ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ
କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା ପାଇଁ ପ୍ରତ୍ୟେକ ଥାନାକୁ CUG (Closed User Group) ମୋବାଇଲ୍ ନମ୍ବର ଯୋଗାଇ ଦିଆଯାଇଛି। ତେବେ ଅଧିକାଂଶ ଥାନା ଅଧିକାରୀ ଏହି ନମ୍ବରକୁ ସାର୍ବଜନୀନ ନକରି ଲୁଚାଇ ରଖୁଥିବା ଅଭିଯୋଗ ହୋଇଛି। ଏହାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ପୋଲିସ୍ ସଦର ମହକୁମା (କଟକ) ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ୍ ଜିଲ୍ଲାକୁ ତାଗିଦ୍ କରାଯିବା ସହ CUG ନମ୍ବର ସାର୍ବଜନୀନ କରିବାକୁ କଡ଼ା ପତ୍ର ଲେଖାଯାଇଛି (ପତ୍ର ସଂଖ୍ୟା: ୩୪୩୨୫/ ୨୧.୮.୨୦୨୬)।
ସାଧାରଣତଃ ଜରୁରୀ ପରିସ୍ଥିତିରେ ଲୋକେ ୧୧୨ (Emergency Response Support System) ନମ୍ବରକୁ କଲ୍ କରୁଛନ୍ତି। ମାତ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ନେଟୱର୍କ ଯୋଗୁଁ ଅନ୍ୟ ଜିଲାର କଣ୍ଟ୍ରୋଲ ରୁମ୍ ସହ କଲ୍ ଯୋଡ଼ି ହୋଇଯାଉଛି। ଉଦାହରଣ ସ୍ୱରୂପ, କଟକ ଜିଲ୍ଲା କିଶନନଗର ଅଞ୍ଚଳର ଲୋକେ ୧୧୨ କୁ କଲ୍ କଲେ ତାହା ଜଗତସିଂହପୁର କଣ୍ଟ୍ରୋଲ ରୁମ୍ରେ ଲାଗୁଛି, ଯାହାଦ୍ୱାରା ତୁରନ୍ତ ପୋଲିସ୍ ସହାୟତା ପାଇବାରେ ବିଳମ୍ବ ଘଟୁଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ଥାନାର CUG ନମ୍ବର ସିଧାସଳଖ ଯୋଗାଯୋଗ ପାଇଁ ସବୁଠାରୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ଅଭିଯୋଗ ଅନୁଯାୟୀ, ଗଣମାଧ୍ୟମ ପ୍ରତିନିଧି ଓ ରାଜନେତାମାନେ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ନମ୍ବରରେ ଯୋଗାଯୋଗ କରି ସୂଚନା ସଂଗ୍ରହ କରୁଥିବା ବେଳେ ଅସହାୟ, ବରିଷ୍ଠ ନାଗରିକ ଓ ସାଧାରଣ ଲୋକେ ଥାନା ନମ୍ବର ନପାଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି କଟକ କମିଶନରେଟ୍ ପୋଲିସ୍ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କଟକ ସଦର, ମଧୁପାଟଣା, ଚାଉଳିଆଗଞ୍ଜ, ଜଗତପୁର, CRRI, କନ୍ଦରପୁର ଏବଂ କିଶନନଗର ଥାନାର CUG ନମ୍ବରଗୁଡ଼ିକ ଏବେ ବି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି।
ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପୋଲିସ୍, ରେଳବାଇ ଓ ପ୍ରତିରକ୍ଷା ବିଭାଗରେ ଏହି CUG ସେବା ଜରୁରୀ ଯୋଗାଯୋଗ ପାଇଁ ନିୟୋଜିତ। ତେଣୁ ସଦର ମହକୁମାର ନିର୍ଦ୍ଦେଶ ପରେ ସମସ୍ତ ଥାନାର CUG ନମ୍ବର ସାର୍ବଜନୀନ ହେଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।