କୋଟିଆରୁ ଫେରିବା ବାଟରେ ଧସିଲା ପାହାଡ଼: ଫସି ରହିଛନ୍ତି ୩ ଶିଶୁ ବିକାଶ ସୁପ୍ରଭାଇଜର, ଉଦ୍ଧାର କାର୍ଯ୍ୟ ଜାରି
ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ରେ ପାହାଡ଼ ଧସିବା କାରଣରୁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। କୋଟିଆ ପଞ୍ଚାୟତରେ ନିଜର ସରକାରୀ କାର୍ଯ୍ୟ ସାରି ଫେରୁଥିବା ସମୟରେ ହଠାତ୍ ପାହାଡ଼ ଧସିଯିବାରୁ ଶିଶୁ ବିକାଶ ବିଭାଗ (ICDS) ର ୩ ଜଣ ମହିଳା ସୁପ୍ରଭାଇଜରଙ୍କ ସହ ଅଫିସ୍ ଗାଡ଼ି ଓ ଡ୍ରାଇଭର ବାଟରେ ଫସି ରହିଛନ୍ତି।
ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତ ସୁପ୍ରଭାଇଜର ହିରାମଣୀ ସାଉଁତା, ରାଲେଗଡ଼ା ସୁପ୍ରଭାଇଜର ସୁଭଦ୍ରା ରାଣୀ ରଏ ଏବଂ ଅମ୍ପାବାଲି ସୁପ୍ରଭାଇଜର ଜୟଶ୍ରୀ ବିଶ୍ୱାଳ କୋଟିଆ ପଞ୍ଚାୟତରେ ‘ସୁଭଦ୍ରା’ ଯୋଜନା ସମ୍ପର୍କିତ କାର୍ଯ୍ୟ ସାରି ଫେରୁଥିଲେ। ସେମାନେ ନୂଆଁଗା ପଞ୍ଚାୟତର ଗାଲିଗାବଡ଼ା ଦେଇ ପଟ୍ଟାଙ୍ଗି ଫେରୁଥିବା ବେଳେ କର୍ତ୍ତାଲମାଉଡ଼ି ଗ୍ରାମ ପୂର୍ବରୁ ପ୍ରବଳ ପାହାଡ଼ ଧସିଯାଇଥିଲା। ଫଳରେ ଗାଡ଼ିଟି ଆଗକୁ ଯାଇନପାରି ପଛକୁ ଗାଲିଗାବଡ଼ା ଆଡ଼କୁ ଫେରୁଥିବା ସମୟରେ ପଛପଟୁ ମଧ୍ୟ ପାହାଡ଼ ଧସିପଡ଼ିଥିଲା। ଫଳରେ ଗାଲିଗାବଡ଼ା ଏବଂ କର୍ତ୍ତାଲମାଉଡ଼ି ଗ୍ରାମ ମଝିରେ ସେମାନଙ୍କ ଗାଡ଼ି ଅଟକି ରହିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ ବିଡ଼ିଓ ରାମକ୍ରିଷ୍ଣା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ତେବେ ଖବର ଲେଖାହେବା ସୁଦ୍ଧା ମାଟି ଓ ପଥର ହଟାଇବା କାର୍ଯ୍ୟ ଜାରି ରହିଥିବା ବେଳେ ତିନି ସୁପ୍ରଭାଇଜରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରି ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।