କଫ୍ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ
ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡୁଙ୍ଗୁରିପାଲି ଶିବାନନ୍ଦପଡ଼ାର ରିଜେ ସେଠ(୩୨), ଡୁଙ୍ଗୁରିପାଲି ବ୍ଲକ କଲୋନୀର ସରୋଜ ଥନାପତି(୩୪) ଏବଂ ବନ୍ଧପାଲି ଗ୍ରାମର ଶାନ୍ତନୁ ଭୁଏ(୨୬)।
ମିଳିଥିବା ସୂଚନା ମୁତାବକ, ଶନିବାର ପୋଲିସ କଫ୍ ସିରଫ ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା। ଏନେଇ ପୋଲିସର ଏକ ଟିମ୍ ଡୁଙ୍ଗୁରିପାଲି -ରାମପୁର ରୋଡ ରାସ୍ତା ଶ୍ମାଶାନ ଘାଟ ନିକଟରେ ଚଢାଉ କରିଥିଲା। ଚଢାଉ ବେଳେ ପୋଲିସ ୩ଜଣ ଯୁବକଙ୍କୁ ଅଟକାଇ ତାଙ୍କ ପାଖରୁ ୩୧ଟି କଫ୍ ସିରଫ ବୋତଲ, ୪ ଲିଟର ତରଳ କଫ୍ ସିରଫ ଜବତ କରିଥିଲା। ପରେ ପୋଲିସ ୩ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବାଇକ୍, ୨ଟି ମୋବାଇଲ ଫୋନ୍ ସହ ନଗଦ ୮ହଜାର ୨୪୦ ଟଙ୍କା ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ .୨୧୫/୨୬) ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟରେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକରୀ ରୋଜାଲିନ ପଟେଲ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।