କୃଷ୍ଣସାର ମୃଗ ଛୁଆ ଗୋଡ଼ାଇଲା ବୁଲା କୁକୁର, ଜୀବନ ବିକଳରେ ଏଣେତେଣେ ଦୌଡ଼ି…

Oct 02, 2026 - 11:10
କୃଷ୍ଣସାର ମୃଗ ଛୁଆ ଗୋଡ଼ାଇଲା ବୁଲା କୁକୁର, ଜୀବନ ବିକଳରେ ଏଣେତେଣେ ଦୌଡ଼ି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ପ୍ରାୟ ଦେଢ଼ ମାସ ପୂର୍ବେ କୃଷ୍ଣସାର ମୃଗ ଛୁଆଟି ବାଟହୁଡ଼ି ଗାଁ ନିକଟ ଚାଷ ଜମି ମଧ୍ୟକୁ ଚାଲିଆସିଥିଲା। ଏହି ସମୟରେ କିଛି ବୁଲା କୁକୁର ତାକୁ ଗୋଡ଼ାଇବାରୁ ମୃଗଟି ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିଲା। ଗାଁର ଜଣେ ଚାଷୀ ମୃଗଟିକୁ କୁକୁରଙ୍କ ଆକ୍ରମଣରୁ ଉଦ୍ଧାର କରି ନିଜ ଘରେ ଯତ୍ନର ସହ ରଖିଥିଲେ।

ଖବର ପାଇ ନୂଆପଡ଼ା ବନବିଭାଗ ସେକ୍ସନ ଫରେଷ୍ଟର ଇ. ଗଣେଶ, ଫରେଷ୍ଟ ଗାର୍ଡ ଗୀତାଞ୍ଜଳି ନାୟକ ଏବଂ ପାରା ବନ କର୍ମଚାରୀ ସ୍କ୍ୱାଡ୍ ସଦସ୍ୟ ସଂଗ୍ରାମ ସିଂ ଓ ସାଗର ପ୍ରଧାନ ସଦଳବଳେ ଗାଁରେ ପହଞ୍ଚି ମୃଗଛୁଆଟିକୁ ଉଦ୍ଧାର କରି ଦିଗପହଣ୍ଡି ବନବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ତାକୁ ଖାଦ୍ୟ ଦିଆଯିବା ପରେ ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ମଧୁସ୍ମିତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଡାକ୍ତର ସୌମ୍ୟ ରଞ୍ଜନ ସାହୁ ତାର ପ୍ରାଥମିକ ଚିକିତ୍ସା କରିଥିଲେ। ମୃଗଟି ମାଈ ପ୍ରଜାତିର ଏବଂ ତାର ବୟସ ପ୍ରାୟ ୨ ମାସ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଶୁକ୍ରବାର ତାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ତେବେ ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କାହାରିକୁ କୌଣସି ସୂଚନା ଦେଇନଥିଲେ। ଦୀର୍ଘ ଦେଢ଼ ମାସ ହେଲା ବନ୍ୟପ୍ରାଣୀ କୃଷ୍ଣସାର ମୃଗଟି ଜଣେ ବ୍ୟକ୍ତିଙ୍କ ଘରେ ଥିବା ବେଳେ ବନ ବିଭାଗ କିଭଳି ଜାଣିପାରିନଥିଲା, କିମ୍ବା ସବୁ ଜାଣି ମଧ୍ୟ କାହିଁକି ସମୟସୀମା ମଧ୍ୟରେ ଉଦ୍ଧାର କରିନଥିଲା, ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କିଛି ବର୍ଷ ହେଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ହେବାରେ ଲାଗିଛି, ମାତ୍ର ଏମାନଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ କୌଣସି ବିଶେଷ ଜନସଚେତନତା କାର୍ଯ୍ୟକ୍ରମ କରାଯାଉନଥିବା ଅଭିଯୋଗ ହେଉଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୨୪ ସେପ୍ଟେମ୍ବର ୨୬ ତାରିଖରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ପ୍ରାୟ ୨ ବର୍ଷ ବୟସର ଅଣ୍ଡିରା କୃଷ୍ଣସାର ମୃଗ ଗୁରୁତର ହୋଇ ରାସ୍ତାକଡ଼ରେ ଛଟପଟ ହେଉଥିଲା। ପଥଚାରୀଙ୍କ ସୂଚନା ଆଧାରରେ ତତ୍କାଳୀନ ବନବିଭାଗ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଆହାତ ମୃଗଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତତ୍କାଳୀନ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଆଶିଷ ଦୋରା ତାକୁ ମୃତ ଘୋଷଣା କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ସ୍ଥାନୀୟ କେନ୍ଦ୍ରୀୟ ନର୍ସରୀ ପରିସରରେ ପୋତି ଦିଆଯାଇଥିଲା।

ସେହିପରି ଗତ ୨୦୨୫ ଅକ୍ଟୋବର ୧୧ରେ ସାନଖେମୁଣ୍ଡି ବ୍ଲକ ଡି.ଆମ୍ବଠା ଗ୍ରାମ କୋଠଘରୁ ପ୍ରାୟ ୩ ବର୍ଷ ବୟସର ମାଈ କୃଷ୍ଣସାର ମୃଗକୁ ପାଟପୁର ବନ ବିଭାଗ ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ ଉଦ୍ଧାର କରି ନିକଟସ୍ଥ ରତନେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ।

ଏହି ଘଟଣା ସମ୍ପର୍କରେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କୁ ପଚାରିବାରୁ, କୃଷ୍ଣସାର ମୃଗ ଛୁଆଟି ଜଣେ ବ୍ୟକ୍ତିଙ୍କ ଘରେ ଥିବା ଖବର ପାଇ ଉଦ୍ଧାର କରାଯାଇଥିଲା ଏବଂ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର କହିବାରୁ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।