତବିକ ଆମ ସମାଜ ପାଇଁ ଘୋର ଲଜ୍ଜାର ବିଷୟ। କେବେ ଏହାର ଅନ୍ତ ଘଟିବ କିଏ ଜାଣେ!

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।