କ୍ରିକେଟ ଇତିହାସରେ ଶ୍ରୀଲଙ୍କାର ବଡ଼ ବିଜୟ
ରାଓ୍ବଲପିଣ୍ଡି,୨୨ା୧୦: ହ୍ୟାରୀ ବ୍ରୁକ୍ଙ୍କ ବିସ୍ଫୋରକ ଦ୍ୱିଶତକ ନିଷ୍ଫଳ ସାବ୍ୟସ୍ତ ହୋଇଛି। ଗୁରୁବାର ଖେଳାଯାଇଥିବା ତ୍ରି-ରାଷ୍ଟ୍ରୀୟ ସିରିଜ୍ର ତୃତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ୨ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୪୩୦ ରନର ଟାର୍ଗେଟକୁ ଶ୍ରୀଲଙ୍କା ୪୯.୫ ଓଭରରେ ୮ ଉଇକେଟରେ ହାସଲ କରି ନେଇଥିଲା। ଏହା ଟାର୍ଗେଟର ପିଛା କରିବା ଦୃଷ୍ଟିରୁ ଦିନିକିଆ କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବବୃହତ୍ ବିଜୟ।
ମ୍ୟାଚ୍ରେ ଇଂଲଣ୍ଡ ଦଳର ଅଧିନାୟକ ବ୍ରୁକ ୧୧୪ ବଲରେ ଦ୍ୱିଶତକ ପୂରଣ କରି ଦ୍ରୁତତମ ଦିନିକିଆ ଦ୍ୱିଶତକ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ରେକର୍ଡ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ଙ୍କ ନାମରେ ଥିଲା। ଗିଲ ଗତ ମାସରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୧୧୭ ବଲରେ ଦ୍ୱିଶତକ ପୂରଣ କରିଥିଲେ।
ତେବେ ବ୍ରୁକ୍ ଇଂଲଣ୍ଡର ପ୍ରଥମ ବ୍ୟାଟର ଭାବେ ଅନ୍ତର୍ଜାତୀୟ ଦିନିକିଆରେ ଦ୍ୱିଶତକ କରିଛନ୍ତି। ସେ ୧୧୬ ବଲରେ ମୋଟ ୨୦୨ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ, ଯେଉଁଥିରେ ୨୧ ଚୌକା ଓ ୧୦ ଛକା ସାମିଲ ଥିଲା। ଜବାବରେ ଶ୍ରୀଲଙ୍କା ୪୯.୫ ଓଭରରେ ୮ ଉଇକେଟ ହରାଇ ୪୩୦ ରନ କରି ମ୍ୟାଚ୍ ଜିତି ନେଇଥିଲା।
ଦଳ ପାଇଁ ପବନ ରତ୍ନାୟକେ ୧୩୦ (୧୫ ଚୌକା ଓ ୩ ଛକା) ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅଭିଷ୍କା ଫର୍ନାଣ୍ଡୋ (୯୭ ରନ, ୧୧ ଚୌକା ଓ ୨ ଛକା) ଓ ଦାସୁନ ଶନାକା (୯୭ ରନ, ୬ ଚୌକା ଓ ୮ ଛକା) ଅଳ୍ପକେ ଶତକ ହାତଛଡ଼ା କରିଥିଲେ। ଅନ୍ତିମ ଓଭରର ପଞ୍ଚମ ବଲରେ ଛକା ଲଗାଇ ଜନିଥ ଲିୟାନାଗେ ଶ୍ରୀଲଙ୍କାକୁ ବିଜୟ ଭେଟି ଦେଇଥିଲେ। ଲିୟାନାଗେ ୨୭ ବଲରେ ୬୧ (୭ ଚୌକା ଓ ୩ ଛକା) ରନ କରି ଅପରାଜିତ ରହିଥିବା ବେଳେ ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ ୩ ଓ ସାମ କୁରାନ ୨ ଉଇକେଟ ନେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।