ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ଭୋରରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ
ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀର କନଟ୍ ପ୍ଲେସ୍ରେ CJPର ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶୁକ୍ରବାର ଭୋର୍ ପ୍ରାୟ ୪ଟା ୩୦ ମିନିଟ୍ରେ ସଂସଦ ମାର୍ଗ ଥାନା ବାହାରେ ପ୍ରଦର୍ଶନ କରୁଥିବା NSUI ଓ ଯୁବ କଂଗ୍ରେସ କର୍ମୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଯୁବ କଂଗ୍ରେସ ଅଧ୍ୟକ୍ଷ ଉଦୟ ଭାନୁ ଚିବ୍, NSUIର ଜାତୀୟ ଅଧ୍ୟକ୍ଷ ବିନୋଦ ଜାଖଡ଼ଙ୍କ ସମେତ ଅନ୍ୟ ନେତା ଓ କର୍ମୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କଂଗ୍ରେସ ଓ NSUI ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଛି।
NSUIର ଜାତୀୟ ଅଧ୍ୟକ୍ଷ ବିନୋଦ ଜାଖଡ଼ଙ୍କ ସମେତ ଅନେକ କର୍ମୀ ସଂସଦ ମାର୍ଗ ଥାନା ବାହାରେ ରାତିସାରା ଧାରଣାରେ ବସିଥିଲେ। ଦୁଇ ଦିନ ପୂର୍ବରୁ ସଂଗଠନର ମହିଳା କର୍ମୀ ଆଥିରା ଓ ରୁତୁଙ୍କ ସହ ପୋଲିସ ବସ୍ରେ କଥିତ ମାଡରପିଟ୍ ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ଏତଲା (FIR) ରୁଜୁ କରିବାକୁ ସେମାନେ ଦାବି କରୁଥିଲେ। ପୋଲିସର କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସ ପକ୍ଷରୁ ତୀବ୍ର ଆପତ୍ତି ଉଠାଯାଇଛି। କଂଗ୍ରେସ ଏମପି ଜେବି ମାଥର ଓ ସିପିଆଇ ନେତ୍ରୀ ଆନି ରାଜା ମଧ୍ୟ ସଂସଦ ମାର୍ଗ ଥାନାରେ ପହଞ୍ଚିଥିବା ସୂଚନା ମିଳିଛି।
CJPର ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି କନଟ୍ ପ୍ଲେସ୍ର ସେଣ୍ଟ୍ରାଲ ପାର୍କକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି । ପାର୍କର ପ୍ରତ୍ୟେକ ପ୍ରବେଶ ପଥରେ ବ୍ୟାରିକେଡ୍ ଲଗାଯାଇଥିବାବେଳେ ମେଟ୍ରୋ ଷ୍ଟେଶନ୍ର ଗେଟ୍ ନିକଟରେ ମଧ୍ୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । କନଟ୍ ପ୍ଲେସ୍କୁ ଯାଉଥିବା କେତେକ ରାସ୍ତାରେ ଯାତାୟାତ ମାର୍ଗ ପରିବର୍ତ୍ତନ କରାଯାଇଛି ।
ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରାଯାଇଥିବା ଖବର ମିଳିଛି। ପ୍ରାୟ ୬,୦୦୦ ପୋଲିସ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ୨୦୦ କମ୍ପାନୀ ମୁତୟନ ହୋଇଥିବା ସୂଚନା ଦିଆଯାଇଛି । କନଟ୍ ପ୍ଲେସ୍ ଓ ଏହାର ଆଖପାଖ ଅଞ୍ଚଳରେ ସମ୍ଭାବ୍ୟ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍ ପୋଲିସ ଲୋକଙ୍କୁ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ୍ ଆଡ୍ଭାଇଜରି ଯାଞ୍ଚ କରିବାକୁ ପରାମର୍ଶ ଦେଇଛି।
ଯାତ୍ରା ପାଇଁ ଅଧିକ ସମୟ ରଖିବା ସହ ସମ୍ଭବ ହେଲେ ବ୍ୟକ୍ତିଗତ ଗାଡ଼ି ବଦଳରେ ସାଧାରଣ ପରିବହନ ବ୍ୟବହାର କରିବାକୁ କୁହାଯାଇଛି। ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଡ଼ିଲେ ଅଧିକ ଟ୍ରାଫିକ୍ ଡାଇଭର୍ସନ୍ ଲାଗୁ କରାଯାଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।