ଜର୍ମାନୀରେ ଜେନ୍-ଜି ଆନ୍ଦୋଳନ ବେଳେ ହିଂସା
ଫ୍ରାଙ୍କଫର୍ଟ/ବର୍ଲିନ,୨ା୧୧
ଉନ୍ନତ ଶିକ୍ଷା ଓ ଦରଦାମ୍ ହ୍ରାସ, ସାର୍ବଜନିକ ସେବାରେ ଉନ୍ନତି ଦାବି ଏବଂ ବାଧ୍ୟତାମୂଳକ ସାମରିକ ସେବା ବିରୋଧରେ ଜର୍ମାନୀର ବିଭିନ୍ନ ସହରରେ ଜେନ୍-ଜି ନେତୃତ୍ୱରେ ଶନିବାର ବିକ୍ଷୋଭ ବେଳେ ହିଂସାକାଣ୍ଡ ଓ ଲୁଟ୍ପାଟ ହୋଇଛି। ଜେନ୍ ଜି ରିଗେଲ୍ଟ ପକ୍ଷରୁ ଜର୍ମାନୀର ବର୍ଲିନ୍, ଫ୍ରାଙ୍କଫର୍ଟ, ମୁନିଚ୍ ଆଦି ୩୪ଟି ସହରରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଆାରମ୍ଭ ହୋଇଥିବାବେଳେ ସନ୍ଧ୍ୟାରେ ଫ୍ରାଙ୍କଫର୍ଟରେ ହିଂସାକାଣ୍ଡ ଦେଖାଦେଇଥିଲା। ଦଙ୍ଗାକାରୀମାନେ ଦୋକାନ ଭଙ୍ଗାରୁଜା କରିବା ସହ ଲୁଟ୍ପାଟ କରିଥିଲେ।
ଜରୁରିକାଳୀନ କର୍ମଚାରୀମାନଙ୍କ ଉପରକୁ ବାଣ ଓ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା ବୋଲି ପୋଲିସ ଓ ସ୍ଥାନୀୟ ଗଣମାଧ୍ୟମ କହିଛି। ବହୁ ଦୋକାନର ଝରକା ଭାଙ୍ଗିବା ସହ ଜରୁରିକାଳୀନ କର୍ମଚାରୀଙ୍କୁ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା ବୋଲି ପୋଲିସ କହିଛି। ଫ୍ରାଙ୍କଫର୍ଟର ମୁଖ୍ୟ ଶପିଂ ଷ୍ଟ୍ରିଟ୍ ଜେଇଲ୍ ଏବଂ ହାସେଙ୍ଗାସେରେ ଦଙ୍ଗାକାରୀ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରିଥିଲେ। ଏକ ବନ୍ଧୁକ ଷ୍ଟୋରରୁ ୨ଟି ଅସ୍ତ୍ର ଉଦ୍ଧାର କରାଯିବା ସହ କେତେଜଣଙ୍କୁ ଅଟକ ରଖାଯାଇଛି। ଦଙ୍ଗାକାରୀଙ୍କୁ ଘଉଡ଼ାଇବା ପାଇଁ ପାଣିମାଡ଼ କରାଯିବା ସହ ସ୍ବତନ୍ତ୍ର ପୋଲିସ ୟୁନିଟ୍ ମୁତୟନ ହୋଇଥିଲା। ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖାଯାଇଛି।
ଫ୍ରାଙ୍କଫର୍ଟରେ ଆୟୋଜିତ ବିକ୍ଷୋଭରେ ୮,୦୦୦ ଲୋକ ସାମିଲ ହୋଇଥିଲେ। ତେବେ ହିଂସାକାଣ୍ଡ ଆରମ୍ଭ ହେବାରୁ ସନ୍ଧ୍ୟା ୬ଟା ୨୦ରେ ବିକ୍ଷୋଭକୁ ବନ୍ଦ କରିଦିଆଯାଇଥିଲା। ଏହା ସତ୍ତ୍ୱେ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଲାଗିରହିଥିଲା। ହିଂସାକାଣ୍ଡରେ ଅନେକ ପୋଲିସ ଅଫିସର ଆହତ ହୋଇଛନ୍ତି। ତେବେ କେତେଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ଜୀବନ ଧାରଣ ଖର୍ଚ୍ଚ ହ୍ରାସ ଓ ଶିକ୍ଷାରେ ଅଧିକ ନିବେଶ ଦାବିରେ ଜେନ୍ ଜି ରିଗେଲ୍ଟ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଥିଲା। ବିଭିନ୍ନ ସରକାରୀ ବିଭାଗରେ ଖର୍ଚ୍ଚକାଟକୁ ନେଇ ବିକ୍ଷୋଭକାରୀ ଉଦ୍ବେଗ ପ୍ରକାଶ କରିଥିଲେ। ଏହା ଯୁବ ପିଢ଼ିଙ୍କ ଉପରେ ଆର୍ଥତ୍କ ବୋଝ ବଢ଼ାଇବ ବୋଲି ସେମାନେ ଦାବି କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।