ଡିଜିଟାଲ କାରବାରରେ ସନ୍ଦେହ

Sep 22, 2026 - 08:36
ଡିଜିଟାଲ କାରବାରରେ ସନ୍ଦେହ
କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା ବଦଳରେ ମୋବାଇଲ ଫୋନ୍‌ ମାଧ୍ୟମରେ ନିଜର ବ୍ୟାଙ୍କ ଆକାଉଣ୍ଟରୁ ସିଧାସିଧା ଗ୍ରହୀତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ କିଣାବିକାର ଯେଉଁ ଅବାଧ ସୁଯୋଗ ଥିଲା ଏବେ ସେଥିପାଇଁ ପାଉଣା ଦେବାକୁ ହେବ। ସେଥିପାଇଁ ଯେଉଁ ପ୍ଲାଟ୍‌ଫର୍ମ ବ୍ୟବହାର ହେଉଛି ତାକୁ ଦେୟ ଦେବାକୁ ହେବ। କେନ୍ଦ୍ର ସରକାର ଜଣାଇଦେଇଛନ୍ତି ଯେ, ଆଉ ସରକାର ସବ୍‌ସିଡି ଦେବେନାହିଁ। ସେହି ଟଙ୍କା ଫି’ ରୂପେ ନେଣଦେଣକାରୀଙ୍କଠାରୁ କଟାହେବ। ୨୦୦୦ ଟଙ୍କାରୁ ବେଶି ନେଣଦେଣ ହେଲେ ଚାର୍ଜ ଦେବାକୁ ପଡ଼ିବ। ସରକାର କହୁଛନ୍ତି, ଚାର୍ଜ ଯାହା ଦେବାର କଥା ବ୍ୟବସାୟୀମାନେ ଦେବେ, କ୍ରେତା ବା ସାଧାରଣ ଲୋକଙ୍କଠାରୁ କିଛି ନିଆଯିବ ନାହିଁ। କିନ୍ତୁ ଏହା ସମସ୍ତେ ଜାଣନ୍ତି କୌଣସି ବ୍ୟବସାୟୀ ନିଜ ଘରୁ ଟଙ୍କା ଆଣି କ୍ରେତାଙ୍କୁ ଦାନ କରିବେ ନାହିଁ। ସେମାନେ ବ୍ୟବସାୟ କ୍ଷେତ୍ରରେ ଯେଉଁ ଟଙ୍କା ଏଥିପାଇଁ ଦେବେ ତାହା କ୍ରେତାଙ୍କଠାରୁ ଆଦାୟ କରିବେ। ଜିନିଷପତ୍ରର ଦାମ୍‌ ବଢ଼ାଇ ସେମାନେ ଯେଉଁ ଲାଭ କରନ୍ତି ତାହା କ୍ରେତାଙ୍କ ପକେଟରୁ ଆସେ।
ତେବେ ସରକାର ଏତେବଡ଼ ନିଷ୍ପତ୍ତି ନେଲେ କାହିଁକି? କାରଣ ସ୍ପଷ୍ଟ, ଆମେରିକୀୟ ବାଣିଜ୍ୟ ପ୍ରତିନିଧି ଭାରତର ୟୁପିଆଇ ଏବଂ ଶୂନ୍ୟ ଏମ୍‌ଡିଆର୍‌ ଢାଞ୍ଚାର ତୀବ୍ର ଆପତ୍ତି କରିଛନ୍ତି। ଭାରତର ଡିଜିଟାଲ ପେମେଣ୍ଟ ନୀତିକୁ ଏକ ବାଣିଜ୍ୟ ପ୍ରତିବନ୍ଧକ ଭାବେ ଚିହ୍ନିତ କରିଛନ୍ତି, କାରଣ ଏହା ଆମେରିକାର ପେମେଣ୍ଟ କମ୍ପାନୀଗୁଡ଼ିକୁ ଅସୁବିଧାରେ ପକାଉଛି। ଭିଜା ଏବଂ ମାଷ୍ଟରକାର୍ଡ ପରି କମ୍ପାନୀଗୁଡ଼ିକର କାର୍ଡ ଦେୟକୁ ବିସ୍ତାର କରିବା ଏବଂ ୟୁପିଆଇ ଓ ରୁ-ପେକୁ କମ୍‌ ଆକର୍ଷଣୀୟ କରିବାରେ ସିଧା ସ୍ବାର୍ଥ ରହିଛି। ୱାଲ୍‌ମାର୍ଟ ମାଲିକାନାର ‘ଫୋନ୍‌-ପେ’ ଏବଂ ଆଲ୍‌ଫାବେଟ୍‌ ମାଲିକାନାର ‘ଗୁଗଲ୍‌-ପେ’ ମିଳିତ ଭାବେ ୮୦ ପ୍ରତିଶତ କାରବାର କରନ୍ତି। ସେମାନଙ୍କଠାରୁ ସାର୍ବଜନୀନ ଡିଜିଟାଲ ଭିିତ୍ତିଭୂମିର ବ୍ୟାପକ ବ୍ୟବହାର ପାଇଁ ଦେୟ ଆଦାୟ କରିବା ପରିବର୍ତ୍ତେ ସରକାର ଭାରତର ବ୍ୟବସାୟୀ ଓ କ୍ରେତାଙ୍କ ଉପରେ ଏହି ଭାର ଲଦି ଦେଇଛନ୍ତି। ୨୦୦୦ଟଙ୍କାରୁ ବେଶି ମୂଲ୍ୟର ପ୍ରଯୁଜ୍ୟ ୟୁପିଆଇ ନେଣଦେଣ  ଉପରେ ମର୍ଚ୍ଚାଣ୍ଟ ଫି’ ସଂକ୍ରାନ୍ତ ନିର୍ଦ୍ଦେଶନାମା୧୫ ଅକ୍ଟୋବରରୁ କାର୍ଯ୍ୟକାରୀ ହେବାର  କଥା ରହିଛି। ରିପୋର୍ଟରେ ଉଲ୍ଲିଖିତ ସରକାରଙ୍କର ସ୍ପଷ୍ଟୀକରଣ ଅନୁସାରେ ପ୍ରସ୍ତାବିତ ଏହି ଦେୟ କୌଣସି କର ନୁହେଁ ବରଂ ଏହା ନ୍ୟାଶନାଲ ପେମେଣ୍ଟ । ସରକାରଙ୍କର ଏହି ସିଦ୍ଧାନ୍ତ ଫିନ୍‌-ଟେକ୍‌ ବିଶେଷଜ୍ଞଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି। ବଡ଼ ଆକାରର ଡିଜିଟାଲ ପେମେଣ୍ଟ ପାଇଁ ଏକ ବ୍ୟବସ୍ଥା ପ୍ରଚଳନ କରିବା ସମୟରେ ୭୫ହଜାର ଟଙ୍କା ବା ତଦୂର୍ଦ୍ଧ୍ୱ ପେମେଣ୍ଟ କ୍ଷେତ୍ରରେ ଦେୟର ସର୍ବୋଚ୍ଚ ସୀମା ୩୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହି ସମସ୍ତ  କାରବାର ଓ ପ୍ରକ୍ରିୟା ବିଷୟରେ  ‘ଭାରତ-ପେ’ର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଆସାନିର ଗ୍ରୋଭର ଏହାର ଅର୍ଥନୈତିକ ବିଷୟ ନେଇ ପ୍ରଶ୍ନ ଉଠାଇଛନ୍ତି। ଏକ୍ସ (ପୁରୁଣା ଟୁଇଟର)ରେ ଦେଇଥିବା ଏକ ପୋଷ୍ଟରେ ଗ୍ରୋଭର ମର୍ଚ୍ଚାଣ୍ଟ ଫି’ର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଛନ୍ତି। ଏକ୍ସର ଏକ ପୋଷ୍ଟରେ ସେ କହିଛନ୍ତି, ସରକାର ଯଦି ‘ଜି’ ଗ୍ରୁପ୍‌ର ସୁବାସ ଚନ୍ଦ୍ରାଙ୍କୁ ୨୨,୦୦୦କୋଟି ଟଙ୍କା ଛାଡ଼ କରି ନ ଥାଆନ୍ତେ, ତେବେ ସରକାର ୮୦୦୦ କୋଟି ଟଙ୍କାର ଅନୁଦାନ ବା ସବ୍‌ସିଡି ଦେଇ ଭାରତରେ ୟୁପିଆଇ ଆଗାମୀ ୨୦ବର୍ଷ ବିନା ମୂଲ୍ୟରେ ସେବା ଦେଇପାରିଥାଆନ୍ତେ। ଗ୍ରୋଭର ଆହୁରି କହିଛନ୍ତି ,ଏହାଛଡ଼ା ଏନ୍‌ସିପିଆଇ, ଯିଏ ୟୁପିଆଇ ପରିଚାଳନା କରେ ତାହାର ବାଲାନ୍ସଶିଟ୍‌ରେ ୬୧୧୯କୋଟି ଟଙ୍କାର ନଗଦ ଅର୍ଥ ଏବଂ ୧୯୦୦କୋଟି ଟଙ୍କାର ପ୍ରାକ୍‌ କର ପରିଚାଳନା ଲାଭ ରହିଛି। ସେ ପୁଣି କହିଛନ୍ତି, ଏନ୍‌ସିପିଆଇ ସରକାରୀ ଅର୍ଥାୟନ ଛଡ଼ା ନିଜର ନଗଦ ଅର୍ଥ ଓ ଲାଭକୁ ବ୍ୟବହାରକରି ଅନିର୍ଦ୍ଦିଷ୍ଟ କାଳ ପାଇଁ ବିନାମୂଲ୍ୟରେ ୟୁପିଆଇ ସେବା ଚଳାଇପାରିବେ। ସେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଗତବର୍ଷ ସରକାର ଏନ୍‌ସିପିଆଇଠାରୁ ୧୦୦୦କୋଟି ଟଙ୍କାର କର ଆଦାୟ କରିଥିଲେ।
ଗ୍ରୋଭର ତାଙ୍କ ଯୁକ୍ତିକୁ ତଥ୍ୟ ମାଧ୍ୟମରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, ଭାରତର କେହି ଯଦି ମାତ୍ର ୫ମିନିଟ୍‌ ଗୁଗଲରେ ତଥ୍ୟଗୁଡ଼ିକ ଖୋଜି ଦେଖିବେ ତେବେ ଅସଲ ସତ୍ୟଟା ସ୍ପଷ୍ଟ ହୋଇଯିବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସରକାରଙ୍କୁ ୨.୮୭ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛି; ଯେଉଁଠି ତାଲିକାଭୁକ୍ତ (ସିଡଲ୍ୟୁଡ୍‌) ବ୍ୟାଙ୍କଗୁଡ଼ିକ ୪.୧୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି ଏବଂ ଏନ୍‌ସିପିଆଇର କର ପୂର୍ବ ଉଦ୍ଧୃତ ଥିଲା ୧୮୮୮ କୋଟି ଟଙ୍କା। ଏହି ପରିସଂଖ୍ୟାନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ଯେ, ୟୁପିଆଇ କାରଣରୁ ପ୍ରକୃତରେ କାହାର ଆର୍ଥିକ କ୍ଷତି ହେଉଛି ଏବଂ ସରକାର ଏହି ବ୍ୟବସାୟରେ କେଉଁ ଧରଣର ସବ୍‌ସିଡି ଦେଉଛନ୍ତି। ସେ ଭାରତରେ ଏଟିଏମ୍‌ ପରିଚାଳନା ଓ ନଗଦ ଅର୍ଥ ବ୍ୟବସ୍ଥାପନ (କ୍ୟାଶ ଲଜିଷ୍ଟିକ୍ସ ) ଖର୍ଚ୍ଚର ବିଷୟଟିକୁ ଉଲ୍ଲେଖ କରିଛନ୍ତି, ଯାହା ସେ ୩୫,୦୦୦କୋଟି ଟଙ୍କା ବୋଲି ଅଭିହିତ କରିଛନ୍ତି। ବ୍ୟୟ ହ୍ରାସ ବା ଅପ୍‌ଟିମାଇଜ୍‌ କରିବା ପାଇଁ ଏଟିଏମ୍‌ ବନ୍ଦକରି ଏବଂ ୟୁପିଆଇର ପ୍ରସାର ଘଟାଇବା ଶ୍ରେଷ୍ଠତର ଉପାୟ ହୋଇପାରେ। ଗ୍ରୋଭର କହିଛନ୍ତି , ୟୁପିଆଇ ଉପରେ ଯେକୌଣସି ଧରଣର ମାସୁଲ ବା ଲେଭି ଲାଗୁ କାର୍ଯ୍ୟତଃ କର ଆଦାୟରେ ସାମିଲହେବା ନେଇ ସେ ସତର୍କ କରି କହିଛନ୍ତି, ବିଶ୍ୱବ୍ୟାପୀ ୟୁପିଆଇ ଏବେ କର ଭଳି ହେବାକୁ ଯାଉଛି।
ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ୨୦୧୬ରେ କେନ୍ଦ୍ର ସରକାର ଯେତେବେଳେ ବିମୁଦ୍ରୀକରଣ କଲେ ସାରା ଦେଶରେ ବ୍ୟବସାୟ ଓ ବାଣିଜ୍ୟରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଏବଂ ଠିକ୍‌ ସେହି ସମୟରେ ୟୁପିଆଇ ପେମେଣ୍ଟର ପ୍ରଚଳନ ବହୁ ଆଡ଼ମ୍ବରରେ କରାଯାଇଥିଲା। କୁହାଯାଇଥିଲା ବିମୁଦ୍ରୀକରଣ ଫଳରେ ଦେଶରୁ କଳାଟଙ୍କା ଓ ଜାଲ୍‌ ନୋଟ୍‌ ନିର୍ମୂଳ ହୋଇଯିବ। ସନ୍ତ୍ରୀସବାଦୀମାନେ କପର୍ଦ୍ଦକ ଶୂନ୍ୟ ହୋଇଯିବେ ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଆଉ ଚଳାଇପାରିବେ ନାହିଁ। ଏହିସବୁ ଉଦ୍ଦେଶ୍ୟ କୌଣସିଟି ପୂରଣ ହୋଇନାହିଁ। କଳା ଟଙ୍କାର ପ୍ରାବଲ୍ୟ ଏବେ ବି ରହିଛି। ଆଜି ମଧ୍ୟ ସନ୍ତ୍ରୀସବାଦୀଙ୍କୁ ଅର୍ଥ ମିଳୁଛି।
କିଛିଦିନ ପରେ ଏହି ବ୍ୟର୍ଥତାକୁ ଲୁଚାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, ବିମୁଦ୍ରୀକରଣର ଅସଲ ଉଦ୍ଦେଶ୍ୟ ଥିଲା ନଗଦ ନେଣଦେଣକୁ କମ୍‌ କରାଇ ଅନ୍‌ଲାଇନ ବା ଡିଜିଟାଲ ନେଣଦେଣରେ ଲୋକଙ୍କୁ ଅଭ୍ୟସ୍ତ କରାଇବା। ରାତାରାତି ବଜାରରୁ ୯୦ ପ୍ରତିଶତ ନଗଦ ଟଙ୍କା ବାତିଲ କରିବା ବା ଉଠାଇନେବା ଫଳରେ ଲୋକଙ୍କ ଦୈନନ୍ଦିନ ଜୀବନ ଅଚଳ ହୋଇପଡ଼ିଥିଲା। ବ୍ୟବସାୟୀ, ଦୋକାନୀ, ବିକ୍ରେତାମାନଙ୍କର ବ୍ୟବସାୟ କାର୍ଯ୍ୟତଃ ଅଚଳ ହୋଇପଡ଼ିଥିଲା। ଏହି ଅବସ୍ଥାରେ ଲୋକେ ଅନ୍‌ଲାଇନ ପେମେଣ୍ଟର ନୂତନ ବ୍ୟବସ୍ଥା ୟୁପିଆଇ ବ୍ୟବସ୍ଥା ସହ ସଂଯୁକ୍ତହେବାକୁ ଆରମ୍ଭ କରିଥିଲେ। ଏହି ବ୍ୟବସ୍ଥାରେ ସେବା ଦେବା ପାଇଁ ରାତାରାତି ଏକାଧିକ ପେମେଣ୍ଟ ସଂସ୍ଥା ‘ପେ-ଟିଏମ୍‌’, ‘ଫୋନ୍‌-ପେ’, ‘ଆମାଜନ ପେ’ ଇତ୍ୟାଦି ଗଢ଼ିଉଠିଥିଲା। ଏସବୁ ବେସରକାରୀ ସଂସ୍ଥା ଏବଂ ହାତରୁ ଖାଇ ବିନା ମୂଲ୍ୟରେ ସେବା ଦେଉ ନ ଥିଲେ। ସରକାର ନେଣଦେଣର ସଂଖ୍ୟା ଓ ନେଣଦେଣର ପରିମାଣ ହିସାବକୁ ନିର୍ଦ୍ଦିଷ୍ଟ ହାରରେ ଚାର୍ଜ ସବ୍‌ସିଡି ଆକାରରେ ଦେଉଥିଲେ। ନିଶ୍ଚିତ ଆୟର ଗ୍ୟାରେଣ୍ଟି ପାଇ ଏଭଳି ଡଜନ ଡଜନ ବେସରକାରୀ ପେମେଣ୍ଟ ସଂସ୍ଥା ଗଢ଼ିଉଠିଲା। ଡିଜିଟାଲ କାରବାର ବେଶ୍‌ ଜନପ୍ରିୟ ହୋଇପାରିଥିଲା। ଖୁଚୁରା କିଣାବିକା କ୍ଷେତ୍ରରେ ବିଶେଷକରି ବଜାରରେ ଖୁଚୁରା ପଇସାର ଅଭାବ ଯୋଗୁ ଏବେ ଏହା ପ୍ରାୟ ଅପରିହାର୍ଯ୍ୟ ହୋଇଉଠିଛି। ବେଶି ଭାଗ ଲୋକ ନଗଦ ଟଙ୍କା ନେଇ ବଜାରକୁ ଆସୁନାହାନ୍ତି। ବର୍ତ୍ତମାନ ଚାର୍ଜ ଲାଗୁ ହେଲେ ଦୋକାନୀମାନେ ୟୁପିଆଇ ପେମେଣ୍ଟ ନେବାକୁ ଅସ୍ବୀକାର କରିବେ। ବିଶେଷକରି ଯେତେବେଳେ ୨ହଜାର ଟଙ୍କାରୁ ବେଶି ସଉଦା ହେବ ସେତେବେଳେ ୪ ପ୍ରତିଶତ ଚାର୍ଜ ବିକ୍ରେତାଙ୍କୁ ଦେବାକୁ ପଡ଼ିବ। ସେ ବାଧ୍ୟହୋଇ କହିବେ ନଗଦ ଦିଅନ୍ତୁ ବା ଅଧିକ ଦାମ୍‌ ଦିଅନ୍ତୁ। ‘ନଗଦ ବିହୀନ ଅର୍ଥନୀତି’ର ବ୍ୟାପକ ପ୍ରଚାର କରାଯାଉଥିଲା, ଏବେ ତାହା ସରକାରଙ୍କ ନୂଆନୀତି ଯୋଗୁ ବ୍ୟର୍ଥ ହେବାକୁ ଯାଉଛି। ସାଧାରଣ ଜନତାଙ୍କ ପ୍ରଶ୍ନ ଡିଜିଟାଲ ଅର୍ଥନୀତିକୁ ଉତ୍ସାହିତ କରିବା ସମୟରେ ଯେତେବେଳେ ୟୁପିଆଇକୁ ବିନା ମୂଲ୍ୟରେ ବ୍ୟବହାର ସୁବିଧା ଦିଆଯାଉଥିଲା ସେତେବେଳେ ଏହାର ବ୍ୟୟ ବହନର ଭାଗ କାହିଁକି କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ କ୍ରେତାଙ୍କ ଉପରେ ପଡ଼ିବ? ତେବେ କ’ଣ ଡିଜିଟାଲ ନେଣଦେଣ କାରବାରର ଶେଷଯାତ୍ରା ଆରମ୍ଭ ହୋଇଗଲା!
କିଶୋର ଜେନା
ମୋ: ୯୩୪୮୧୬୯୯୩୧

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।