ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ
ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ ରାଜ୍ୟ ଗାଁ ସାଥୀ (ମେଟ୍) ମହାସଂଘ, ଗଞ୍ଜାମ ଶାଖା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମହାସଂଘର ଶତାଧିକ ସଦସ୍ୟ ବର୍ଷାକୁ ଖାତିର ନ କରି ଛତ୍ରପୁର ଅପର ବସ୍ଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା।
ମହାସଂଘର ଦାବି ଅନୁଯାୟୀ, ୨୦୦୮ ମସିହାରୁ ନିଯୁକ୍ତ ହୋଇ କାର୍ଯ୍ୟରତ ଗାଁ ସାଥୀ (ମେଟ୍)ମାନଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ବେତନ ପ୍ରଦାନ ସହ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ। ଏଥିସହ ଗାଁ ସାଥୀମାନଙ୍କୁ ନିୟମିତ ଭାବେ ଦୈନିକ କାମ ଯୋଗାଇବା ସହ ସେମି-ସ୍କିଲ୍ଡ ପେମେଣ୍ଟ ହାରରେ ପାରିଶ୍ରମିକ ପ୍ରଦାନ କରିବାକୁ ମହାସଂଘ ଦାବି କରିଛି।
ଦାବିପତ୍ର ପ୍ରଦାନ ସମୟରେ ଗଞ୍ଜାମ ଜିଲା ଶାଖା ସଭାପତି ରବୀନ୍ଦ୍ର କୁମାର ଗୌଡ଼, ସମ୍ପାଦକ ସୁଧାଂଶୁ ଶେଖର ଶତପଥି, ହେମନ୍ତ କୁମାର ନାହାକ, ଅଶୋକ କୁମାର ପୋଲାଈ, ବସନ୍ତ ରାଉଳ, ବସନ୍ତ ଚାନ୍ଦ, ଚରଣ ନାୟକ, ଉଦୟ ନାରାୟଣ ଦାଶ, ଜିତୁ ସେଠୀ ଓ ପ୍ରମୋଦ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଶତାଧିକ ଗାଁ ସାଥୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।