ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

Sep 16, 2026 - 18:23
ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର ସଭାପତି ସୁରେଶ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି।

ବୈଠକରେ ଆଗାମୀ ୨୧ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଲିରେ ସମସ୍ତ ଶିକ୍ଷୟିତ୍ରୀ-ଶିକ୍ଷକଙ୍କ ଯୋଗଦାନ ନେଇ ଆଲୋଚନା କରାଯାଇଥିଲା। ଏଥିସହ ଏକ୍ସ-କ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରିବା ଦାବି ନେଇ ଆଇନଗତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଅବସରରେ ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ରାମଚନ୍ଦ୍ର ପ୍ରଧାନ, ସମ୍ପାଦକ ଭାବେ ପି. ଭେଙ୍କେଟେଶ୍ୱର, ଉପସଭାପତି ଭାବେ ଉମାଚରଣ ଶତପଥୀ, ସାଙ୍ଗଠନିକ ସମ୍ପାଦିକା ଭାବେ ଝୁନୁ ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ମାମି ସାହୁ ନିର୍ବାଚିତ ହୋଇଥିଲେ। ଏଥିସହ ୟୁ. ଶିବପ୍ରସାଦ ଦୋରା ଓ ବିଶ୍ୱନାଥ ସାହୁଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା। ବୈଠକରେ ଜିଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା ଅତିଥି ଭାବେ ଯୋଗଦେଇ ରାଜ୍ୟ ମହାସଂଘର ଆଭିମୁଖ୍ୟ ଏବଂ ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ବୈଠକରେ ରାଜେଶ୍ୱରୀ ସାହୁ, ଲକ୍ଷ୍ମୀ ଗୌଡ଼, ସବିତା ସାହୁଙ୍କ ସମେତ ବହୁ ଶିକ୍ଷୟିତ୍ରୀ-ଶିକ୍ଷକ ଯୋଗଦେଇଥିଲେ। ଏନେଇ ଜିଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା ପ୍ରେସ୍‌ ବିବୃତି ଯୋଗେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।