ଗଜପତିରୁ ବ୍ରହ୍ମପୁର ଯାଉଥିଲା ଗଞ୍ଜେଇ ବସ୍ତା: ପାଟ୍ରୋଲିଂ ବେଳେ ଧରାପଡ଼ିଲେ; ମହାରାଷ୍ଟ୍ର ଯୁବକ ସମେତ ଦୁଇ ଗିରଫ…

Nov 01, 2026 - 22:01
ଗଜପତିରୁ ବ୍ରହ୍ମପୁର ଯାଉଥିଲା ଗଞ୍ଜେଇ ବସ୍ତା: ପାଟ୍ରୋଲିଂ ବେଳେ ଧରାପଡ଼ିଲେ; ମହାରାଷ୍ଟ୍ର ଯୁବକ ସମେତ ଦୁଇ ଗିରଫ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇ ୧୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଣଓଡ଼ିଆ ଯୁବକ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଅବକାରୀ କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ସେହି ସମୟ ସମୟରେ ଗଜପତି ଜିଲା ମୋହନା ପଟୁ ଏକ ଲାଲ୍ ଓ କଳା ରଙ୍ଗର ଟିଭିଏସ୍ ବାଇକ୍ (ନଂ. ଓଡ଼ି-୦୭-ବି-୯୯୬୪) ଯୋଗେ ଦୁଇ ଜଣ ଯୁବକ ଦ୍ରୁତ ଗତିରେ ବ୍ରହ୍ମପୁର ଆଡ଼କୁ ଯାଉଥିଲେ। ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ, କନେଷ୍ଟବଳ ବଳରାମ ପାତ୍ର, ରାଜେଶ ଜେନା ଏବଂ ସେକ୍ ରାଜେଶ୍ ଉଦ୍ଦିନ ସନ୍ଦେହ କରି ସେମାନଙ୍କ ଗାଡ଼ିକୁ ଅଟକାଇ ଖାନତଲାସୀ କରିଥିଲେ।

ତଲାସୀ ସମୟରେ ବାଇକରେ ଏକ ବସ୍ତାରେ ଲୁଚାଯାଇ ରଖାଯାଇଥିବା ୧୪ କେଜି ୪୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଅବକାରୀ ଅଧିକାରୀମାନେ ଘଟଣାସ୍ଥଳରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ, ବାଇକ୍ ଏବଂ ସେମାନଙ୍କ ମୋବାଇଲ୍ ଫୋନ୍ ଜବତ କରି ଅବକାରୀ ଥାନାକୁ ଆଣିଥିଲେ।

ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ମୋହନା ଥାନା ଯୋଡ଼ିପଥର ଗ୍ରାମର ଅମୂଷ ନାୟକ (୨୫) ଏବଂ ମହାରାଷ୍ଟ୍ର ଜଲଗାଁ ଜିଲା ଛଲିଶ ଗାଁର କୁମାରସିଂହ ବିଜୟ ସିଂ ରାଜପୁତ (୨୮)। ସେମାନେ ଗଜପତିରୁ ଗଞ୍ଜେଇ ଚୋରା ଚାଲାଣ କରି ବ୍ରହ୍ମପୁର ନେଉଥିବା ପଚରାଉଚରା ବେଳେ ସ୍ୱୀକାର କରିଛନ୍ତି।

ଅବକାରୀ ଥାନାରେ ମାମଲା ନଂ. ୧୪୫/୨୬-୨୭ ରୁଜୁ କରାଯାଇ ଉଭୟଙ୍କୁ ବ୍ରହ୍ମପୁର ଜିଲା ଜଜ୍ କୋର୍ଟକୁ ଚାଲାଣ କରାଯାଇଥିଲା। ତେବେ କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଓଆଇସି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।