ଗିଡ଼ିପାବାଲି, ଡାଙ୍ଗେଶିରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ଆହୁରି ୧୧ ଜଣଙ୍କ ପତ୍ତା ଏବେ ବି ମିଳୁନି
ଭଞ୍ଜନଗର,୧ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲିରେ ଘଟିଥିବା ଭୂସ୍ଖଳନ ଘଟଣାରେ ରବିବାର ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଗିଡ଼ିପାବାଲି ଓ ନିକଟସ୍ଥ ଡାଙ୍ଗେଶି ଗ୍ରାମରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ତେବେ ଏବେ ବି ୧୧ ଜଣ ନିଖୋଜ ଥିବାରୁ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିବାରେ ଲାଗିଛି।
ଉଦ୍ଧାର କାର୍ଯ୍ୟରେ ବିଳମ୍ବ ସାଙ୍ଗକୁ ଲଗାଣ ବର୍ଷା ବାଧକ ସାଜିଛି। ଅନ୍ୟପଟେ ଆଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ଅଭାବ ମଧ୍ୟ ଉଦ୍ଧାର କାର୍ଯ୍ୟକୁ ମନ୍ଥର କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଆଜି ଗିଡିପାବାଲିରୁ ୨ ଟି ମୃତଦେହ ଉଦ୍ଧାର ସମ୍ପର୍କରେ ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ ରବିବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଏନ୍ଡିଆର୍ଏଫ ସହ ରେଳବାଇର ଏକ ଟିମ୍ ନିୟୋଜିତ ଅଛନ୍ତି। ଏହି ଅପରେଶନରେ ଏସ୍ଓଜି ଯବାନଙ୍କ ଭୂମିକା ବେଶ୍ ଅଧିକ।
ଘଟଣାସ୍ଥଳକୁ ବଡ଼ କ୍ରେନ ନେବା ସମ୍ଭବ ହେଉ ନ ଥିବାରୁ ବଡ଼ ବଡ଼ ପଥର ଖଣ୍ଡଗୁଡ଼ିକୁ ନିୟନ୍ତ୍ରିତ ବିସ୍ଫୋରଣ (କଣ୍ଟ୍ରୋଲ୍ଡ ବ୍ଲାଷ୍ଟ) ମାଧ୍ୟମରେ ହଟାଇବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ଉଦ୍ଧାର କାର୍ଯ୍ୟ ଆହୁରି ତ୍ୱରାନ୍ବିତ ହୋଇପାରିବ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରବିବାର ରାତିରେ ଚେନ୍ନାଇରୁ ଅତ୍ୟାଧୁନିକ ଯନ୍ତ୍ରପାତି ଆସିବାର ସୂଚନା ମିଳିଛି।
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଘଟଣାସ୍ଥଳ ନିକଟରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଉଦ୍ଧାର କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯାଇପାରିବ, ସେନେଇ କଥା ହୋଇଛନ୍ତି। ବିଗତ ଚାରିଦିନ ଧରି ବିଧାୟକ ନିଜ ଖର୍ଚ୍ଚରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି। ରବିବାର ଏକ ସମୀକ୍ଷା ବୈଠକରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନୱିତ କରିବା ସହ ବିପନ୍ନଙ୍କ ନିକଟରେ ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବାକୁ ବିଭିନ୍ନ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।
ରବିବାର ରାତିରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଭଞ୍ଜନଗରରେ ପହଞ୍ଚିଛନ୍ତି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଅଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ସୋମବାର ଭଞ୍ଜନଗରଠାରେ ଉପଖଣ୍ଡର ବିଭିନ୍ନ ଅଧିକାରୀଙ୍କ ସହ ସ୍ବାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ରବିବାର ସକାଳେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭଞ୍ଜନଗର ଗସ୍ତରେ ଆସି ବିଧାୟକଙ୍କ ସହ ପୁନରୁଦ୍ଧାର କାର୍ଯ୍ୟ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ସେ ଗିଡ଼ିପାବାଲି ଯାଇ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ସନ୍ଧ୍ୟାରେ ସେ ଫେରିଥିଲେ। ତାଙ୍କ ସହ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର ଓ ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ବାରମ୍ବାର ବନ୍ୟା ଓ ବାତ୍ୟା ଗଞ୍ଜାମ ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଗତ ୨୮ ତାରିଖ ରାତିରେ ଆସିଥିବା ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁ ଗିଡ଼ିପାବାଲି ଗ୍ରାମର ବ୍ୟାପକ କ୍ଷୟକ୍ଷତି ହେବା ସହ ଗାଁର ଅନେକ ଅଂଶ ମାଟିରେ ମିଶିଯାଇଛି। ଗିଡ଼ିପାବାଲି ନିକଟସ୍ଥ ଡାଙ୍ଗେଶି ଗ୍ରାମ ମଧ୍ୟ ଭୂସ୍ଖଳନରେ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ଡାଙ୍ଗେଶିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗିଡ଼ିପାବାଲିରେ ୧୩ ଜଣ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ରବିବାର ଦୁଇଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ଉଭୟ ଗ୍ରାମରେ ମୋଟ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ନିଖୋଜ ଥିବା ଅନ୍ୟ ୧୧ ଜଣଙ୍କ ସନ୍ଧାନ ଜାରି ରହିଛି।
ଏଭଳି ବିପର୍ଯ୍ୟୟରେ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବା ସହ ବିପନ୍ନଙ୍କୁ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।