ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…
ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି ୧୫ ଜୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ସମୁଦାୟ ୮୭,୭୫୦ ଟଙ୍କା,୩ ପ୍ୟାକେଟ୍ ତାସ ଓ ଜରିପାଲ ଜବତ କରିଥିବା ଜଣାପଡିଛି। ଶନିବାର ରାତିରେ ଅନନ୍ତେଇ ଗ୍ରାମରେ ଚାଲିଥିବା ଚାଲିଥିବା ଜୁଆଖେଳ ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଚଢାଉ କରିଥିଲେ।ପୋଲିସକୁ ଦେଖି ଜୁଆଡିମାନେ ଦୌଡ଼ି ପଳାଉଥିବାବେଳେ ୪ ଜଣଙ୍କୁ ପୋଲିସ ମାଡ଼ି ବସିଥିଲେ। ସେମାନଙ୍କ ନିକଟରୁ ୨୦,୧୦୦ ଟଙ୍କା,ତାସ ପ୍ୟାକେଟ ଓ ଜରିପାଲ ଜବତ କରି ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣିଥିଲେ।ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ୪୫୦/୨୬ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ସେହିପରି ଗତ ଗୁରୁବାର ରାତିରେ ସିଦ୍ଧେଶ୍ୱର ଗ୍ରାମରେ ଚାଲିଥିବା ଜୁଆଖେଳରେ ପୋଲିସ ଚଢ଼ାଉ କରି ୪ ଜଣ ଜୁଆଡିଙ୍କୁ ଧରିଥିବା ବେଳେ ଅନ୍ୟମାନେ ଦୌଡ଼ି ପଳାଇଥିଲେ। ସେଠାରୁ ପୋଲିସ ୨୭,୧୦୦ ଟଙ୍କା,ତାସ ପ୍ୟାକେଟ ଜବତ କରିଥିଲେ। ଅଭିଯୁକ୍ତମାନଙ୍କ ନାଁରେ ୪୪୬/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେହିପରି ଗତ ବୁଧବାର ରାତି ପ୍ରାୟ ୯ ଟାରେ ଭୀଷ୍ମଗିରି ଗ୍ରାମ ଓଷାକୋଠୀ ମନ୍ଦିର ନିକଟରେ ଚାଲିଥିବା ଜୁଆଖେଳ ଉପରେ ଦିଗପହଣ୍ଡି ଥାନା ଏସ୍.ଆଇ ମହାପ୍ରସାଦ ମହାନ୍ତି ସଦଳବଳ ଅତର୍କିତ ଚଢ଼ାଉ କରି ୭ ଜଣ ଜୁୁଆଡ଼ିଙ୍କୁ ଗିରଫ କରିଥିବା ବେଳେ କିଛି ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିମାନଙ୍କ ଠାରୁ ୪୦ ହଜାର ୫୫୦ ଟଙ୍କା ,ତାସମୁଠା ଜବତ କରାଯାଇ କେସ୍ ନଂ.୪୪୪/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଜୁଆଖେଳରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର ହେବା ନେଇ ସର୍ତ୍ତ ମୂଳକ ଜାମିନରେ ଛଡ଼ାଯାଇଥିବା ଆଇଆଇସି କହିଛନ୍ତି। ଗଞ୍ଜାମ ଜିଲାର ପ୍ରାୟ ସମସ୍ତ ଗାଁ ମାନଙ୍କରେ ଆଶ୍ୱିନ ମାସ ଦଶହରା ପୂର୍ବରୁ ଦୀପାବଳି ବିଶେଷକରି କାର୍ତ୍ତିକ ପୂର୍ଣ୍ଣିମା ଛାଡ଼ଖାଇ ପର୍ଯ୍ୟନ୍ତ ଲୋକେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଇ ଜୁଆ ଖେଳିଥାନ୍ତି। ସ୍ଥଳ ବିଶେଷରେ ଜୁଆଖେଳକୁ ନେଇ ଆକ୍ରମଣ-ପ୍ରତି ଆକ୍ରମଣ ହେବା ମଧ୍ୟ ନଜିର ରହିଛି।ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜନୈତିକ ପୃଷ୍ଠ ପୋଷକତା ରେ କିଛି ପେଶାଦାର ଅପରାଧୀ ଯୋଜନାବଦ୍ଧ ଭାବେ ସୁବ୍ୟବସ୍ଥିତ ଢଙ୍ଗରେ ବଡ଼ ଧରଣର ଜୁଆ ଆଡ୍ଡା ପରିଚାଳନା କରି ପାଲି ନାଁ ରେ ବିପୁଳ ଅର୍ଥ ଆଦାୟ କରୁଛନ୍ତି। ଏନେଇ ଜଣେ ପୋଲିସ ଅଧିକାରୀଙ୍କୁ ପଚାରିବାରୁ ପରମ୍ପରାକୁ ଦ୍ୱାହି ଦେଇ ପୂର୍ବ ପ୍ରସ୍ତୁତି ପ୍ରକାରେ ସଙ୍ଗଠିତ ହୋଇ ଲକ୍ଷଲକ୍ଷ ଟଙ୍କା ବାଜି ଲଗାଇ ଜୁଆ ଖେଳିବା ଅପରାଧ। ଯେଉଁମାନେ ଜୁଆ ଖେଳରେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଗିରଫ କରାଯାଇ ଆବଶ୍ୟକ ହେଲେ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି। ଏପରିକି ସର୍ବସାଧାରଣ ସ୍ଥାନରେ କିମ୍ବା ଘର, ଲଜିଂ, ଡାକବଙ୍ଗଳା,ପାନ୍ଥ ନିବାସ ମାନଙ୍କରେ ଯେ କେହି ସଙ୍ଗଠିତ ଭାବେ ଜୁଆ ଖେଳିଲେ ପୋଲିସ କୌଣସି ପ୍ରକାରେ ବରଦାସ୍ତ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।