୪ ଲେନ୍ ହେବ କନ୍ଦରପୁର-ପାରାଦ୍ବୀପ ରାଜ୍ୟ ରାଜପଥ, ସର୍ଭେ କାର୍ଯ୍ୟ ଆରମ୍ଭ
କଟକ ସଦର, ୨୮।୧୦(ସୁଶାନ୍ତ କୁମାର ଜେନା): ଜଗତସିଂହପୁର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ କନ୍ଦରପୁର-ପାରାଦ୍ବୀପ ୧୨ ନମ୍ବର ରାଜ୍ୟ ରାଜପଥର ପ୍ରଶସ୍ତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ରାସ୍ତାକୁ ୨-ଲେନ୍ରୁ ୪-ଲେନ୍କୁ ସମ୍ପ୍ରସାରିତ କରାଯିବ। ତେବେ ଭବିଷ୍ୟତକୁ ଆଖିଆଗରେ ରଖି ଏହାକୁ ୬-ଲେନ୍ କରିବା ଲକ୍ଷ୍ୟରେ ଜମି ଅଧିଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ରାଜ୍ୟ ରାଜପଥର ଡାହାଣ ପାର୍ଶ୍ୱ ଦେଇ ଭାରତୀୟ ତୈଳ ନିଗମ (IOCL)ର ପ୍ରାୟ ୭୨ କିଲୋମିଟର ଦୀର୍ଘ ପାଣି ପାଇପ୍ ଲାଇନ୍ ଯାଇଛି। ଏହି ପାଇପ୍ ଲାଇନ୍କୁ ଘୁଞ୍ଚାଇବା ସମ୍ଭବ ହେଉ ନ ଥିବାରୁ ଏକ ବିକଳ୍ପ ଉପାୟ ଚିନ୍ତା କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ପାଇପ୍ ଲାଇନ୍ ଯାଇଥିବା ଅଂଶକୁ ଡିଭାଇଡର ଭାବେ ବ୍ୟବହାର କରାଯିବ ଏବଂ ରାସ୍ତାଟିକୁ ମୁଖ୍ୟତଃ ଦକ୍ଷିଣ ପାର୍ଶ୍ୱ ଆଡ଼କୁ ସମ୍ପ୍ରସାରିତ କରାଯିବ।
ଅନେକ ସ୍ଥାନରେ ପୂର୍ତ୍ତ ବିଭାଗର ନିଜସ୍ବ ଜମି କମ୍ ଥିବାରୁ ଆବଶ୍ୟକତା ଅନୁଯାୟୀ ଘରୋଇ ଜମି ଅଧିଗ୍ରହଣ କରାଯିବ। କଟକ-କନ୍ଦରପୁର ଅଂଶଟି ୫୫ ନମ୍ବର ଜାତୀୟ ରାଜପଥରେ ପରିଣତ ହୋଇସାରିଥିବା ବେଳେ, ପାରାଦ୍ବୀପ ବନ୍ଦର ଏବଂ ତୈଳ ନିଗମର ରିଫାଇନାରୀ ପାଇଁ ଏହି ରାସ୍ତାର ପ୍ରଶସ୍ତୀକରଣ ଅତି ଜରୁରୀ ହୋଇପଡ଼ିଛି।
ଅନ୍ୟପଟେ, କମରପଦା-କନ୍ଦରପୁର ମଧ୍ୟରେ ସାଗରମାଳା ରାସ୍ତାକୁ ସଂଯୋଗ କରିବାର ପ୍ରସ୍ତାବ ରହିଛି। ଏହି ବିଶେଷ ଅଂଶ ପାଇଁ କେନ୍ଦ୍ର ଓ ରାଜ୍ୟ ପୂର୍ତ୍ତ ବିଭାଗ ମଧ୍ୟରେ ଆଲୋଚନା ଓ ବିଚାର-ବିମର୍ଶ କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଗତସିଂହପୁର ପୂର୍ତ୍ତ ଡିଭିଜନ ସୂତ୍ରରୁ ପ୍ରକାଶ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।