ଛାତ୍ରୀଛାତ୍ରଙ୍କୁ ଅଟକ ରଖିଲା ପୋଲିସ: ଉଠିଲା ବିବାଦ

Oct 14, 2026 - 10:18
ଛାତ୍ରୀଛାତ୍ରଙ୍କୁ ଅଟକ ରଖିଲା ପୋଲିସ: ଉଠିଲା ବିବାଦ

ମୋରଡ଼ା,୧୪।୧୦ (ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପୋଲିସ ଅଟକ ରଖିଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚିତ୍ରଡ଼ା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ମଳୟ ମହାନ୍ତିଙ୍କ ଶୁଭକାମନା ଉଦ୍ଦେଶ୍ୟରେ ପୁରୀ ଯାଉଥିବା ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଛାତ୍ରୀଛାତ୍ର କିଛି ଅଭିଭାବକଙ୍କ ସହ ନିଜସ୍ବ ଖର୍ଚ୍ଚରେ ମଙ୍ଗଳବାର ରାତିରେ ଦୁଇଟି ଘରୋଇ ବସ୍‌ରେ ପୁରୀ ଯାଉଥିଲେ। ଏହି ସମୟରେ ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଛକରେ ମୋରଡ଼ା ପୁଲିସ ସେମାନଙ୍କୁ ଅଟକାଇ ବେତନଟୀ ଥାନାକୁ ନେଇଥିଲା। ସେଠାରେ ପ୍ରାୟ ଦୁଇ ଘଣ୍ଟା ଧରି ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଚିତ୍ରଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତ ଥାନାରେ ପହଞ୍ଚିଥିଲେ। ପରେ ଛାତ୍ରୀଛାତ୍ରଙ୍କୁ କଲେଜକୁ ନିଆଯାଇ ଅଭିଭାବକଙ୍କ ହସ୍ତାନ୍ତର କରାଯାଇଥିଲା।

ଏହି ଘଟଣାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀ ଅଲିପ୍ତା ବେହେରା ପୋଲିସର ଏପରି କାର୍ଯ୍ୟକୁ ଅନ୍ୟାୟ ବୋଲି କହିଥିବାବେଳେ ଅଭିଭାବକମାନେ ମଧ୍ୟ ଏହାକୁ ନିନ୍ଦନୀୟ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କୁ ଏନେଇ ପଚରାଯିବାରୁ, କଲେଜ ପକ୍ଷରୁ ଛାତ୍ରୀଛାତ୍ରମାନେ ବସ୍‌ରେ ପୁରୀ ଯାଉଥିବା ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ସେ କହିଥିଲେ।

ସୂଚନାଯୋଗ୍ୟ, ଉକ୍ତ ମହାବିଦ୍ୟାଳୟରେ ବାଳକ ଓ ବାଳିକା ହଷ୍ଟେଲ ଏଯାବତ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀମାନେ ନିଜସୱ ଖର୍ଚ୍ଚରେ ଘରୁ ବାହାରି ପୁରୀ ଯିବା କିପରି ନିର୍ବାଚନ ନିୟମ ଉଲ୍ଲଂଘନ ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଘଟଣାର ସମସ୍ତ ପକ୍ଷର ମତାମତ ଓ ତଥ୍ୟ ସାମ୍ନାକୁ ଆସିବା ପରେ ଏହାର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।